ପୌରସଂସ୍ଥା ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, ୪୫୮୪ଟି ବୁଥ୍‌ରେ ଭୋଟ୍ ଗ୍ରହଣ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ହୋଇଛି ସମସ୍ତ ପ୍ରକାର ପ୍ରସ୍ତୁତି । ଏକାସଙ୍ଗରେ ରାଜ୍ୟର ୩ ମହାନଗର ନିଗମ ଓ ୧୦୭ ପୌରସଂସ୍ଥା ପାଇଁ ହେବ ମତଦାନ । ଇଭିଏମ୍ ଜରିଆରେ ୪୫୮୪ଟି ବୁଥ୍‌ରେ ଭୋଟ୍ ଗ୍ରହଣ କରାଯିବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ‘ନୋଟା’ ବ୍ୟବହାର ହେବ । ବାଲାଟ୍ ପେପର୍‌ର ସର୍ବନିମ୍ନରେ ନୋଟା ବଟନ୍ ରହିବ । ମନପସନ୍ଦର ପ୍ରାର୍ଥୀ ନଥିଲେ ଭୋଟର୍‌ମାନେ ନୋଟା ବଟନ୍ ବ୍ୟବହାର କରିପାରିବେ ।

ସୋମବାର ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି ଯେ ପୌର ନିର୍ବାଚନ ପାଇଁ ପୂର୍ବରୁ ୱାର୍ଡ ପୁର୍ନଗଠନ, ବୁଥ୍ ଓ ଭୋଟର୍ ତାଲିକା ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକୁ ଅନୁମୋଦନ ଦିଆଯାଇଛି । ଏଥର ପ୍ରତ୍ୟେକ ବୁଥ୍ ମଧ୍ୟରେ ମତଦାନ କରିବା ନିମନ୍ତେ ଦୁଇଟି ମତଦାନ ପ୍ରକୋଷ୍ଠ ରହିଛି । ଭୋଟର୍‌ମାନେ ପ୍ରଥମ ପ୍ରକୋଷ୍ଠକୁ ଯାଇ ଆଗ ଅଧ୍ୟକ୍ଷ ବା ମେୟର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦେଇସାରିବା ପରେ ଦ୍ୱିତୀୟ ପ୍ରକୋଷ୍ଠକୁ ଯିବେ । ସେଠାରେ କର୍ପୋରେଟର ବା କାଉନ୍‌ସିଲର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ।

ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥ୍‌ରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ । ସେଥିରୁ ଗୋଟିଏ କର୍ପୋରେଟର ବା କାଉନ୍‌ସିଲର ନିର୍ବାଚନ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ । କର୍ପୋରେଟର ବା କାଉନ୍‌ସିଲର ପ୍ରାର୍ଥୀଙ୍କ ପାଇଁ ଗୋଲାପୀ ରଙ୍ଗର ବାଲାଟ୍ ପେପର ଏବଂ ଅଧ୍ୟକ୍ଷ ବା ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ବ୍ୟବହାର ହେବ। ସେହିପରି ଭୋଟର୍‌ଙ୍କ ସୁବିଧା ନିମନ୍ତେ କର୍ପୋରେଟର୍ ବା କାଉନ୍‌ସିଲର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ଗୋଲାପୀ ରଙ୍ଗର ଗୋଲ ଷ୍ଟିକର ଏବଂ ଅଧ୍ୟକ୍ଷ ବା ମେୟର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ୍ ଷ୍ଟିକର ଲଗାଯିବ ।

ଏହାଦ୍ୱାରା କେଉଁ ପ୍ରାର୍ଥୀଙ୍କୁ କେଉଁ ଇଭିଏମ୍‌ରେ ଭୋଟ ଦେବାକୁ ହେବ, ତାହା ସହଜରେ ଭୋଟରମାନେ ଜାଣିପାରିବେ । ଅନ୍ୟପକ୍ଷରେ ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରଙ୍କ ପାଇଁ ‘ବ୍ରେଲି ବାଲାଟ୍‌’ ପେପର ସୁବିଧା କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରୁ ବଛାବଛା ମାଷ୍ଟର ଟ୍ରେନରଙ୍କର ଦୁଇଦିନିଆ ଇଭିଏମ୍ ତାଲିମ କାର୍ଯ୍ୟକ୍ରମ ନିର୍ବାଚନ କମିଶନଙ୍କ ଦ୍ୱାରା ରାଜ୍ୟସ୍ତରରେ ଶେଷ ହୋଇଛି । ଫଳରେ ପୌର ନିର୍ବାଚନ ନିମନ୍ତେ ସମସ୍ତ ଦିଗରୁ ରାଜ୍ୟ ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିଥିବା ଏସ୍‌ଇସି ସ୍ପଷ୍ଟ କରିଛନ୍ତି ।

nis-ad
Leave A Reply

Your email address will not be published.