ବାବା ବଳିଆ ଓ ଶ୍ୟାମାମଣିଙ୍କୁ ପଦ୍ମଶ୍ରୀ, ସଚ୍ଚିଦାନନ୍ଦ ସ୍ୱାମୀଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସମାଜ ପ୍ରତି ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ‘ପଦ୍ମ’ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି କ୍ରମରେ ୩ଜଣ ବିଶିଷ୍ଟ ଓଡିଆ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।

ଜଗତସିଂହପୁରର ଆଧ୍ୟାତ୍ମିକ ଗୁରୁ ବାବା ବଳିଆ, ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଶ୍ୟାମାମଣୀ ଦେବୀ ଓ ନରସିଂହ ପ୍ରସାଦ ଗୁରୁଙ୍କୁ ସୋମବାର ପଦ୍ମଶ୍ରୀ ସମ୍ନାନରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିସହ ରାଷ୍ଟ୍ରପତି ରାମନାଥ ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ଭାବେ ‘ପଦ୍ମ ବିଭୁଷଣ’ ସମ୍ମାନରେ ସମ୍ମାନୀତ କରିଛନ୍ତି ।

ଗୀତା ପ୍ରେସର ଦିଂବଗତ ଅଧ୍ୟକ୍ଷ ରାଧେ ଶ୍ୟାମଙ୍କୁ ମଧ୍ୟ ପଦ୍ମ ‘ପଦ୍ମ ବିଭୁଷଣ’ ସମ୍ମାନ ମିଳିଛି । ସେହିପରି କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ‘ପଦ୍ମ ଭୁଷଣ’ରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ। ପଦ୍ମ ଭୁଷଣ ସମ୍ମାନରେ ସମ୍ମାନୀତ ହୋଇଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି, ପଞ୍ଜାବୀ ଗାୟକ ଗୁରମିତ ବନା(ମରଣୋତ୍ତର), ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ, ପୂର୍ବତନ CAG ରାଜୀବ ମେହର୍ଷୀ ଓ କୋଭିସିଲ୍ଡ ନିର୍ମାତା ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ସେରସ ପୁନୱାଲା ।

ପଦ୍ମ ପୁରସ୍କାର ତିନୋଟି ବର୍ଗରେ- (ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ) ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ବିଭିନ୍ନ କ୍ଷେତ୍ର ଯେପରକି-କଳା, ସାମାଜିକ କାର୍ଯ୍ୟ, ଜନସଂପର୍କ, ବିଜ୍ଞାନ, ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡା ଓ ନାଗରିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଥାଏ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯାଏ । ପରେ ରାଷ୍ଟ୍ରପତି ଭବନରେ ଏକ ଭବ୍ୟ ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଏ ।

ପଦ୍ମ ବିଭୁଷଣ ସମ୍ମାନ ଅସାଧାରଣ ଓ ଅତିଉତ୍କୃଷ୍ଟ ସେବା ପାଇଁ ମିଳିଥାଏ । ଆଜି(ସୋମବାର) ପ୍ରଥମ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କୋବିନ୍ଦ ଦୁଇଟି ପଦ୍ମ ବିଭୂଷଣ, ୮ଟି ପଦ୍ମ ଭୂଷଣ ସମେତ ମୋଟ ୫୪ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ମୋଟ ୧୨୮ଜଣଙ୍କୁ ପଦ୍ମ ପୁରସ୍କାର ମିଳିବା ନେଇ ଗଣତନ୍ତ୍ର ଦିବସରେ ଘୋଷଣା କରିଛନ୍ତି ଭାରତ ସରକାର । ଏଥିରେ ୪ଜଣଙ୍କୁ ପଦ୍ମ ବିଭୁଷଣ, ୧୭ ଜଣଙ୍କୁ ପଦ୍ମ ଭୁଷଣ ଓ ୧୦୭ ଜଣଙ୍କୁ ପଦ୍ମ ଶ୍ରୀ ପୁରସ୍କାର ମିଳିବ । ୧୩ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ କରାଯିବ । ମାର୍ଚ୍ଚ ୨୮ରେ ଦ୍ବିତୀୟ ନାଗରିକ ସେବା ସମ୍ମାନ କାର୍ଯ୍ୟକ୍ରମର ସୂଚୀ ରହିଛି ।

nis-ad
Leave A Reply

Your email address will not be published.