ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ: ପୂର୍ବତନ ନ୍ୟାଶନାଲ ଅଡିଟରଙ୍କ ଉପରେ ସିବିଆଇର ଆଖି

ନୂଆଦିଲ୍ଲୀ: ପୁଣିଥରେ ଫେରିଛି ବହୁ ଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲ୍‌ କଳେଙ୍କାରୀ। ଏହି ଡିଲରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ସିବିଆଇ ଏହାର ଖୋଳତାଡ଼ କରୁଛି। ଏବେ ଘଟଣାରେ ପୂର୍ବତନ ନ୍ୟାଶନାଲ ଅଡିଟର ଏସକେ ଶର୍ମା ଓ ପୂର୍ବତନ ଏୟାର ଭାଇସ ମାର୍ଶଲ ଯଶବୀର ସିଂହ ପାନେସରଙ୍କ ନାଁ ସାମ୍ନାକୁ ଆସିଛି। ଏମାନଙ୍କ ନାଁ ସିବିଆଇ ଚାର୍ଜଶିଟରେ ରହିଥିବା ଜଣାପଡ଼ିଛି। ତେଣୁ ଏମାନଙ୍କୁ ମଧ୍ୟ ସିବିଆଇ ମାମଲାର ସାମ୍ନା କରିବାକୁ ପଡ଼ିବ।
ଦେଶର ଭିଭିଆଇପିଙ୍କ ପାଇଁ ହେଲିକପ୍ଟ କିଣାଯାଇଥିଲା। ତେବେ ଏହି ଡିଲ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିର ମଧ୍ୟସ୍ଥି ଖ୍ରୀଷ୍ଟିୟାନ ମିଶେଲଙ୍କୁ ସିବିଆଇ ଜେରା କରି ପର୍ଯ୍ୟାୟକ୍ରମେ ବିଭିନ୍ନ ପ୍ରକାରର ତଥ୍ୟ ଯୋଗାଡ଼ କରିବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାୟୀ, ସିବିଆଇ ଏସକେ ଶର୍ମା ଓ ଯଶବୀରଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ଚାହୁଁଛି। ଏଥିପାଇଁ ସିବିଆଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଠାରୁ ଅନୁମତି ଲୋଡ଼ିଛି। ଶ୍ରୀ ଶର୍ମା ଦେଶର ସିଏଜି ଓ ପ୍ରତିରକ୍ଷା ସଚିବ ଭାବେ କାମ କରିଥିଲେ। ସେ ପ୍ରଥମେ ୨୦୦୩ରୁ ୨୦୦୭ ଯାଏ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୁଗ୍ମ ସଚିବ(ଏୟାର) ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ୨୦୧୧-୧୩ ଯାଏ ପ୍ରତିରକ୍ଷା ସଚିବ ଓ ୨୦୧୩ରୁ ୨୦୧୭ ଯାଏ ଅଡିଟର ଭାବେ କାମ କରିଛନ୍ତି।
ଏହି ଦୁଇ ଅଧିକାରୀଙ୍କ ବ୍ୟତୀତ ସିବିଆଇ ଡେପୁଟି ଚିଫ ଟେଷ୍ଟଂ ପାଇଲଟ ଏସ୍କେ କୁଣ୍ଟେ, ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଥୋମାସ ମାଥ୍ୟୁ ଓ ଗ୍ରୁପ କ୍ୟାପ୍ଟେନ ଏନ ସନ୍ତୋଷଙ୍କ ବିରୋଧରେ ମଧ୍ୟ ମାମଲା ଚଳାଇବାକୁ ଚାହୁଁଛି।
ସୂଚନାଯୋଗ୍ୟ, ସିବିଆଇର ସ୍ୱତନ୍ତ୍ର ଟିମ ୨୦୧୬ରେ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଡିଲର ତଦନ୍ତ ଦାୟିତ୍ୱ ନେଇଥିଲା। ଏହାପରେ ୨୦୧୭ ସେପ୍ଟେମ୍ବର ୧ରେ ପୂର୍ବତନ ଏୟାର ଚିଫ ମାର୍ଶଲ ଏସ୍‌ପି ତ୍ୟାଗୀ ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ପ୍ରଥମ ଚାର୍ଜଶିଟ ଦାଖଲ କରିଥିଲା।
ସିବିଆଇ ଚାର୍ଜଶିଟ୍‌ ଅନୁଯାୟୀ, ମିଶେଲ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ସହ ଦୁଇଟି ଚୁକ୍ତି କରିଥିଲେ। ଗୋଟିଏ ୪୨ ମିଲିୟନ ୟୁରୋ ଏବଂ ଅନ୍ୟଟି ୨୮ ମିଲିୟନ୍ ୟୁରୋ। ତେବେ ୪୨ ମିଲିୟନ୍‌ ୟୁରୋ ଚୁକ୍ତିକୁ ପରବର୍ତ୍ତୀ ଅବସ୍ଥାରେ ୩୦ ମିଲିୟନ୍‌ ୟୁରୋକୁ ହ୍ରାସ କରାଯାଇଥିଲା। ଫ୍ୟାମିଲ୍‌ ଅର୍ଥାତ ପୂର୍ବତନ ବାୟୁସେନା ମୁଖ୍ୟ ଏସ୍‌ପି ତ୍ୟାଗୀଙ୍କ ପରିବାରର ଲବି ଅନୁସାରେ ଏଭଳି ଚୁକ୍ତି ହୋଇଥିଲା।
ଭାରତ ସରକାର ୨୦୧୦ରେ ୧୨ଟି ଭିଭିଆଇପି ହେଲିକପ୍ଟର କିଣିବାକୁ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ କମ୍ପାନୀ ସହ ୩୬୦୦ କୋଟି ଟଙ୍କାର ଚୁକ୍ତି କରିଥିଲେ। ତେବେ ଏଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି।

nis-ad
Leave A Reply

Your email address will not be published.