ବ୍ରାହ୍ମଣୀ ନଦୀପଠାରେ ୭୦୦ ବର୍ଷ ମନ୍ଦିରର ଧ୍ୱଂସାବଶେଷ

ଢେଙ୍କାନାଳ,୨୩/୩ : ଢେଙ୍କାନାଳ ଜିଲ୍ଲା ତୁମୁସିଂହା ତହସିଲ ଅନ୍ତର୍ଗତ ରାୟନରସିଂହପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀପଠାରୁ ପ୍ରାୟ ୭୦୦ବର୍ଷରୁ ଅଧିକ ପୁରାତନ ଏକ ମନ୍ଦିରର ଧ୍ୱଂସାବଶେଷର ସନ୍ଧାନ ମିଳିଛି । ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଟ୍ରଷ୍ଟ୍‌ ଫର୍‌ ଆର୍ଟ ଆଣ୍ଡ କଲଚୁରାଲ୍‌ ହେରିଟେଜ୍‌ (ଇନ୍‌ଟାକ୍‌) ଏହାକୁ ଚିହ୍ନଟ କରିଛି ।

ସ୍ଥାନୀୟ କିଛି ଅଧିବାସୀ ଏହି ପ୍ରାଚୀନ ଐତିହ୍ୟ ସମ୍ପର୍କରେ ଇନଟାକର ପ୍ରକଳ୍ପ ସଂଯୋଜକ ଅନୀଲ ଧୀରଙ୍କୁ ସୂଚନା ଦେଇଥିଲେ । ଇନଟାକର ଐତିହ୍ୟ ଅନୁସନ୍ଧାନ ବିଭାଗରେ କାର୍ଯ୍ୟ କରୁଥିବା ପ୍ରକଳ୍ପ ସହାୟକ ଦୀପକ କୁମାର ନାୟକ ରାୟନରସିଂହପୁର ଗସ୍ତ କରି ଏହି ଐତିହାସିକ ସ୍ଥାନଟିର ପ୍ରାରମ୍ଭିକ ସର୍ବେକ୍ଷଣ କରିଛନ୍ତି ।

ଶ୍ରୀ ନାୟକ କହିଛନ୍ତି, ଏହି ପ୍ରାଚୀନ ମନ୍ଦିରଟି ବ୍ରାହ୍ମଣୀ ନଦୀର କୂଳରେ ଅବସ୍ଥିତ ଥିଲା । ହୁଏତ ବ୍ରାହ୍ମଣୀ ନଦୀରେ ଆସୁଥିବା ବନ୍ୟା ଯୋଗୁଁ ଅଥବା ନଦୀ ଏହାର ଗତିପଥରେ ପରିବର୍ତ୍ତନ ଆଣିଥିବାରୁ ଏହା ଭାଙ୍ଗିଯାଇଥିଲା । ଏବେ ପୁରୁଣା ମନ୍ଦିରର ବିଶାଳ ଅମଳକ ଶିଳା ନଦୀ କୂଳରେ ପଡ଼ିରହିଛି । ଯେଉଁ ସ୍ଥାନରେ ଏହା ପଡ଼ିରହିଛି ତାହା ଏକ ଛାଟ ଢ଼ିପ ସଦୃଶ ସ୍ଥାନ । ହୁଏତ ପୁରାତନ ମନ୍ଦିରର ମୂଳ ଅଂଶ ମଧ୍ୟ ସେହି ସ୍ଥାନରେ ଥିଲା । ସ୍ଥାନଟିର ଆଖପାଖରେ ଅନେକ କାରୁକାର୍ଯ୍ୟଯୁକ୍ତ ପ୍ରସ୍ତର ଖଣ୍ଡ ଦେଖିବାକୁ ମିଳୁଛି । ସେଥିମଧ୍ୟରେ ନାଗନାଗୀ, ନାୟିକା, ଅଳସକନ୍ୟା, ରାଜକୀୟ ମୂର୍ତ୍ତି ଆଦି ରହିଛି । ଏ ସବୁର ଗଠନଶୈଳୀକୁ ବିଚାର କଲେ ମନ୍ଦିରର ନିର୍ମାଣ ଅବଧି ଓଡ଼ିଶାରେ ଗଙ୍ଗବଂଶୀ ଶାସନ ସମୟ କିମ୍ବା ତାର ପୂର୍ବବର୍ତ୍ତୀ ସମୟର ହୋଇପାରେ ।

ସ୍ଥାନୀୟ ଅଧିବାସୀଙ୍କ ମତରେ ଏଠାରେ ଏକ ପ୍ରାଚୀନ ଶିବ ମନ୍ଦିର ଥିଲା । ପ୍ରାୟ ୬୦ ବର୍ଷ ତଳେ ଏଠାରୁ ଉଦ୍ଧାର ହୋଇଥିବା ଅନେକ ପ୍ରାଚୀନ ପ୍ରତିମା ଗ୍ରାମର ସିଦେ୍ଧଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ରଖାଯାଇଛି । ଇନଟାକର ପ୍ରକଳ୍ପ ସହାୟକ ଅନୀଲ ଧୀର ତୁରନ୍ତ ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ଖନନ କରିବାକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ଇନଟାକ ତରଫରୁ ଶେଷ କିଛି ବର୍ଷ ଧରି ହେଉଥିବା ଐତିହ୍ୟ ଅନ୍ୱେଷେଣରେ ପ୍ରାୟ ୯୦ରୁ ଅଧିକ ଜଳମଗ୍ନ/ଅର୍ଧଜଳମଗ୍ନ ମନ୍ଦିରର ସୂଚନା ରହିଛି । ନିକଟ ଅତୀତରେ ନୟାଗଡ଼ ଜିଲ୍ଲା ପଦ୍ମାବତୀ ଅଞ୍ଚଳରେ ଏହି ସଂସ୍ଥା ଦ୍ୱାରା ମହାନଦୀ ଗର୍ଭରୁ ଆବିଷ୍କୃତ ଗୋପୀନାଥ ମନ୍ଦିର ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏ ସମ୍ପର୍କରେ ଖୁବ୍‌ଶୀଘ୍ର ଇନଟାକ୍‌ ସରକାରଙ୍କୁ ଜଣାଇବ ବୋଲି ଶ୍ରୀ ଧୀର କହିଛନ୍ତି ।

nis-ad
Leave A Reply

Your email address will not be published.