ମଣିପୁର ଓ ଗୋଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ସୁଯୋଗ

ନୂଆଦିଲ୍ଲୀ: ମଣିପୁର ଓ ଗୋଆରେ କିଏ ମୁଖ୍ୟମନ୍ତ୍ରୀ ହେବେ ତା’କୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେପି ହାଇକମାଣ୍ତ ପୁଣିଥରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରିପିଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଗୋଆରେ ପ୍ରମୋଦ ସାୱନ୍ତ ଓ ମଣିପୁରରେ ଏନ ବୀରେନ ସିଂହ ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିଜେପି ଏହି ଦୁଇ ରାଜ୍ୟରେ ସରାକାର ଗଠନ କରିବାକୁ ଜନମତ ପାଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଭିତରେ ଟଣାଓଟରା ଚାଲିଥିଲା। ଶେଷରେ ଦଳର ହାଇକମାଣ୍ଡ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇ ସବୁ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରିଛନ୍ତି।
ମଣିପୁର ଓ ଗୋଆ ବ୍ୟତୀତ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ କରିବ। ସରକାରର ରୂପରେଖ କେମିତି ହେବ ଓ କିଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ତା’ଉପରେ ମଙ୍ଗଳବାର ସନ୍ଧ୍ୟାରେ ବରିଷ୍ଠ ବିଜେପି ନେତାମାନେ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଏହି ବୈଠକ ହୋଇଥିଲା। ଶେଷରେ ମଣିପୁରରେ ବୀରେନ ସିଂହ ଓ ଗୋଆରେ ପ୍ରମୋଦ ସାୱନ୍ତ କମାଣ ସମ୍ଭାଳିବେ ବୋଲି ନିଷ୍ପତ୍ତି ହୋଇଛି। ହୋଲି ପରେ ଉଭୟ ରାଜ୍ୟରେ ଶପଥ ପାଠ କାର୍ଯ୍ୟକ୍ରମ ହେବ। ସେହିପରି ଗତକାଲିର ନିଷ୍ପତ୍ତି ପରେ ଆଜି ଶ୍ରୀ ସାୱନ୍ତ ଓ ବୀରେନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମଣିପୁର ବିଧାନସଭା ନିର୍ବାଚନ ବେଳେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନଥିଲା। ବିଜେପି ଏଠାରେ ଜିତିବା ପରେ ଏନ ବୀରେନ ସିଂହଙ୍କ ବ୍ୟତୀତ ବିଶ୍ୱଜିତ ସିଂହ ଓ କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଗୋବିନ୍ଦଦାସ ସିଂହଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ରେସରେ ରହିଥିଲା। ସମସ୍ତଙ୍କୁ ପଛରେ ପକାଇ ବୀରେନ ସିଂହ ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ମଣିପୁରରେ ବିଜେପି ଏକାକୀ ୬୦ ଆସନରେ ପ୍ରାର୍ଥୀ ଦେଇଥିଲା। ଏହା ମଧ୍ୟରୁ ଦଳ ୩୨ଟିରେ ବାଜିମାତ କରି ସରକାର ଗଠନ କରିବାକୁ ଯାଉଛି।
ଅନ୍ୟପକ୍ଷରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାର ନିର୍ବାଚନରେ ବିଜେପି ଏକାକୀ ୨୦ ଆସନ ଜିତି ସର୍ବବୃହତ୍ତ ଦଳର ମାନ୍ୟତା ପାଇଛି। ହେଲେ ଏହି ସଂଖ୍ୟା ମ୍ୟାଜିକ ନମ୍ବର ୨୧ ଠାରୁ ଗୋଟିଏ କମ। ଏପରି ସ୍ଥିତିରେ ୩ ଜଣ ସ୍ୱାଧୀନ ବିଧାୟକ ଓ ଏମଜିପିର ୨ ଜଣ ବିଧାୟକ ବିଜେପିକୁ ସମର୍ଥନ କରିଛନ୍ତି। ତେଣୁ ହୋଲି ପରେ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର କାର୍ଯ୍ୟ ଆରମ୍ଭ କରିବ।
ହେଲେ ଏଠାରେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପୂର୍ବରୁ ଗୋଆର ମୁଖ୍ୟମନ୍ତ୍ରୀ ଥିବା ପ୍ରମୋଦ ସାୱନ୍ତ ରେସରେ ଆଗରେ ରହିଥିଲେ। ଏପରି କି ସେ ଦିଲ୍ଲୀ ଯାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିଥିଲେ।
ହେଲେ ବିଜେପିର ଅନ୍ୟତମ ବରିଷ୍ଠ ନେତା ବିଶ୍ୱଜିତ ରାଣେ ବି ମୁଖ୍ୟମନ୍ତ୍ରୀ ହେବାକୁ ଗୋଡ଼ ଟେକି ଥିବା ଖବର ମିଳିଥିଲା। ଅବଶ୍ୟ ସେ ସିଧାସଳଖ ଏ ବିଷୟରେ କିଛି ବି କହି ନଥିଲେ। କିନ୍ତୁ ତାଙ୍କ ପତ୍ନୀ ଦିବ୍ୟା ମୁଖ୍ୟମନ୍ତ୍ରୀ ହେବାକୁ ସବୁ ନେତା ଚାହାନ୍ତି ବୋଲି କହିବା ପରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଥିଲା। ଏସବୁ ଭିତରେ ବିଜେପି ହାଇକମାଣ୍ଡ ପ୍ରମୋଦ ସାୱନ୍ତଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

nis-ad
Leave A Reply

Your email address will not be published.