କଂଗ୍ରେସର ସଦ୍ୟ ନିର୍ବାଚନୀ ବିପର୍ଯ୍ୟୟ ପରେ ଅସନ୍ତୁଷ୍ଟ ଜି-୨୩ ନେତା ୪୮ ଘଣ୍ଟା ମଧ୍ୟରେ କରିବେ ବୈଠକ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ଓ ବିପର୍ଯ୍ୟୟରେ ବିରକ୍ତ ହୋଇ ଦଳରେ ଜି-୨୩ ଗୋଷ୍ଠୀ ଭାବେ ପରିଚିତ ଥିବା ଅସନ୍ତୁଷ୍ଟ ନେତାମାନେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବୈଠକ କରି ଏ ସଂପର୍କରେ ଆଲୋଚନା କରିବେ ବୋଲି ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି।
ମଣିପୁର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୋଆ ଏବଂ ପଞ୍ଜାବର ସମସ୍ତ ପାଞ୍ଚଟି ରାଜ୍ୟରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି। ନିର୍ବାଚନର ଫଳାଫଳକୁ ଆତ୍ମସମୀକ୍ଷା କରିବା ପାଇଁ ଦଳ ଖୁବ୍‌ ଶୀଘ୍ର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସିଂ ସୁର୍ଜେୱାଲା ଆଜି ପରାଜୟ ସ୍ୱୀକାର କରିବା ପରେ କହିଛନ୍ତି।
୨୦୧୯ ଲୋକସଭା ନିର୍ବାଚନ ହାରିବା ପରେ ଅନେକ କଂଗ୍ରେସ ନେତା ବିଶ୍ୱାସ କରୁଥିଲେ ଯେ ଦଳର ସାଂଗଠନିକ ସ୍ତରର ସଂସ୍କାରର ଆବଶ୍ୟକତା ରହିଛି। ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଜରିଆରେ ସାଂଗଠନିକ ନେତାମାନଙ୍କୁ ଚୟନ କରାଯିବାର ଆବଶ୍ୟକତା ରହିଛି।
ଅଗଷ୍ଟ ୨୦୨୦ରେ, ୨୩ ଜଣ ବରିଷ୍ଠ କଂଗ୍ରେସ ନେତା ଦଳର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ତୁରନ୍ତ ଏବଂ ସକ୍ରିୟ ନେତୃତ୍ୱ, ସାଂଗଠନିକ ନିର୍ବାଚନ କରିବାକୁ ଅନୁରୋଧ କରିଥିଲେ। ଚିଠିରେ ସେମାନେ ଲୋକସଭା ଏବଂ ରାଜ୍ୟ ନିର୍ବାଚନରେ ବାରମ୍ବାର ବିଫଳତାକୁ ଦୃଷ୍ଟିରେ ରଖି ଦଳ ମଧ୍ୟରେ ସାଂଗଠନିକ ସ୍ତରରେ ପୁର୍ନବିନ୍ୟାସ କରିବାକୁ ଚେଷ୍ଟା କରିଥିଲେ।
ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, କପିଲ ସିବଲ, ମନୀଷ ତିୱାରୀ, ଆନନ୍ଦ ଶର୍ମା ପ୍ରମୁଖ ୨୩ ଜଣ ଏହି ଗୋଷ୍ଠୀରେ ରହିଥିଲେ। ତେବେ, ସୋନିଆ ଗାନ୍ଧୀଙ୍କ ସମର୍ଥକ ମାନେ ଜି-୨୩ ଆଖ୍ୟା ଦେଇଥିବା ବେଳେ କପିଲ ସିବଲ କହିଥିଲେ ଜି-୨୩, ଜି ହୁଜୁର ନୁହେଁ ଏବଂ ଏହା ନିଜସ୍ୱ ମତ ରଖିବା ସହ ଦାବିଗୁଡିକର ପୁନରାବୃତ୍ତି ଜାରି ରଖିବ।

nis-ad
Leave A Reply

Your email address will not be published.