ୟୁକ୍ରେନ ସହ ଯୁଦ୍ଧରେ ରୁଷ ପ୍ରାୟ ୧୦ ହଜାରରୁ ଅଧିକ ସୈନ୍ୟ ହରାଇଲାଣି

ମସ୍କୋ: ୟୁକ୍ରେନ ସହ ଯୁଦ୍ଧରେ ରୁଷ ପ୍ରାୟ ୧୦ ହଜାର ସୈନ୍ୟ ହରାଇଛି। ରୁଷ ସରକାରଙ୍କ ସମର୍ଥିତ ଗୋଟିଏ ଗଣମାଧ୍ୟମ ଏ ସମ୍ପର୍କରେ ଖବର ପ୍ରକାଶ କରିଛି। ତେବେ ରିପୋର୍ଟ ପ୍ରକାଶ ପାଇବାର କିଛି ସମୟ ପରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି।
ହେଲେ ରିପୋର୍ଟ ପ୍ରତ୍ୟାହାର ହେବା ପୂର୍ବରୁ ଏହାର ସ୍କ୍ରିନଶଟ୍‌ ଅନେକ ଲୋକ କ୍ୟାପଚର କରି ନେଇଛନ୍ତି। ଏହାର ଅର୍ଥ ୟୁକ୍ରେନ ସରକାର ରୁଷର କ୍ଷୟକ୍ଷତି ନେଇ ନିୟମିତ ଯେଉଁ ସବୁ ରିପୋର୍ଟ ଦେଉଥିଲେ, ତାହା ସତ ବୋଲି ଏହି ରିପୋର୍ଟ ପରେ ସ୍ପଷ୍ଟ ହୋଇଛି।
ରୁଷ ସରକାରଙ୍କୁ ସମର୍ଥନ କରୁଥିବା Komsomolskaya Pravda ୱେବସାଇଟ ରବିବାର ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଗୋଟିଏ ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ ୟୁକ୍ରେନ ଅଫିସିଆଲ ଦାବି କରିଥିବା ମୃତାହତ ସଂଖ୍ୟାକୁ ରୁଷର ଜଣେ ଅଧିକାରୀ ଖଣ୍ଡନ କରିଥିଲେ।
ୟୁକ୍ରେନ ସରକାର କହିଥିଲେ ଯେ ଯୁଦ୍ଧରେ ରୁଷର ୧୫ ହଜାରରୁ ଅଧି ସୈନ୍ୟ ପ୍ରାଣ ହରାଇ ସାରିଲେଣି। ତେବେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ ୟୁକ୍ରେନ ଯୁଦ୍ଧରେ ୯,୮୬୧ ଜଣ ଯବାନ ପ୍ରାଣ ହରାଇଛନ୍ତି ଓ ୧୬,୧୫୩ ଜଣ ଆହତ ହୋଇଥିବା କହିଥିଲେ। ଏହାକୁ Komsomolskaya Pravda ୱେବସାଇଟ ପ୍ରକାଶ କରିଥିଲା। ହେଲେ ସତ ସାମ୍ନାକୁ ଆସିଯିବାରୁ ୱେବସାଇଟ ତୁରନ୍ତ ଉକ୍ତ ରିପୋର୍ଟକୁ ହଟାଇ ଦେଇଛି।
ରୁଷ ୨୪ ଫେବୃଆରୀରୁ ୟୁକ୍ରେନ ଉପରେ ହମଲା ଜାରି ରଖିଛି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ୨୭ତମ ଦିନରେ ପହଞ୍ଚିଲାଣି। ଏହା ଥମିବା ପରବର୍ତ୍ତେ ଦିନକୁ ଦିନ ଘନେଇବାରେ ଲାଗିଛି। ଯୁଦ୍ଧ ଭିତରେ ୟୁକ୍ରେନ ସରକାର ରୁଷ ସେନା ସହିଥିବା କ୍ଷୟକ୍ଷତି ସମ୍ପର୍କରେ ଅନେକ ତଥ୍ୟ ମଧ୍ୟ ଦେଉଛନ୍ତି।
ହେଲେ ରୁଷ ଯବାନଙ୍କ ମୃତାହତ ସମ୍ପର୍କରେ ଶେଷଥର ପାଇଁ ମାର୍ଚ୍ଚ ୨ରେ ତଥ୍ୟ ଦେଇଥିଲା। ସେତେବେଳେ ରୁଷ କହିଥିଲା ଯେ ଯୁଦ୍ଧରେ ମସ୍କୋର ୪୬୧ ଜଣ ଯବାନ ପ୍ରାଣ ହରାଇଛନ୍ତି। ସେବେଠାରୁ ମୃତାହତଙ୍କ ସମ୍ପର୍କରେ ରୁଷ କେବଳ ନୀରବତା ଅବଲମ୍ବନ କରି ଚାଲିଛି।
ଗତ ସପ୍ତାହରେ ନ୍ୟୁୟର୍କ ଟାଇମ୍ସରେ ରୁଷ ଓ ୟୁକ୍ରେନ ଯୁଦ୍ଧର କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ୟୁକ୍ରେନ ସହ ଯୁଦ୍ଧରେ ରୁଷର ୭ ହଜାରରୁ ଅଧିକ ଯବାନ ପ୍ରାଣ ହରାଇ ସାରିଲେଣି। ସିଏନଏନ ମଧ୍ୟ ରୁଷ ୩ ହଜାରରୁ ୧୦ ହଜାର ସୈନ୍ୟ ହରାଇଥିବା ଦାବି କରିଛି। ହେଲେ ରୁଷ ସରକାର ବିଧିବଦ୍ଧ ଭାବେ କୌଣସି ଘୋଷଣା କରିନାହାନ୍ତି।

nis-ad
Leave A Reply

Your email address will not be published.