ଗାଡ଼ି ମଡ଼ାଇ ଦେବା ଘଟଣାର ପ୍ରତିବାଦରେ ସାରା ଓଡ଼ିଶାରେ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ଘଟଣାର ପ୍ରତିବାଦରେ ସାରା ଓଡ଼ିଶାରେ ଆଜି ସତ୍ୟାଗ୍ରହ କରୁଛି ବିଜେପି। ସବୁ ସହରାଞ୍ଚଳଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ହାତରେ ଦଳୀୟ ପତାକା, ପୋଷ୍ଟର ଓ ମୁହଁରେ କଳାପଟି ବାନ୍ଧି ବିଜେପି ପ୍ରତିବାଦ କରୁଛି। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତାଙ୍କୁ କାହିଁକି ଏଯାଏଁ ଦଳରୁ ନିଲମ୍ବନ କରାଯାଇନି ବୋଲି ବିଜେପି ପ୍ରଶ୍ନ ଉଠାଇଛି।

ଶାସକ ଦଳ ବିଜେଡି ଗୁଣ୍ଡାରାଜ ଚଳାଇଛି। ନିର୍ବାଚନ ବେଳେ ଆହୁର ହିଂସ୍ର ହୋଇଯାଉଛି। କଳେ ବଳେ କୌଶଳେ ଅନ୍ୟ ଦଳକୁ ଦମନ କରିବା ପାଇଁ ବିଜେଡି ଚାପ ପକାଉଛି। ବିଜୁ ଜନତା ଦଳ ଗଣତନ୍ତ୍ର ନୁହେଁ ଆତଙ୍କବାଦତନ୍ତ୍ରରେ ବିଶ୍ୱସ କରୁଛି। ଜଗଦ୍ଦେବଙ୍କ ବିରୋଧରେ ବିଜେଡିର କାର୍ଯ୍ୟାନୁଷ୍ଠାନ ପ୍ରହସନ ପାଲଟିଛି। ଏହାକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ ବୋଲି ବିଜେପି ଜିଲ୍ଲା ସଭାପତି ବାବୁ ସିଂହ କହିଛନ୍ତି।

ପ୍ରଶାନ୍ତଙ୍କ ଯୋଗୁଁ ପୂରା ଭାରତରେ ଓଡ଼ିଶାର ଛବି ମଳିନ ହୋଇଛି। ଆଗରୁ ମଧ୍ୟ ଜଗଦ୍ଦେବଙ୍କ ନାଁରେ ବହୁ ସଙ୍ଗୀନ ଅଭିଯୋଗ ରହିଛି। ତା ସତ୍ତ୍ୱେ ବିଧାୟକଙ୍କୁ ଦଳରୁ କାହିଁକି ବହିଷ୍କାର କରାଯାଉ ନାହିଁ ବୋଲି ଦଳ ପ୍ରଶ୍ନ କରିଥିଲା। କେବଳ ନାମକୁ ମାତ୍ର ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିବା ବିଜେପି କହିଛି।

ସେପଟେ ଏହି ଘଟଣାକକୁ ନେଇ ରାଜନୀତି କରାଯାଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ବିଜେଡି ନେତ୍ରୀ ପ୍ରମିଳା ମଲିକ କହିଛନ୍ତି, ‘ପ୍ରଶାନ୍ତ ଜଗଦ୍ଦେବ ଏବେ ହସ୍ପିଟାଲରେ ଅଛନ୍ତି। ତାଙ୍କ ଚିକିତ୍ସା ଚାଲିଛି। ସେ ସୁସ୍ଥ ହେବା ପରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇସାରିଛି। ବିଜେପି ଏହି ଘଟଣାକୁ ନେଇ ଏବେ ରାଜନୀତି କରୁଛି। ରାଜରାସ୍ତାକୁ ଆସି ଫଟୋ ଉଠାଇ ମିଡିଆରେ ଅଯଥା ପ୍ରଚାର କରୁଛି ବିଜେପି।’

ସୂଚନା ମୁତାବକ, ଗତ ଶନିବାର ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାହାରେ ପ୍ରାୟ ୫ରୁ ୭ଶହ ଲୋକ ରୁଣ୍ଡ ହୋଇଥିଲେ। ଏଥିସହ ୨ ପ୍ଲାଟୁନ୍‌ ଫୋର୍ସ ବି ମୁତୟନ ହୋଇଥିଲେ। ଏହି ସମୟରେ ହଠାତ୍‌ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ ଏସୟୁଭି ଗାଡ଼ି ଚଲାଇ ଦ୍ରୁତ ଗତିରେ ଭିଡ଼ ଆଡ଼କୁ ମାଡ଼ି ଆସିଥିଲେ।

ଲୋକେ ତାଙ୍କୁ ଅଟକାଇ ଥିବା ବେଳେ କିଛି ସମୟ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ବିଧାୟକ ଗାଡ଼ିକୁ ଆଗକୁ ନେଇଥିଲେ ଓ ଏହା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହା ପରେ ଲୋକେ ବିଧାୟକଙ୍କୁ ଗାଡ଼ିରୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେ ଓ ଲହୁଲୁହାଣ କରି ଦେଇଥିଲେ। ତାଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗିରୁଜି ସେଥିରେ ନିଆଁ ଲଗାଇ ଦେଇଥିଲେ। ଏବେ ପ୍ରଶାନ୍ତ ଜଗଦ୍ଦେବ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି।

nis-ad
Leave A Reply

Your email address will not be published.