ନିର୍ବାଚନୀ ରାଜନୀତିରେ ଫେସବୁକର ହସ୍ତକ୍ଷେପକୁ ସୋନିଆଙ୍କ ବିରୋଧ

ନୂଆଦିଲ୍ଲୀ: ଭାରତର ନିର୍ବାଚନୀ ରାଜନୀତିରେ ଫେସବୁକ ଓ ଅନ୍ୟ ସୋଶାଲ ମିଡିଆ କମ୍ପାନୀର ‘ବ୍ୟବସ୍ଥିତ ହସ୍ତକ୍ଷେପ’ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଲୋକସଭାରେ ସୋନିଆ ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ତେର୍ଚ୍ଚାବାଣ ମଧ୍ୟ ମାରିଛନ୍ତି।
ଲୋକସଭାର ଶୂନ୍ୟ କାଳରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ। ଅନ୍ତର୍ଜାତୀୟ ଗଣମାଧ୍ୟମ Al Jazeera and The Reporters’ Collectiveରେ ପ୍ରକାଶିତ ଗୋଟିଏ ରିପୋର୍ଟ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଫେସବୁକ ଅନ୍ୟ ଦଳ ଗୁଡ଼ିକ ତୁଳନାରେ ବିଜେପି ଠାରୁ ନିର୍ବାଚନୀ ବିଜ୍ଞାପନ ପାଇଁ ଅଳ୍ପ ଟଙ୍କାରେ ସୁବ୍ୟବସ୍ଥିତ ଡିଲ୍‌ କରୁଥିବା ଦାବି କରାଯାଇଛି। ଏହାକୁ ଆଧାର କରି ସୋନିଆ କହିଛନ୍ତି, “ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚନୀ ରାଜନୀତିରେ ଫେସବୁକ ଓ ଅନ୍ୟ ସୋଶାଲ ମିଡିଆ କମ୍ପାନୀର ଏପରି ବ୍ୟବସ୍ଥିତ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ।
ତେଣୁ ଏହା ଉପରେ ତୁରନ୍ତ ରୋକ ଲଗାଇବା ପାଇଁ ମୁଁ ସରକାରଙ୍କୁ ଅନୁରୋଧ କରୁଛି। ଆମକୁ ଗଣତନ୍ତ୍ର ଓ ସାମାଜିକ ସଦଭାବର ସୁରକ୍ଷା କରିବାକୁ ପଡ଼ିବ। କ୍ଷମତାରେ ଯିଏ ବି ଥାଆନ୍ତୁ, ସମସ୍ତେ ଗଣତନ୍ତ୍ର ସୁରକ୍ଷା କରିବା ଦରକାର। ଗଣତାନ୍ତ୍ରିକ ବିଧିବ୍ୟବସ୍ଥାର ଉଯୁକ୍ତ ସୁରକ୍ଷା ପାଇଁ ନିର୍ବାଚନୀ ରାଜନୀତିରେ ସୋଶାଲ ମିଡିଆର ହସ୍ତକ୍ଷେପ ଆଦୌ ଠିକ୍‌ ନୁହେଁ। ଏପରି ଆଚରଣ ଗଣତନ୍ତ୍ରକୁ କ୍ଷତି କରିବ। ଗଣତନ୍ତ୍ର ସବୁବେଳେ ରାଜନୀତି ଦଳ ଓ ରାଜନୀତିରୁ ଉପରେ। ତେଣୁ ସମସ୍ତଙ୍କୁ ଏହାର ସୁରକ୍ଷା କରିବାକୁ ପଡ଼ିବ।”
ସୋନିଆ ଗାନ୍ଧି ଆହୁରି କହିଛନ୍ତି, ସୋଶାଲ ମିଡିଆର ଦ୍ୱାରା ଯୁବଗୋଷ୍ଠୀଙ୍କ ମୁଣ୍ଡରେ ଘୃଣା ଓ ବିଦ୍ୱେଷ ସୃଷ୍ଟି କରାଯାଉଛି। ତେଣୁ ସରକାର ଏହା ଉପରେ ରୋକ ଲଗାଇବା ଦରକାର। ସୋଶାଲ ମିଡିଆ ବେଶ ବିପଦଜନକ ଭାବେ ଆମ ଗଣତନ୍ତ୍ରକୁ ହ୍ୟାକ କରୁଛି। ଫେସବୁକ ଓ ଟ୍ୱିଟର ଭଳି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ବେଶ ସକ୍ରିୟ ଭାବେ କିଛି ନିର୍ଦ୍ଦଷ୍ଟ ପ୍ରସଙ୍ଗକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।
ସେମାନେ ରାଜନୀତିକ ଅପପ୍ରଚାରର ଭାଗିଦାରୀ ଭାବେ କାମ କରୁଛନ୍ତି। ସବୁ ରାଜନୀତିକ ଦଳକୁ ସମାନ ଭାବେ ସୁଯୋଗ ସୋଶାଲ ମିଡିଆ କମ୍ପାନୀଗୁଡ଼ିକ ଦେଉ ନଥିବା ବାରମ୍ବାର ସର୍ବସମ୍ମୁଖରେ ରିପୋର୍ଟ ପ୍ରକାଶ ପାଉଛି। ଶାସକ ଦଳର କଥାରେ ଫେସବୁକ ଆମ ସାମାଜିକ ସଦଭାବକୁ ବିପଦଜନକ ଭାବେ କ୍ଷୁଣ୍ଣ କରୁଛି। ତେଣୁ ଆମକୁ ଏହାର ସୁରକ୍ଷା କରିବାକୁ ପଡ଼ିବ ବୋଲି ସୋନିଆ କହିଛନ୍ତି।

nis-ad
Leave A Reply

Your email address will not be published.