ସୂଚନା ଓ ଲୋକସମ୍ପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଅବସର

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ସୋମବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଭାଗ ତରଫରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କର୍ମଚାରୀ କଲ୍ୟାଣ ସମିତି ଆନୁକୂଲ୍ୟରେ ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସମ୍ପାଦକ ଡ. ଲେନିନ୍ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଉପନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି, ଦୀପ୍ତିମୟୀ ମହାପାତ୍ର ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରୁଥିବା ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସେଠୀଙ୍କ କାର୍ଯ୍ୟଦକ୍ଷତା, ଲୋକସମ୍ପର୍କ କ୍ଷେତ୍ରରେ ତାଙ୍କର ସକ୍ରିୟ ଭୂମିକା ଏବଂ ସରକାରୀ କାର୍ଯ୍ୟକୁ ସମ୍ପାଦନ କରିବାରେ ତାଙ୍କର ସାର୍ଥକ ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷ କରି କୋଭିଡ୍ ମହାମାରୀ ସଂକ୍ରମଣର ମୁକାବିଲା ଦିଗରେ ବିଭିନ୍ନ ଗଣମାଧ୍ୟମରେ ସିଧା ପ୍ରସାରଣ କରାଯାଇ ଜନସଚେତନତା ସୃଷ୍ଟି, ଇ-ବିଜ୍ଞାପନ ବ୍ୟବସ୍ଥା ପ୍ରଚଳନ, ସାମ୍ବାଦିକଙ୍କ କଲ୍ୟାଣ, ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ତୃଣମୂଳ ସ୍ତରରେ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନରେ ସୂଚନା ଓ ଲୋକସମ୍ପର୍କ ବିଭାଗରେ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସେଠୀଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା ବୋଲି ପ୍ରମୁଖ ଶାସନ ସଚିବ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ବିଭାଗର ବିଭିନ୍ନ ଶାଖାର ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକଙ୍କ ସମସ୍ତ ବରିଷ୍ଠ ଅଧିକାରୀ ତଥା କର୍ମଚାରୀବୃନ୍ଦ ଏହି ବିଦାୟକାଳୀନ ସଭାରେ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉ କି ଶ୍ରୀ ସେଠୀ ଅନୁଗୋଳ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ସମୟରେ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ବିଭିନ୍ନ ଶାଖାରେ ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଓ ଅତିରିକ୍ତ ନିର୍ଦ୍ଦେଶକ ଓ ଶେଷରେ ବୈଷୟିକ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ହେଲା ସେ ଜଣେ ସୁଲେଖକ, କବି, ଗୀତିକାର ଓ ସର୍ବୋପରି ଜଣେ ସୃଜନଶୀଳ ସ୍ରଷ୍ଟା । ସେହିପରି ବିଭାଗର ବରିଷ୍ଠ ବେତାର ନିରୀକ୍ଷକ ପ୍ରେମାନନ୍ଦ ପଟ୍ଟନାୟକ ମଧ୍ୟ ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କୁ ମଧ୍ୟ ଏହି ଅବସରରେ ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶେଷରେ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.