ଭୁବନେଶ୍ବର: ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ପୁଣି ଦୁଇଟି ଥାନାରେ ରୁଜୁ ହୋଇଛି ମାମଲା । ଗୋଟିଏ ମାମଲା ପାହାଳ ଥାନାରେ ରୁଜୁ ହୋଇଥିବା ବେଳେ ଅନ୍ୟ ମାମଲାଟି ସହିଦ ନଗର ଥାନାରେ ରୁଜୁ ହୋଇଛି ।
୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କାର ନମ୍ବର ରେଜିଷ୍ଟ୍ରେସନ୍ ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବାରୁ ସହିଦନଗର ଥାନାରେ ରୁଜୁ ହୋଇଛି ମାମଲା । ତେବେ ଏହି ଅଭିଯୋଗ ପାଇବା ପରେ ପୋଲିସ ଆହୁରି ତତ୍ପରତା ଦେଖାଇଛି । ରମେଶକୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିଛି ।
ଏହି ସବୁ ମାମଲା ସାମ୍ନାକୁ ଆସିବା ପରେ ନକଲି ଡାକ୍ତରଙ୍କୁ ପୁଣି ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ଭୁବନେଶ୍ୱର SDJM କୋର୍ଟରେ ଆବେଦନ କରିଚି ମହିଳା ଥାନା ପୋଲିସ । ଗୌହାଟୀ ପତ୍ନୀଙ୍କୁ ଠକେଇ ଅଭିଯୋଗର ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରିଛି ପୋଲିସ ।
ବିବାହ ନାଁରେ ମହିଳାଙ୍କୁ ଠକେଇ, ଚାକିରି କରାଇ ଦେବା ନାଁରେ ଠକେଇ ଭଳି ସଙ୍ଗୀନ ଅପରାଧିକ ମାମଲା ଏହି ନକଲି ଡାକ୍ତର ରମେଶ ନାଁରେ ରହିଛି । ସମସ୍ତ ଅପରାଧର ତଦନ୍ତ ପାଇଁ ସାଇବର ଅଧିକାରୀ, ଆଣ୍ଟି ଫ୍ରଡ୍ ସେଲକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଛି । ତେବେ ରମେଶ ଯେଉଁ ୧୮ ଜଣ ମହିଳାଙ୍କୁ ବିବାହ କରିଛନ୍ତି, ସେହି ସବୁ ବାହାଘରର ଏକମାତ୍ର ସାକ୍ଷୀ ଓ ଠକେଇରେ ସଂପୃକ୍ତ ହେଉଛନ୍ତି ତାଙ୍କ ଭଉଣୀ ଓ ଭିଣେଇ । ଏବେ ସେମାନଙ୍କୁ ମଧ୍ୟ ଗିରଫ କରି ଜେଲ୍ରେ ରଖାଯାଇଛି ।