ଗୋଲ୍ଡେନ ବାବା ନିଖୋଜ

କାନପୁର: ଗୋଲ୍ଡେନ ବାବା ଭାବେ ପରିଚିତ ମନୋଜ ସେନଗର ହଠାତ୍‌ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ସେ ତାଙ୍କ କାନପୁର ସ୍ଥିତ ଘରୁ କେଉଁ ଆଡ଼େ ଚାଲି ଯାଇଥିବା ଖବର ମିଳିଛି। ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରି ନ ପାଇବାରୁ ଶେଷରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି।
ପୁଲିସ୍‌ ଏବେ ଗୋଲ୍ଡେନ ବାବାଙ୍କୁ ଠାବ କରିବାକୁ ପ୍ରୟାସ ଆରମ୍ଭ କରିଛି। ତେବେ ଗୋଲ୍ଡେନ ବାବା ଘରୁ କେଉଁ ଆଡ଼େ ଚାଲି ଯାଇଥିବା ଖବର ପ୍ରଚାର ହେବା ମାତ୍ରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରୁ ଗୋଲ୍ଡେନ ବାବା ନିଜ ଇଚ୍ଛାରେ କେଉଁ ଏକ ସ୍ଥାନକୁ ଯାଇଥିବା ପୁଲିସ୍‌ ଜାଣିବାକୁ ପାଇଛି। ଏବେ ତାଙ୍କୁ ଠାବ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉଛି। ଗୋଲ୍ଡେନ ବାବାଙ୍କ ଘର ହେଉଛି କାକାଡେଓ ଅଞ୍ଚଳରେ। ସେ ସବୁବେଳେ ଅତ୍ୟଧିକ ସୁନା ପିନ୍ଧି ଥାଆନ୍ତି।
ଏଥିପାଇଁ ତାଙ୍କୁ ସମସ୍ତେ ଗୋଲ୍ଡେନ ବାବା ବୋଲି କୁହନ୍ତି। ମଙ୍ଗଳବାର ସକାଳେ ସେ ଘରୁ ବାହାରିଥିଲେ। ହେଲେ ଏହାପରେ ଆଉ ଘରକୁ ଫେରି ନଥିବା ପରିବାର ଲୋକ କହିଛନ୍ତି। ଡିସିପି ବିବିଜିଟିଏସ୍‌ ମୁର୍ତ୍ତୀ, ଏଡିସିପି ବ୍ରିଜେଶ କୁମାର ଶ୍ରୀବାସ୍ତବ ଓ ଏସିପି ଦୀପେଶ ଚନ୍ଦ୍ର ଶୁକ୍ଳା ପରିବାର ଲୋକଙ୍କ ସୂଚନା ପାଇବ ପରେ ଗୋଲ୍ଡେନ ବାବାଙ୍କ ଘରେ ପହଞ୍ଚିଥିଲେ। ସେଠାରୁ ପରିବାର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଏବେ ତଦନ୍ତ ଆରମ୍ଭ କରିଛନ୍ତି। ଡିସିପି କହିଛନ୍ତି, “ସେ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଚାଲି ଚାଲି ଘରୁ ବାହାରିଥିଲେ। ତାଙ୍କ କାନ୍ଧରେ ଗୋଟିଏ ବ୍ୟାଗ ମଧ୍ୟ ରହିଥିଲା। ଏବେ ସୁଦ୍ଧା ତାଙ୍କ ସହ କୌଣସି ଅଘଟଣ ଘଟିଥିବା ଆଶଙ୍କା କରାଯାଉନି। କାରଣ ଗୋଲ୍ଡେନ ବାବା ଅଳଙ୍କାର ନ ପିନ୍ଧି ଘରୁ ବାହାରିଥିଲେ। ତଥାପି ତାଙ୍କୁ ଠାବ କରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଛି।”
ମହାମାରୀ କରୋନା ବେଳେ ଗୋଲ୍ଡେନ ବାବା ନିଜ ପାଇଁ ୫ ଲକ୍ଷ ଟଙ୍କା ମୂଲ୍ୟରେ ଗୋଟିଏ ମାସ୍କ ତିଆରି କରି ଚର୍ଚ୍ଚାକୁ ଆସିଥିଲେ। ସେ ସୁନା ଅଳଙ୍କାର ପିନ୍ଧୁଥିବାରୁ ତାଙ୍କୁ କେହି କେହି କାନପୁରର ବାପି ଲାହିରୀ ମଧ୍ୟ କୁହନ୍ତି। ଦୈନିକ ସେ ପ୍ରାୟ ୨ କେଜିର ସୁନା ପିନ୍ଧି ଥାଆନ୍ତି। ଏଥିସହ ଗୋଲ୍ଡେନ ବାବା ସବୁବେଳେ ରୁପାରେ ନିର୍ମିତ ଗୋଟିଏ ବନ୍ଧୁକ ନିଜ ପାଖରେ ରଖନ୍ତି।

nis-ad
Leave A Reply

Your email address will not be published.