ଶର୍ମିଷ୍ଠା ରାଉତଙ୍କୁ ଖୋଜିବା ପାଇଁ ରାଜ୍ୟ ବାହାରକୁ ଯିବ ପୁଲିସ୍‌

ଚାନ୍ଦବାଲି: ପାୱାର୍‌ କରିର୍ଡରରେ ସକ୍ରିୟ ଥିବା କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ କେଉଁଠି? ତାକୁ କାହିଁକି ପୁଲିସ୍‌ ଧରିପାରୁ ନାହିଁ? ଏହାକୁ ନେଇ ନାନା ସସ୍‌ପେନ୍ସ ଜାରି ରହିଥିବା ବେଳେ ଶର୍ମିଷ୍ଠାକୁ ଧରିବା ପାଇଁ ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ତିନିଟି ଟିମ୍‌ ଗଠନ କରିଛନ୍ତି।

ଦୁଇଟି ଟିମ୍‌ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ବେଳେ ଆଉ ଗୋଟିଏ ଟିମ୍‌ ରାଜ୍ୟ ବାହାରକୁ ଯାଉଛି। ଚାନ୍ଦବାଲି ଥାନା ଆଇଆଇସି କରୁଣାକର ରାଉତଙ୍କ ନେତୃତ୍ୱରେ ଏକ ଟିମ୍‌ ରାଜ୍ୟ ବାହାରକୁ ଯାଉଛି। ଟିମ୍‌ ଗଠନ ନେଇ ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପ ସୂଚନା ଦେଇଛନ୍ତି।

ସେପଟେ ଶର୍ମିଷ୍ଠାଙ୍କ ସହିତ ଫେରାର ଥିବା ଜଣେ ଯୁବକଙ୍କ ପରିଚୟ ମିଳିଛି। ତା’ ନାଁ ହେଉଛି ରାଜ ନାୟକ। ଖଣ୍ଡଗିରି ବରବାରୀରେ ତାଙ୍କର ଗୋଟିଏ ମୋବାଇଲ୍‌ ଦୋକାନ ରହିଛି। ଏହାଛଡ଼ା ସେ ସେଠାରେ ଭିଡିଓ ଓ ଫଟୋ ସୁଟ୍‌ ମଧ୍ୟ କରୁଥିଲା। ଗତ ୨୦ ଦିନ ହେଲା ସେହି ଦୋକାନ ବନ୍ଦ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ରାଜ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଥିବାରୁ ଶର୍ମିଷ୍ଠାଙ୍କ ସହିତ ତାଙ୍କର ସମ୍ପର୍କ ଥାଇପାରେ। ତେଣୁ ସେ ଶର୍ମିଷ୍ଠାଙ୍କ ସହିତ ଫେରାର ହୋଇଥାଇପାରନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ୱାଇଁ ଭୁବନେଶ୍ୱରରେ ‘ସମ୍ପୂର୍ଣ୍ଣା’ ନାମକ ଏକ ୱେବ୍‌ ପୋର୍ଟାଲ ରେ କ୍ୟାମେରା ମ୍ୟାନ୍‌ ଭାବେ କାମ କରୁଥିଲେ। ସେଠାରେ କାମ କରିବାର କିଛି ଦିନ ପରେ ଚାକିରି ଛାଡ଼ି ଦେଇଥିଲେ। ଚାକିରି ଛାଡ଼ିବା ବେଳେ ମାନସ ୱେବ୍‌ ପୋର୍ଟାଲର କିଛି ଗୁପ୍ତ ତଥ୍ୟ ଥିବା ମେମୋରୀ ଚିପ୍‌ ନେଇଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଚଳିତ ହୋଇପଡ଼ିଥିଲେ ୱେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ। ଚୋରି କରିଥିବା ମେମୋରୀ ଚିପ୍‌ ଫେରାଇବାକୁ ଅନୁରୋଧ କରିଥିଲେ। ହେଲେ ଧରାଛୁଆଁ ଦେଇନଥିଲେ ମାନସ। ଯାହାକୁ ନେଇ ଶର୍ମିଷ୍ଠା ରାଉତ ଚିନ୍ତାରେ ପଡ଼ି ଯାଇଥିଲେ। ଆଉ ତା’ପରେ ମାନସକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।

ଯୋଜନା ମୁତାବକ ମାନସ ଚାନ୍ଦବାଲିରୁ ଫେରୁଥିବା ବେଳେ ଅପହରଣ କରିନେଇଥିଲେ। ତା’ପରେ ତାଙ୍କୁ ମାଡ଼ ମାରିଥିଲେ। ମାଡ଼ ମାରୁ ମାରୁ ତାର ମୃତ୍ୟୁ ଘଟିଥିଲା। ଏହା ପରେ ମୃତଦେହକୁ ପୋତି ଦେଇଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିଲା। ମାତ୍ର ଏବେ ମଧ୍ୟ ୩ ଜଣ ଫେରାର ଅଛନ୍ତି। ସେମାନଙ୍କ ମଧ୍ୟ ଶର୍ମିଷ୍ଠା ମଧ୍ୟ ଅଛନ୍ତି। ତାଙ୍କୁ ଧରିବା ପାଇଁ ପୁଲିସ୍‌ ରାଜ୍ୟ ବାହାରକୁ ଯାଇଛି।

nis-ad
Leave A Reply

Your email address will not be published.