କ୍ୟାମେରାମ୍ୟାନ୍‌ ମାନସ ହତ୍ୟାକାଣ୍ଡ; ମିଳିଲା ଶର୍ମିଷ୍ଠାଙ୍କ କାର

ଭୁବନେଶ୍ୱର: କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଙ୍କ ହତ୍ୟା ଘଟଣାର ମୁଖ୍ୟ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ପତା ମିଳୁନି। ସେ ଏବେ କେଉଁଠି ତାଙ୍କୁ ପୁଲିସ ଖୋଜୁଛି। ହେଲେ ସେ ବ୍ୟବହାର କରୁଥିବା କାର୍‌କୁ ଠାବ କରିଛି ପୁଲିସ। ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଠାବ ହୋଇଛି ତାଙ୍କ କାର୍।

ଏହି ଘଟଣାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଗିରଫ ହୋଇ ସାରିଥିବା ବେଳେ ତାଙ୍କର ଶର୍ମିଷ୍ଠାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଧିରେ ଧିରେ ଜଣାପଡ଼ୁଛି। ନିରଞ୍ଜନଙ୍କ ନିର୍ଦ୍ଦେଶନାରେ ପୂରା ନାଟକ ରଚାଯାଇଥିବା ବେଳେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଏହାକୁ କାର୍ୟ୍ୟକାରୀ କରିଥିବା ଆଲୋଚନା ହେଉଛି । ଏକ ମେମୋରି ଚିପ୍ ପାଇଁ ଫେବୃଆରୀ ୭ ତାରିଖ ସକାଳେ ମାନସଙ୍କୁ ଭଦ୍ରକରୁ ଅପହରଣ କରାଯାଇଥିଲା। ଅପହରଣ ପରେ ମାନସଙ୍କୁ ଦୟାଲ୍ ଆଶ୍ରମରେ ରଖି ପ୍ରବଳ ମାଡ଼ ମରାଯାଇଥିଲା। ନିରଞ୍ଜନ ସେଠୀ ମଧ୍ୟ ସେଠାରେ ଉପସ୍ଥିତ ରହି ମାଡ଼ ମାରିଥିଲେ। ଯାହାଫଳରେ ମାନସଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ଶର୍ମିଷ୍ଠାଙ୍କ ସହ ନିରଞ୍ଜନ ଦିନକୁ ପ୍ରାୟ ୨୫ରୁ ୩୦ ଥର ଫୋନ୍ରେ କଥା ହେଉଥିବା ତାଙ୍କ କଲ୍ ଡିଟେଲ ଆନାଲିସସରୁ ଜଣାପଡ଼ିଛି। ଏଥିରୁ ଉଭୟଙ୍କ ସମ୍ପର୍କ କେତେ ଘନିଷ୍ଠ ଥିଲା ତାହା ଅନୁମାନ କରିହେବ । ଏହାବାଦ ଶର୍ମିଷ୍ଠାଙ୍କ ଓ ନିରଞ୍ଜନଙ୍କ ସମ୍ପର୍କ ବହୁ ପୁରୁଣା ବୋଲି ବି ଜଣାପଡ଼ିଛି। କାରଣ ମାନସ ମର୍ଡର କେସ୍ ପୂର୍ବରୁ ମଧ୍ୟ ନିୟମିତ ଭାବେ ନିରଞ୍ଜନ ସେଠୀ ଶର୍ମିଷ୍ଠାଙ୍କ ଅଫିସ୍କୁ ଯାଉଥିଲେ। କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ‘ସମ୍ପୂର୍ଣ୍ଣ’ ୱେବ୍ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଖୋଜିବାକୁ ଭଦ୍ରକ ଏସ୍ପି ୪ଟି ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ରାଉରକେଲା, ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ଦିଲ୍ଲୀ ଓ କୋଲକାତା ଯାଇଥିଲେ। ସେଥିରୁ ଗୋଟିଏ ଟିମ୍ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ଧରି ଓଡ଼ିଶା ଆଣୁଛି। କୁହାଯାଉଛି ଶର୍ମିଷ୍ଠାଙ୍କୁ ଫେରାର୍ କରିବାରେ ପରମେଶ୍ୱରଙ୍କର ହାତ ରହିଛି। ତେବେ ଏହି ହତ୍ୟାକାଣ୍ଡରେ ପରମେଶ୍ୱରଙ୍କ ହାତ ରହିଛି କି ନାହିଁ, ତାହା ଜଣାପଡ଼ି ନାହିଁ। ତଥାପି ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ପରମେଶ୍ୱରକୁ ଜେରା ପରେ ଶର୍ମିଷ୍ଠାଙ୍କ ପତ୍ତା ମିଳିବ ବୋଲି ପୁଲିସ୍ ଆଶା କରୁଛି।

nis-ad
Leave A Reply

Your email address will not be published.