ନବରଙ୍ଗପୁର : ଅନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ସମାଜ କଲ୍ୟାଣ ବିଭାଗ ତରଫରୁ ଆଜି ନବରଙ୍ଗପୁର ମିଶନ ଶକ୍ତି ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ମହିଳା ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର , ଆରକ୍ଷି ଅଧିକ୍ଷକ ପି ପୁରୁଷୋତ୍ତମ ଦାସ ,ଉପଜିଲ୍ଲା ପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମିଳିତ ଭାବରେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣଲତା ବିଶ୍ବାସ ମହିଳା ଦିବସର ଉଦ୍ଧେଶ୍ୟ ବିଷୟରେ ଆଲୋକ ପାତ କରି କହିଲେଯେ ଆଜିର ଦିନରେ ସମଗ୍ର ବିଶ୍ବରେ ମହିଳା ମାନେ ଏକତ୍ରିତ ହୋଇ ନିଜର ଅଧିକାର କୁ ସାବ୍ୟସ୍ତ କରୁଛନ୍ତି । ମହିଳା ମାନେ ଆଗପରି ଅବଳା ନୁହଁନ୍ତି ।
ପୁରୁଷ ମାନଙ୍କ ପରି ମହିଳା ମାନେ ସାମାଜରେ ସବୁ କାର୍ଯ୍ୟ କରିପାରୁଛନ୍ତି । ସମାଜରେ ପୁରୁଷ ମହିଳା ମାନଙ୍କ ମଧ୍ୟରେ ସମାନତା ଆଣିବା ନିମନ୍ତେ ଚଳିତ ବର୍ଷ ଆର୍ନ୍ତଜାତିକ ମହିଳା ଦିବସର ଆଲୋଚ୍ଯ ବିଷୟ “ଆଜିର ଲିଙ୍ଗଗତ ସମାନତା ଆସନ୍ତା କାଲିର ସୁରକ୍ଷା କବଚ’’ ରହିଛି ବୋଲି ସୂଚନା ପ୍ରଦାନ କରିଥିଲେ । ଉଦଘାଟନ ଅଭିଭାଷଣରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ସମାଜରେ ସବୁକ୍ଷେତ୍ରରେ ମହିଳା ମାନଙ୍କର ଭାଗିଦାରିତା କୁ ସୁନିଶ୍ଚିତ କରିବା ସହିତ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବନଶୀଳ କରିବାପାଇଁ ଆହ୍ଵାନ ଦେଇଥିଲେ ।ଏଥି ସହିତ ପୁରୁଷ ମାନେ ମହିଳାଙ୍କୁ ପ୍ରତ୍ଯେକ କ୍ଷେତ୍ରରେ ସମ୍ମାନ ଦେଇ କାର୍ଯ୍ୟ କରିଲେ ସମାଜରୁ ବିଷମତା ହଟିବ ବୋଲି ମତବ୍ୟକ୍ତ କରିଥିଲେ । ଆରକ୍ଷି ଅଧିକ୍ଷକ ପି ପୁରୁଷୋତ୍ତମ ଦାସ ନିଜର ବକ୍ତବ୍ୟରେ ମହିଳା ମାନେ ଶିକ୍ଷିତ ହୋଇ ପାରିଲେ ସମାଜରୁ ଅନ୍ଧ ବିଶ୍ବାସ ହଟିବା ସହିତ ବାଲ୍ୟ ବିବାହ ପରି କଳଙ୍କିତ ପ୍ରଥା ର ବିଲୋପ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଉପଜିଲ୍ଲା ପାଳ ଅକ୍ଷୟ ସୁନୀଲି ସମାଜରେ ହଜାର ବର୍ଷର ତଳୁ ମହିଳା ମାନଙ୍କ ଉପରେ ହେଉଥିବା ଅନ୍ୟାୟ କୁ ମହିଳା ମାନେ ନୀରବରେ ସହ୍ୟ ନକରି ଏହାର ପ୍ରତିବାଦ କରିବା ପାଇଁ ଆହ୍ଵାନ ଦେବା ସହିତ ସମସ୍ତ ବ୍ୟକ୍ତି ନିଜ ନିଜ ସ୍ତରରେ ପ୍ରତ୍ଯେକ ଦିନକୁ ମହିଳା ଦିବସ ଭାବରେ ପାଳନ କରିବାକୁ ମତବ୍ୟକ୍ତ କରିଥିଲେ । ବକ୍ତା ଭାବରେ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ,ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ଆଇନିଜୀବି କିଶୋରୀ ପଟ୍ଟନାୟକ, ସହାୟକ ସମାଜ କଲ୍ଯାଣ ଅଧିକାରୀ ନରହରି ସିଂ, ନବରଙ୍ଗପୁର ଜିଲ୍ଲାରେ ହେଉଥିବା ବାଲ୍ୟବିବାହ ର କାରଣ ଓ ନିରାକରଣ ଏବଂ ଡାହାଣୀ ଭାବେ ଚିହ୍ନଟ କରି ହିଂସାରେ ଶିକାର ହେଉଥିବା ମହିଳା ମାନଙ୍କର ସମସ୍ୟା ର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ ।
ଏହି ଅବସର ରେ ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବା ଓ କିଶୋରୀ ସଶକ୍ତି କରଣ ଦିଗରେ ଉଲ୍ଲେଖନୀୟ ଭାବରେ କାମ କରିଥିବା ଶ୍ରେଷ୍ଠ ବାଲ୍ୟବିବାହ ନିଷେଧ ଅଧିକାରୀ ଭାବରେ ଗୀତା ମହାରଣା , ସୁପର ଭାଇଜର ସଞ୍ଜୁକ୍ତା ବେହେରା , ଅଙ୍ଗନବାଡି କର୍ମୀ ଚନ୍ଦ୍ରମା ମହାରଣା , ସଖୀ- ସରିତା ଗରଡା , ସାହେଲି- ୟୁନିକି ସଖୀନା ହିଆଲ , ସଖା- ସୂତମ ଭତ୍ରା , ମହିଳା ପୋଲିସ , ୱାନଷ୍ଟପ ସେଣ୍ଟର ର କର୍ମୀ, ଓ କୋଭିଡି ଯୋଦ୍ଧା ମାନଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ସୁପର ଭାଇଜର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।