ରାୟଗଡ଼ା ମୃତକଙ୍କ ନାଁରେ ମନରେଗା ବିଲ ହଡପ, ଗୁଡାରି ବ୍ଲକରେ ଅନିୟମିତତା ଅଭିଯୋଗରେ ଲୋକପାଳଙ୍କ ଦ୍ୱାରସ୍ଥ

ରାୟଗଡ଼ା (୧୯/୦୨) : ରାୟଗଡା ଜିଲ୍ଲାରେ ବିକାଶ ନାଁରେ ଚାଲିଛି ଠକେଇ | ବିଶେଷ କରି ମନରେଗା ଯୋଜନାରେ ସମସ୍ତ ବିଭାଗରେ ଅନିୟମିତତା ବଢ଼ିବାରେ ଲାଗିଛି | ଏହିପରି ଅନିୟମିତତା ରାୟଗଡା ଜିଲ୍ଲା ଗୁଡାରି ବ୍ଲକରେ ଦେଖିବାକୁ ମିଳିଛି | ଜିଲ୍ଲାରେ ମନରେଗା ଯୋଜନାରେ ବ୍ୟକ୍ତିଙ୍କ ଅଗୋଚରରେ ନାମ ଅନ୍ତର୍ଭୁକ୍ତ କରାଯାଇ କାମ ଦେଖାଇ ବିଲ ଓ ଟଙ୍କା ପ୍ରଦାନ କରୁଥିବା ଅନିୟମିତତା ସାଧାରଣ ଘଟଣା ପାଲଟିଛି | କିନ୍ତୁ ବର୍ତ୍ତମାନ ନଜରକୁ ଆସିଛି ଗୁଡାରି ବ୍ଲକରେ ମୃତ ବ୍ୟକ୍ତିଙ୍କ ନାମରେ ମନରେଗା କାର୍ଯ୍ୟ ମଞ୍ଜୁରୀ ଦେଇ ତାଙ୍କ ନାମରେ ବିଲ ଓ ତାଙ୍କ ପ୍ରଦାନ ହୋଇଥିବା ଅଭିଯୋଗ ହୋଇଛି | ଏନେଇ ଓଡିଶା ୱେଲଫର ଆସୋସିଏସନ ପକ୍ଷରୁ ଆଜି ମନରେଗା ଲୋକପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି | ଗୁଡାରି ବ୍ଲକ ସିରିଗୁଡା ପଂଚାୟତ ଅନ୍ତର୍ଗତ ଭୁରୁକୁଡ ଗ୍ରାମରେ ଜାଲିଆତି ହୋଇଥିବା ଅଭିଯୋଗ କରଯାଇଛି |

