ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି, ବିଡ଼ିଓଙ୍କୁ ଅଭିଯୋଗ କଲେ ପରପଙ୍କା ଗ୍ରାମବାସୀ

ଦାରିଙ୍ଗବାଡ଼ି(୨୨/୦୩) : ମନରେଗା ଯୋଜନାରେ ଦିନକୁ ଦିନ ଦୁର୍ନିତ ବଢ଼ିବାରେ ଲାଗିଛି। ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଦୁର୍ନୀତି କମିବାର ନାଁ ଧରୁନାହିଁ। କିନ୍ତୁ ବିଭାଗୀୟ ଅଧିକାରୀ ସବୁ ଜାଣିଶୁଣି ଚୁପ। ଏଭଳି ଏକ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପରପଙ୍କା ଗ୍ରାମବାସୀ। ଏନେଇ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ରଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ପ୍ରକାରେ , କୁଟିମାହା ଛକ ଠାରୁ ଗ୍ରେଅଡ଼ି ମେଟାଲ ମୃରୁମ ରାସ୍ତା ୨୦୨୦ ମସିହା ଡିସେମ୍ବର ଓ ୨୦୨୧ ଜାନୁଆରୀ ମାସରେ ରାସ୍ତା କାମ ହୋଇ ବିଲ ହୋଇଥିବା ବେଳେ ଗତ ନଭେମ୍ବର ମାସରେ ପୁରୁଣା ପିଟ ଗୁଡିକୁ ସଜାଡ଼ି ଗ୍ରାମର ବୃଦ୍ଧ ବୃଦ୍ଧା, ବିକଳାଙ୍ଗ ଓ ଗ୍ରାମରେ ରହୁନଥିବା ଲୋକଙ୍କ ନାଁରେ ଲକ୍ଷାଧିକ ଟଙ୍କାର ମିଥ୍ୟାବିଲ କରି ଟଙ୍କା ହଡ଼ପ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହିତ ପରପଙ୍କା ଠାରୁ ପାଡ଼ିବାଡ଼ା ମେଟାଲ ଓ ମୁରୁମ ରାସ୍ତା କାମରେ ମଧ୍ୟ ୨୦୨୦ ମସିହା ଡିସେମ୍ବର ଓ ୨୦୨୧ ଜାନୁଆରୀ ଓ ଫେବୁଆରୀ ମାସରେ ୮ ଶହ ଶ୍ରମ ଦିବସ ମଧ୍ୟରେ କାମ ହୋଇଥିବା ବେଳେ ଗତ ନଭେମ୍ବର ମାସ ୨ ଶହ ଶ୍ରମ ଦିବସ ମଧ୍ୟରେ କାମ ହୋଇ ୮ ଶହ ଶ୍ରମ ଦିବସର ୧ ଲକ୍ଷ ୬୦ ହଜାର ମିଥ୍ୟା ବିଲ ହୋଇଥିବା ପରପଙ୍କା ଗ୍ରାମର ୱାର୍ଡମେମ୍ବର ନବିତା ପ୍ରଧାନ ସମେତ ଗ୍ରାମର ଗୁମାନସିଂ ପ୍ରଧାନ, ଦାରସିଂ ପ୍ରଧାନ, ଉଦୟନାଥ ପ୍ରଧାନ, ପବିତ୍ର ପ୍ରଧାନ, ପିଙ୍କି ପ୍ରଧାନ, ରିଙ୍କି ପ୍ରଧାନ, ସୁଜାତା ପ୍ରଧାନ, ପବିତ୍ର ପ୍ରଧାନ, ନର୍ତ୍ତମ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିପରି ପେଟ୍ରୋଲ ପମ୍ପ ଠାରୁ ପରପଙ୍କା ଗ୍ରାମକୁ ରାସ୍ତା ନିର୍ମାଣ କାମ, ସାମରିବାଡ଼ି ଜମି ଉନ୍ନୟନ କାମ, ଗ୍ରେଓଡ଼ି ଜମି ଉନ୍ନୟନ କାମ, ମକପାଟା ଜମି ଉନ୍ନୟନ କାମରେ ମଧ୍ୟ ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ କରାଯାଇ ଉକ୍ତ ଟଙ୍କାକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି।

ମନରେଗା କାର୍ଯ୍ୟକୁ ତଦାରଖ କରିବା ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ ଅଧିକାରୀ ମାନେ ନିଯୁକ୍ତି ହୋଇଥିଲେ ସୁଧା ତଦାରଖ ଅଭାବରୁ ଏଭଳି ଦୁର୍ନୀତି ବୃଦ୍ଧି ପାଉଥିବା ଅଂଚଳବାସୀ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରାଯାଇ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରପଙ୍କା ଗ୍ରାମବାସୀ ଦାବି କରିଛନ୍ତି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ ଗଦାଧର ପାତ୍ର ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇ ଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.