ପ୍ରସବ କରାଇବାକୁ ୨ହଜାର ନେଇ କ୍ୟାପିଟାଲ ହସ୍ପିଟାଲରୁ ଦଲାଲ୍ ଗିରଫ

ଭୁବନେଶ୍ୱର: ଦୀର୍ଘଦିନ ଧରି କ୍ୟାପିଟାଲ ହସ୍ପିଟାଲରେ ଦଲାଲଗିରି କରୁଥିବା ଜଣେ ବ୍ୟକ୍ତିଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଜିଉଁଟି ଗ୍ରାମର ସୁମନ୍ତ ସ୍ୱାଇଁ(୩୩) । ତାଙ୍କ ଠାରୁ ଦୁଇଟି ମୋବାଇଲ ଫୋନ୍ ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁମନ୍ତ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମପୁର ମୌଜାରେ ରୁହନ୍ତି । ଏହାସହ କ୍ୟାପିଟାଲ ହସ୍ପିଟାଲରେ ବୁଲାବୁଲି କରି ଦଲାଲି କରନ୍ତି । ଏହିକ୍ରମରେ ସୁମନ୍ତ ସ୍ତ୍ରୀ’ ଏବଂ ପ୍ରସୂତି ବିଭାଗକୁ ଆସୁଥିବା ରୋଗୀଙ୍କୁ ଟାର୍ଗେଟ୍ କରିଥିଲେ ।

ସେମାନଙ୍କୁ ସୁବିଧାରେ ପ୍ରସବ କରାଇଦେବାକୁ କହି ମଧ୍ୟସ୍ଥି ଭାବେ ଟଙ୍କା ମାଗୁଥିଲେ । ଏମିତିକି ଡାକ୍ତର ଚିହ୍ନା ଅଛି, ସବୁ କାମ ସହଜରେ ହୋଇଯିବ ବୋଲି ସେ ରୋଗୀଙ୍କୁ କହିଆସୁଥିଲେ । ଏନେଇ ହସ୍ପିଟାଲର କୌଣସି କର୍ମଚାରୀ ତାଙ୍କୁ ବିରୋଧ କଲେ ସେ ଧମକଚମକ ଦେଉଥିଲେ । ଗତ ବୁଧବାର ସୁମନ୍ତ ଜଣେ ଗର୍ଭବତୀ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସୁବିଧାରେ ପ୍ରସବ କରାଇଦେବାକୁ କହି ତାଙ୍କ ସ୍ୱାମୀଙ୍କ ଠାରୁ ୨୦୦୦ଟଙ୍କା ଫୋନ୍ ପେ’ ମାଧ୍ୟମରେ ନେଇଥିଲେ । ଏସମ୍ପର୍କରେ ଜାଣିବା ପରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଭାରପ୍ରାପ୍ତ ଅଧିକାରିଣୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରିଥିଲା । ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ସୁମନ୍ତଙ୍କୁ ଗିରଫ କରିଛି ।

nis-ad
Leave A Reply

Your email address will not be published.