ୟୁକ୍ରେନରେ ବୋମାମାଡ଼, ପ୍ରାଣହରାଇଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ଠିକ ସେଇଆ ହୋଇଛି। ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଯାଇଛି ପ୍ରଥମ ଭାରତୀୟ ଛାତ୍ରଙ୍କ ଜୀବନ। ଖାରକିଭ୍‌ରେ ଘଟିଥିବା ବୋମାମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମନ୍ତ୍ରଣାଳୟ କହିଛି, ଆମେ ବେଶ ଦୁଃଖର ସହ କହିବାକୁ ଚାହୁଁଛୁ ଯେ ଆଜି ସକାଳେ ଖାରକିଭରେ ହୋଇଥିବା ଶେଲିଂରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିବାର ଲୋକଙ୍କ ସହ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି। ଆମେ ଛାତ୍ରଙ୍କ ପରିବାର ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଉଛୁ।
ବୈଦେଶିକ ସଚିବ ରୁଷ ଓ ୟୁକ୍ରେନ ରାଷ୍ଟ୍ରଦୂତଙ୍କୁ ଡକାଇ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି। ଖାରକିଭ ଓ ଯୁଦ୍ଧ କ୍ଷତିଗ୍ରସ୍ତ ଅଞ୍ଚଳରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ତୁରନ୍ତ ପଦକ୍ଷେପ ନିଆଯାଉଛି। ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ରୁଷ ଓ ୟୁକ୍ରେନରେ ଅବସ୍ଥାପିତ ଆମ ରାଷ୍ଟ୍ରଦୂତମାନେ ମଧ୍ୟ ପଦକ୍ଷେପ ନେଉଥିବା ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରାଯାଇଛି।
ରୁଷ ସୈନ୍ୟମାନେ ୟୁକ୍ରେନର ରାଜଧାନୀ କିଭ୍‌ ବ୍ୟତୀତ ଦେଶର ଦ୍ୱିତୀୟ ବଡ଼ ସହର ଖାରକିଭରେ ମଧ୍ୟ ହମଲା କରୁଛନ୍ତି। ରୁଷର ମିସାଇଲ ମାଡ଼ ଯୋଗୁ ଖାରକିଭ୍‌ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଏବେ ବି ରୁଷ ଓ ୟୁକ୍ରେନ ସୈନ୍ୟଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି।
ଏହି ସମୟରେ ହୋଇଥିବା ଶେଲିଂରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଥିବା ଜଣାପଡ଼ିଛି। ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନଙ୍କ ବୟସ ୨୧ ବର୍ଷ। ତାଙ୍କ ଘର କର୍ଣ୍ଣାଟକାର ହାବେରି ଅଞ୍ଚଳରେ। ସେ ଆଜି ସକାଳେ ସଉଦା କିଣିବାକୁ ଯାଇଥିଲେ। ଗଭର୍ଣ୍ଣର ହାଉସ ନିକଟରେ ଥିବା ସୁପର ମାର୍କେଟରେ ନବୀନ ଲାଇନରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ବୋମା ମାଡ଼ରେ ତାଙ୍କ ଜୀବନ ଯାଇଛି। ଏ ସମ୍ପର୍କରେ ମେଡିକାଲ ଛାତ୍ରଛାତ୍ରୀଙ୍କ ସଂଯୋଜନକ ପୂଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ତାଙ୍କ କହିବା ଅନୁସାରେ ଜଣେ ୟୁକ୍ରେନ ମହିଳା ନବୀନଙ୍କ ମୋବାଇଲ ପାଇଥିଲେ। ଏହାପରେ ହିଁ ତାଙ୍କ ସମ୍ପର୍କରେ ସୂଚନା ମିଳିଛି। ଘଟଣା ପରେ ତାଙ୍କ ମୃତଦେହକୁ ଶବାଗାରରେ ରଖାଯାଇଛି। ସେହିପରି ଏହି ଘଟଣାରେ ଆଉ କିଛି ୟୁକ୍ରେନ ଲୋକ ମଧ୍ୟ ମୃତାହତ ହୋଇଛନ୍ତି।

nis-ad
Leave A Reply

Your email address will not be published.