କିଛି ବର୍ଷ ପରେ କଶ୍ମୀରରେ ଆଉ ସିଆରପିଏଫର ଆବଶ୍ୟକ ପଡ଼ିବନି

ଶ୍ରୀନଗର: ଦେଶର ସବୁଠାରୁ ବଡ଼ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫର ଆଜି ହେଉଛି ପ୍ରତିଷ୍ଠା ଦିବସ। ଏହି ଅବସରେ ସିରିଆରପିଏଫ ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଥିସହ ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀର ଓ ଉତ୍ତରପୂର୍ବ ଅଞ୍ଚଳରେ ସିଆରପିଏଫ ଯବାନଙ୍କ ଆବଶ୍ୟକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।
ପ୍ରଥମଥର ପାଇଁ କେନ୍ଦ୍ର ସରକାର କଶ୍ମୀରରେ ବିପୁଳ ସଂଖ୍ୟାରେ ସିଆରପିଏଫ ଯବାନ ମୁତୟନ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି ଓ ସେମାନଙ୍କୁ ନିର୍ଦ୍ଦିଷ୍ଟ ଟାର୍ଗେଟ ପୂରଣ କରିବା ପାଇଁ ଆଉ କିଛି ବର୍ଷ ସମୟ ଲାଗିବ ବୋଲି ସ୍ପଷ୍ଟ କରିଛନ୍ତି।
ଶ୍ରୀନଗରର ମୌଲାନା ଆଜାଦ ଷ୍ଟାଡିୟମରେ ଆୟୋଜିତ ସିଆରପିଏଫର ୮୩ତମ ରାଇଜିଂ ଡେ’ ପ୍ୟାରେଡରେ ଆଜି ଶ୍ରୀ ଶାହ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି, “କଶ୍ମୀର, ନକ୍ସଲ ଓ ଉତ୍ତରପୂର୍ବ ଅଞ୍ଚଳରେ ସିଆରପିଏଫ ଯେଉଁଭଳି କାମ କରୁଛି, ତା’କୁ ଦେଖି ମୁଁ ନିଶ୍ଚିତ ଯେ ଆଉ କିଛି ବର୍ଷ ପରେ ଏହି ୩ ରିଜନରେ ଆମେ ଆଉ ସିଆରପିଏଫର ଆବଶ୍ୟକ କରିବା ନାହିଁ। ଏହି ୩ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇ ସାରିଥିବ ବୋଲି ମୁଁ ନିଶ୍ଚିତ। ଯଦି ଏମିତ ହୁଏ, ତା’ହେଲେ ସବୁର ଶ୍ରେୟ ସିଆରପିଏଫକୁ ଯିବ।”
ବର୍ତ୍ତମାନ କଶ୍ମୀରରରେ ବିପୁଳ ସଂଖ୍ୟାରେ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ମୋଟ କ୍ଷମତାର ଏକ ଚତୁର୍ଥାଂଶ ଯବାନ କଶ୍ମୀର ଦାୟିତ୍ୱରେ ରହିଛନ୍ତି। ସିଆରପିଏଫ ବ୍ୟତୀତ ଜମ୍ମୁ-କଶ୍ମୀର ପୁଲିସ୍‌, ଆର୍ମି, ବିଏସଏଫ, ଆଇଟିବିପି ଓ ଏସଏସବି ଯବାନମାନେ ମଧ୍ୟ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି।
ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଆହୁରି କହିଛନ୍ତି, “ମୁଁ ଭାବୁଛି ଧାରା ୩୭୦ ଉଚ୍ଛେଦ ହେବା ପରେ ସୁରକ୍ଷାକର୍ମୀମାନେ ପାକ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେଇଛନ୍ତି। ସେମାନେ ଆତଙ୍କବାଦ ବିରୋଧରେ ଲଢ଼େଇ କରି ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା କରିପାରିଛନ୍ତି।”

nis-ad
Leave A Reply

Your email address will not be published.