ରୁଷର ହମଲା: କେବଳ ମାରିୟୁପୋଲରେ ୨୫ଶହରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି। ରୁଷ ସେନା ୟୁକ୍ରେନର ବିଭିନ୍ନ ସହର ଉପରେ ବୋମା ଓ ରକେଟ ମାଡ଼ କରୁଥିବାରୁ ସଧାରଣ ଲୋକ ମୃତାହତ ହେଉଛନ୍ତି। ଏସବୁ ଭିତରେ ୟୁକ୍ରେନର ପୋର୍ଟ ସହର ମାରିୟୁପୋଲରେ ରୁଷ କରିଥିବା ହମଲାରେ ଏଯାଏ ୨୫ଶହରୁ ଅଧିକ ସାଧାରଣ ଲୋକ ପ୍ରାଣ ହରାଇଥିବା ୟୁକ୍ରେନ ସରକାର ସୂଚନା ଦେଇଛନ୍ତି। ସେହିପରି ଏହି ସହରକୁ ରୁଷ ନିଜ ଦଖଲକୁ ନେଇ ଲୋକଙ୍କୁ ଆବଶ୍ୟକ ସୁବିଧାରୁ ବଞ୍ଚିତ କରୁଛି ବୋଲି କିଭ୍‌ ପକ୍ଷରୁ ଅଭିଯୋଗ କରାଯାଇଛି।
ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଓଲେସ୍କି ଅରେଷ୍ଟୋଭୟଚ କହିଛନ୍ତି, ମାରିୟୁପୋଲ ସହର ଏବେ ସଂପୂର୍ଣ୍ଣ ଭାବେ ଧ୍ୱଂସସ୍ତୁପ ପାଲଟି ଯାଇଛି। ଫେବୃଆରୀ ୨୪ରୁ ଇତି ମଧ୍ୟରେ ରୁଷ ସେନା ମାରିୟୁପୋଲରେ କରିଥିବା ହମଲାରେ ୨୫ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଘର ମାଟିରେ ମିଶି ଯାଇଥିବା ବେଳେ ସ୍କୁଲ ଓ ହସ୍ପିଟାଲ ମଧ୍ୟ ରୁଷର ବୋମା ମାଡ଼ରୁ ବର୍ତ୍ତି ନାହାନ୍ତି।
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ପରିବହନ ବ୍ୟବସ୍ଥା ମଧ୍ୟ ରୁଷ ହମଲାରେ ନଷ୍ଟ ହୋଇଛି। ମାରିୟୁପୋଲରେ ଲୋକଙ୍କୁ ମାନବୀୟ ସହାୟତା ଆବଶ୍ୟକ। ହେଲେ ଏହି ମାନବୀୟ ସହାୟତାରେ ରୁଷ ସେନା ବାଧା ଉପୁଜାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ମାରିୟୁପୋଲର ସ୍ଥିତି ଦିନକୁ ଦିନ ବିଗୁଡ଼ୁ ଥିବାରୁ ୟୁକ୍ରେନ ସରକାର ଏଠାରେ ଫସିଥିବା ଲୋକଙ୍କୁ ମାନବୀୟ କରିଡର ଦ୍ୱାରା ସୁରକ୍ଷିତ ସ୍ଥାନକୁ ନେବେ ବୋଲି ସୋମବାର କହିଛନ୍ତି। ଏହାବାଦ ଆଉ ୯ଟି ସହରରେ ମଧ୍ୟ ସମାନ ନୀତି ଆପଣାଯିବ। ଲୋକଙ୍କ ସ୍ଥାନାନ୍ତରଣରେ ସହଯୋଗ କରିବାକୁ ୟୁକ୍ରେନ ପକ୍ଷରୁ ରୁଷ ସେନାକୁ ମଧ୍ୟ କୁହାଯାଇଛି।
ଅନ୍ୟପକ୍ଷରେ ରୁଷ ଖୁବଶୀଘ୍ର ରାଜଧାନୀ କିଭ୍ ଉପରେ ସବୁଠାରୁ ବଡ଼ ହମଲା କରିବାର ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ କିଭକୁ ରୁଷ ସେନା ୩ ପଟୁ ଘେରାବନ୍ଦୀ କରିଛନ୍ତି। ରୁଷକୁ ସହାୟତା କରିବା ପାଇଁ ଦୁର୍ଦ୍ଦଶ ଚେଚେନିଆ ବିଦ୍ରୋହୀମାନେ ମଧ୍ୟ ୟୁକ୍ରେନରେ ପହଞ୍ଚିଛନ୍ତି। ରୁଷର ହମଲାକୁ ନଜରେ ରଖି ୟୁକ୍ରେନ ସରକାର ୨୪ଟି ସହର ମଧ୍ୟରୁ ୧୯ଟିରେ ବିପଦ ସାଇରନ ବଜାଇ ଲୋକଙ୍କୁ ସତର୍କ କରାଇଛନ୍ତି। ଏୟାର ଷ୍ଟ୍ରାଇକର ଆଶଙ୍କା ଥିବାରୁ ଲୋକଙ୍କୁ ବଙ୍କର ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଛି।

nis-ad
Leave A Reply

Your email address will not be published.