ସୂଚନ ଅନୁଯାୟୀ, ଗତ ୨୦୨୦ ମସିହା ମେ ୨୯ ତାରିଖରେ ସାମ୍ବରା ଦୁଡୁକା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସିରିଗୁଡା ପଂଚାୟତ ଅନ୍ତର୍ଗତ ଅର୍ଜୁନଗୁଡ଼ା ଗ୍ରାମର ସାମ୍ବରାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାମରେ ମନରେଗା ଯୋଜନାରେ କାମ ପ୍ରଦାନ ସହ ମଷ୍ଟରରୋଲରେ ଏଣ୍ଟ୍ରି କରି ମଜୁରୀ ପ୍ରଦାନ ହୋଇଥିବା ଦର୍ଶାଯାଇଛି । ତାଙ୍କର ନାମରେ ୨୦୨୦ ମସିହା ଜୁନ ୧୦, ୨୯, ୨୦୨୧ ମସିହା ମେ ୨୭ ତାରିଖରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବାଭଳି ଦର୍ଶାଇ ବ୍ୟାପକ ଅର୍ଥ ହରିଲୁଟ କରାଯାଇଛି । ଅର୍ଜୁନଗୁଡ଼ା ଠାରୁ ଆଦାଇଜାନା ରାସ୍ତା, ଲୁହାମୁଣ୍ଡା ଏବଂ ଅନ୍ୟାନ୍ୟ ଗ୍ରାମରେ ନିର୍ମାଣ କାର୍ଯ୍ୟରେ ମନରେଗା ଯୋଜନାରେ ସେ କାର୍ଯ୍ୟ କରିଥିବା ଭଳି ଦର୍ଶାଯାଇଛି । ଏଭଳିକି ତାଙ୍କ ନାମରେ ନକଲି ବ୍ୟାଙ୍କ ଆକାଉଂଟ ଖୋଲି ବ୍ଳକ ଓ ପଂଚାୟତ କର୍ତ୍ତୃପକ୍ଷ ଏହି ଅର୍ଥ ହରିଲୁଟ କରିଥିବା ଆସୋସିଏସନ ପକ୍ଷରୁ ଅଭିଯୋଗ ହୋଇଛି । ଅପରପକ୍ଷରେ, ସେହି ପଂଚାୟତ ଅନ୍ତର୍ଗତ ଭୁରୁକୁଡୁ ଗ୍ରାମର ୧୧୫ ଜଣ ଶ୍ରମିକ ଗତ ଜାନୁୟାରୀ ୨୨ ତାରିଖରେ କାମ କରିବା ପାଇଁ ଆବେଦନ କରାଯାଇଥିଲା । ତେବେ ମାତ୍ର ୨୯ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ ହୋଇଛି । ଏକ ପୋଖରୀ ଖୋଳା କାମରେ ନିୟୋଜିତ କରି ପଂଚାୟତ କର୍ତ୍ତୃପକ୍ଷ ବଳକା ୮୬ ଜଣ ଶ୍ରମିକଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ତେବେ ଯେଉଁ ୨୯ ଜଣ କାମ କରିଥିଲେ ସେମାନଙ୍କୁ ଦୈନିକ ୪୦ ଟଙ୍କା ମଜୁରୀ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଯାହାକି ଶ୍ରମିକମାନଙ୍କୁ ହତାସ କରିଛି । କେବଳ ଏହି ଗୋଟିଏ ଘଟଣା ନୁହଁ ଏହିଭଳି ଆହୁରି ଅନେକ ଜାଲିଆତି ଗୁଡ଼ାରୀ ବ୍ଳକରେ ହୋଇଥିବା ଅଭିଯୋଗ କରାଯାଇଛି । ଘଟଣା ସମ୍ପର୍କରେ ବିଡ଼ିଓଙ୍କୁ ଅବଗତ କରାଇବାରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନଥୁବା ଆସୋସିଏସନ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ଆସୋସିଏସନ ଅଧ୍ୟକ୍ଷ କରୁଣାକର ଟାକିରିଙ୍କ ନେତୃତ୍ୱରେ ଜବକାର୍ଡଧାରୀ ଶ୍ରମିକମାନେ ରାୟଗଡ଼ା ଠାରେ ମନରେଗା ଲୋକପାଳଙ୍କ ନିକଟରେ ସେମାନଙ୍କ ଅଭିଯୋଗ ଦାଖଲ କରିବା ସହ ଏହାର ତଦନ୍ତ କରିବା ପାଇଁ ନିବେଦନ କରିଛନ୍ତି । ଲୋକପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଅଭିଯୋଗକୁ ଗ୍ରହଣ କରାଯାଇଛି । କିନ୍ତୁ ଏଠି ତ ଖଜୁରୀ ଗଛ ମୂଳରୁ ପାହାଚ ପାହାଚ | ବର୍ତ୍ତମାନ ଅଭିଯୋଗ ପରେ ଲୋକପାଳ ଦ୍ୱାରା ଅନିୟମିତତାର ପର୍ଦାଫାଶ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନା ଅନିୟମିତତା ଉପରେ ଘଣ୍ଟ ଘୋଡାଇଦିଆଯିବ ତାହା ଦେଖିବାକୁ ବାକି ରହିଲା |

nis-ad
Leave A Reply

Your email address will not be published.