ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ୪୦୧୩ କୋଟି ଟଙ୍କା ମଞ୍ଜୁର କଲା ନାବାର୍ଡ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ଲାଗି ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଓଡ଼ିଶା ସରକାରଙ୍କୁ ୪,୦୧୩ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର ସମ୍ପର୍କରେ ଘୋଷଣା କରାଯାଇଛି । ଗ୍ରାମୀଣ ଭିତ୍ତିଭୂମି ଉନ୍ନତିକରଣ ପାଣ୍ଠି (ଆର୍‌ଆଇଡିଏଫ୍‌) ଅଧିନରେ ୨୦୨୧-୨୨ ଲାଗି ଏହି ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ରାଜ୍ୟର ଗ୍ରାମୀଣ ସଂଯୋଗୀକରଣ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ।

ରାଜ୍ୟକୁ ପ୍ରଦାନ କରାଯାଇଥିବା ମୋଟ ଅର୍ଥ ମଧ୍ୟରୁ ଏଥିଲାଗି ୨,୫୬୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଏହା ମୋଟ ଅର୍ଥର ପ୍ରାୟ ୬୪% ହେବ । ବିଶେଷ କରି ରାସ୍ତାଘାଟ ଏବଂ ପୋଲ ନିର୍ମାଣ କ୍ଷେତ୍ରରେ ଏହି ଅର୍ଥ ବ୍ୟୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ୧୦ ଲକ୍ଷ ଲୋକ ଲାଭବାନ ହୋଇପାରିବେ । ୨ ହଜାର କିମି ରାସ୍ତାଘାଟ ନିର୍ମାଣ, ଉନ୍ନତୀକରଣ ଏବଂ ୧୭ କିମିର ବ୍ରିଜ ନିର୍ମାଣ କରିବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି । ସେହିଭଳି ପାନୀୟ ଜଳ ଯୋଗାଣ କ୍ଷେତ୍ରକୁ ଏଥିରେ ଗୁରୁତ୍ୱ ଦିଆଯାଇଛି । ଏଥିଲାଗି ୮୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାରା ୯ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ କରାଯିବ । ଫଳରେ ଗ୍ରାମାଞ୍ଚଳରେ ବାସକରୁଥିବା ୧୭ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣରେ ଏହା ସହାୟକ ହେବ ।

କୃଷି ଆନୁଷଙ୍ଗିକ ଏବଂ ଜଳସେଚନ କ୍ଷେତ୍ରକୁ ୬୦୫ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଣ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ମଧ୍ୟରେ କୁସୁମି ଜଳସେଚନ ପ୍ରକଳ୍ପ, ବ୍ରହ୍ମପୁରସ୍ଥିତ ଓବିପିଆଇରେ ପଶୁ ସମ୍ପଦ ଲାଗି ଟିକା ପ୍ରସ୍ତୁତି, ବିକେଭିୱାଇ ଏବଂ ଜଳନୀଧି ସ୍କିମରେ କ୍ଲଷ୍ଟର ଉଠା ଜଳସେଚନ ପ୍ରକଳ୍ପ ଏବଂ ବନ୍ୟା ସୁରକ୍ଷା ପଦକ୍ଷେପ ସାମିଲ ରହିଛି । ଏହି ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି କରିବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ବେଶ ସହାୟକ ହେବ । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷକୁ ସାମିଲ କରି ଅଦ୍ୟାବଧି ଆର୍‌ଆଇଡିଏଫ୍‌ ରେ ଓଡ଼ିଶାକୁ ୩୨,୧୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

nis-ad
Leave A Reply

Your email address will not be published.