ଅସନ୍ତୋଷ ଝାଡ଼ିଲେ ଓଡ଼ିଶା ପ୍ରଭାରୀ ଏ. ଚେଲାକୁମାର

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ମାଟି କାମୁଡ଼ିବା ପରେ ଏବେ ଦଳକୁ ସକ୍ରିୟ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି । ଆଗକୁ ପୌର ନିର୍ବାଚନ ଥିବାବେଳେ ପଞ୍ଚାୟତ ନିର୍ବାଚନରେ ଦଳର ସ୍ଥିତି ଘୁଣ ଖାଇଯାଇଛି । ଆଗାମୀ ଦିନରେ ରଣନୀତି ନିର୍ଦ୍ଧାରଣ ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାର ।

ଆଜି କଂଗ୍ରେସ ପକ୍ଷରୁ ଆୟୋଜିତ ଡିଜିଟାଲ ସଭ୍ୟ ସଂଗ୍ରହ ଅଭିଯାନ ଓ ସାଂଗଠନିକ ନିର୍ବାଚନ ବୈଠକରେ ଉଦବୋଧନ ଦେବାବେଳେ ବରିଷ୍ଠ ନେତାମାନଙ୍କ ନାଁ ନେଇ ଚେଲ୍ଲାକୁମାର ଅସନ୍ତୋଷ ପ୍ରକାଶ କରିଥିଲେ । ଚେଲ୍ଲାକୁମାର କହିଥିଲେଯେ, ଦଳର ଅନେକ ବରିଷ୍ଠ ନେତା ବଡ଼ ପଦପଦବୀରେ ଥିଲେବି କିଛି କାମ କରୁନାହାନ୍ତି । ବଡ଼ ନେତାଙ୍କ ନିର୍ବାଚନମଣ୍ଡଳୀରେ ସଭ୍ୟ ସଂଗ୍ରହ ଠିକ ଭାବେ କରାଯାଇନାହିଁ । ବରିଷ୍ଠ ନେତାମାନେ ଯଦି ଦଳର ନିର୍ଦ୍ଦେଶକୁ ଅବମାନନା କରି କାମରେ ଢ଼ିଲା ଦେବେ ତେବେ ତୃଣମୂଳସ୍ତରର କର୍ମୀଙ୍କୁ କ’ଣ କୁହାଯାଇପାରିବ ? ଏଭଳି କହି ସେ କ୍ଷୋଭ ପ୍ରକାଶ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଏଆଇସିସି ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି, ବରିଷ୍ଠ ନେତା ଭକ୍ତଚରଣ ଦାସ, ଶରତ ରାଉତ ପ୍ରମୁଖଙ୍କ ନାଁ ନେଇ ଚେଲ୍ଲାକୁମାର ଟିପ୍ପଣୀ ଦେଇଥିଲେ । ସେହିପରି ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦଙ୍କ ଉପରେ ବି ବର୍ଷିଥିଲେ । ଗତ ନିର୍ବାଚନରେ ସେ ଯେଉଁ ଜୋନରେ ମାତ୍ର ୩୦୯ ଖଣ୍ଡ ଭୋଟ ପାଇଥିଲେ ସେହି ଜୋନରେ କଂଗ୍ରେସ ୫୮୦୬ ଖଣ୍ଡ ଭୋଟ ପାଇଛି । ସଂଗଠନ ସହ ଜଡ଼ିତ ହେଲେ ହିଁ ଭୋଟ ବଢ଼ିବ ବୋଲି ସେ କହିଥିଲେ ।

ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା, ସାଂସଦ, ବିଧାୟକ ଏବଂ ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.