ହିଜାବ ଇସଲାମର ଅଂଶ ନୁହେଁ, ୧୯୮୫ରୁ କଲେଜରେ ଚାଲି ଆସିଛି ୟୁନିଫର୍ମ: ହାଇକୋର୍ଟରେ ନିଜର ପକ୍ଷ ରଖିଲେ ସରକାର

ନୂଆଦିଲ୍ଲୀ ୧୮।୦୨: ହିଜାବ ପିନ୍ଧିବା ଇସଲାମ ଧର୍ମର ମାନ୍ୟତା ନୁହେଁ କି ଏହା ଅଂଶ ବିଶେଷ ମଧ୍ୟ ନୁହେଁ। ଏହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ୍ ଏବଂ କଲେଜରେ ହିଜାବ ଉପରେ ରୋକ୍ ଆଦେଶ ଜାରି କରିଥିଲେ। କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦ ଉପରେ ଜାରି ଶୁଣାଣି ସମୟରେ ରାଜ୍ୟ ସରକାର ନିଜର ପକ୍ଷ ରଖି ଏହା କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷ ରଖି ଆଡଭୋକେଟ୍ ଜେନେରାଲ ପ୍ରଭୁଲିଙ୍ଗ ନାଓ୍ଵାଦଗୀ କହିଛନ୍ତି, ସମ୍ବିଧାନର ଧାରା ୧୯(୧) ଆଧାରରେ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଅଧିକାର ନାହିଁ। ଶୁଣାଣି ସମୟରେ ମୁଖ୍ୟ ବିଚାରପତି ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, କେଉଁ ସର୍ତ୍ତ ଆଧାରରେ ସରକାର ଫେବୃଆରୀ ୫ରେ ଆଦେଶ ଜାରି କରିଥିଲେ। ଆଦେଶରେ ରାଜ୍ୟ ସରକାର ସାଂପ୍ରଦାୟିକ ସଦଭାବ ଭଙ୍ଗ କରୁଥିବା କୌଣସି ପୋଷାକକୁ ଶିକ୍ଷାନୁଷ୍ଠାନରେ ମଞ୍ଜୁରୀ ଦିଆଯିବ ନାହିଁ ବୋଲି କହିଥିଲେ।

ଏଜି କହିଛନ୍ତି, ଉଡୁପି ସରକାରୀ ପିୟୁ କଲେଜରେ ୨୦୧୩ଠୁ ୟୁନିଫର୍ମ ଲାଗୁ ହୋଇଛି। ଆଜି ପର୍ଯ୍ୟନ୍ତ ଏହା ଉପରେ କୌଣସି ବିବାଦ ହୋଇନଥିଲା। ୨୦୨୧ ଡିସେମ୍ବରରେ ପ୍ରଥମ ଥର ବିବାଦ ଆରମ୍ଭ ହୋଇଥିଲା। କଲେଜର କିଛି ଯୁବତୀ ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ସେମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେବା ଉଚିତ୍ ବୋଲି କହିଥିଲେ। ଏହା ପରେ କଲେଜ କମିଟିରେ ଏହି ପ୍ରସଙ୍ଗ ଉଠିଥିଲା। ମିଟିଂରେ କୁହାଯାଇଥିଲା ଯେ, ୧୯୮୫ ପରଠୁ ଛାତ୍ରୀ ୟୁନିଫର୍ମ ପିନ୍ଧୁଥିଲେ। ତେଣୁ କମିଟି କଲେଜରେ ପୁରୁଣା ଚାଲି ଆସିଥିବା ନିୟମ ନବଦଳାଇବାକୁ ନିଷ୍ପତ୍ତି ନେଇଥିଲେ।

ସେ କହିଛନ୍ତି, କଲେଜ୍ କମିଟି ଛାତ୍ରୀଙ୍କ ପରିଜନ ସହିତ ମଧ୍ୟ ବୈଠକ କରିଥିଲେ। ପରିଜନଙ୍କୁ  ଜଣାଇ ଦିଆଯାଇଥିଲା ଯେ, ୧୯୮୫ରୁ କଲେଜରେ ୟୁନିଫର୍ମ ଚାଲି ଆସୁଛି। ଏହା ପରେ ବି ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିଲା। ପରେ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ତେବେ କର୍ଣ୍ଣାଟକ ସରକାର ଅଦାଲତରେ କହିଛନ୍ତି ଯେ, ଆମେ ଧାର୍ମିକ ମାମଲାରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ। କେବଳ ରାଜ୍ୟ ସରକାର ସ୍କୁଲ ଏବଂ କଲେଜକୁ ନିର୍ଦ୍ଧାରିତ ୟୁନିଫର୍ମ ପିନ୍ଧି ଆସିବାକୁ ଆଦେଶ ଦେଇଥିଲେ।

nis-ad
Leave A Reply

Your email address will not be published.