ବ୍ୟାଙ୍କ ଘୋଟାଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ବରୁଣ

ନୂଆଦିଲ୍ଲୀ ୧୮।୦୨: ବିଗତ ଅନେକ ସମୟରୁ ନିଜ ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା କରି ଚାଲିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। ଅନେକ ପ୍ରସଙ୍ଗରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ସେ ଘେରିଛନ୍ତି। ଏବେ ପୁଣି ଥରେ ଚର୍ଚ୍ଚାରେ ବରୁଣ ଗାନ୍ଧୀ। ଶୁକ୍ରବାର ଦେଶରେ ବ୍ୟାପକ ଭାବେ ହେଉଥିବା ବ୍ୟାଙ୍କ ଘୋଟାଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।
ବରୁଣ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି କହିଛନ୍ତି, ଏମିତି ଦୁର୍ନୀତି ବିରୋଧରେ ମଜବୁତ ସରକାରଙ୍କଠୁ ମଜବୁତ କାର୍ଯ୍ୟାନୁଷ୍ଠାନର ଆଶା କରାଯାଉଛି। ସେ ଟ୍ଵିଟ୍ କରିଛନ୍ତି, ବିଜୟ ମାଲ୍ୟା ୯୦୦୦ କୋଟି, ନିରବ ମୋଦୀ ୧୪୦୦୦ କୋଟି, ଋଷି ଅଗ୍ରଓ୍ଵାଲ ୨୩୦୦୦ କୋଟିର ବ୍ୟାଙ୍କ ଘୋଟାଲା କରିଛନ୍ତି। ଯେଉଁ ସମୟରେ ଦେଶ ଋଣ ବୋଝଭାର ତଳେ ଦବି ରହିଛି ଏବଂ ପ୍ରତି ଦିନ ୧୪ ଜଣ ଆତ୍ମହତ୍ୟା କରୁଛନ୍ତି, ସେହି ସମୟରେ ଧନପଶୁଙ୍କ ଜୀବନ ବୈଭବର ଚରମରେ ରହିଛି। ଏହି ମହାଭ୍ରଷ୍ଟ ବ୍ୟବସ୍ଥା ଉପରେ ଏକ ‘ମଜବୁତ ସରକାରଙ୍କଠୁ ମଜବୁତ କାର୍ଯ୍ୟାନୁଷ୍ଠାନ’ର ଆଶା କରାଯାଉଛି।
ଦେଶର ଅନେକ ବ୍ୟାଙ୍କରେ କଳା କନା ବୁଲାଇଥିବା ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ଋଷି ଅଗ୍ରଓ୍ଵାଲଙ୍କ ନାମ ନେଇ ବରୁଣ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏବେ ଏବିଜି ସିପୟାର୍ଡର ପୂର୍ବତନ ଅଧ୍ୟକ୍ଷ ଋଷି ଅଗ୍ରଓ୍ଵାଲ ଦେଶର ବ୍ୟାଙ୍କ ଘୋଟାଲାର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ସେ ବର୍ତ୍ତମାନ ଯାଞ୍ଚର ପରିଧିରେ ଅଛନ୍ତି। ବିଜୟ ମାଲ୍ୟା ଆନୁମାନିକ ୯୦୦୦ କୋଟି ଟଙ୍କା ଏବଂ ନିରବ ମୋଦୀ ୧୪୦୦୦ କୋଟି ଟଙ୍କା ଲୁଟି ଦେଶରୁ ଫେରାର ଅଛନ୍ତି। ବର୍ତ୍ତମାନ ଋଷି ଅଗ୍ରଓ୍ଵାଲଙ୍କ ଉପରେ ପାଖାପାଖି ୨୩୦୦୦ କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ଅଭିଯୋଗ ହୋଇଛି।

nis-ad
Leave A Reply

Your email address will not be published.