ନିର୍ବାଚନ ପୂର୍ବରୁ ସ୍ଥିତି ସମୀକ୍ଷା କଲେ ଆରକ୍ଷୀ ଅଧିକ୍ଷକ


ହିଞ୍ଜିଳିକାଟୁ, ୧୫।୨(): ଫେବୃୟାରୀ ୧୬ ତାରିଖ ଠାରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ସମେତ ଗଞ୍ଜାମ ଜିଲ୍ଲାର ୫ଟି ବ୍ଳକରେ ନିର୍ବାଚନ ବୁଧବାର ଅନୁଷ୍ଠିତ ହେବ । ସୋମବାର ସନ୍ଧ୍ୟାରେ ପ୍ରାର୍ଥୀ ମାନଙ୍କ ପ୍ରଚାର ଅଭିଯାନ ଶେଷ ହେବା ପରେ ପ୍ରାର୍ଥୀ ଓ ସମର୍ଥକ ମାନେ ଭୋଟରଙ୍କୁ ହାତେଇବା ପାଇଁ ସୋମବାର ସନ୍ଧ୍ୟା ଠାରୁ ମଙ୍ଗଳବାର ରାତି ଯାଏଁ ଗୁପ୍ତ ମନ୍ତ୍ରଣା କାର୍ଯ୍ୟ ଚଲାଇଥିବା ଦେଖିବାକୁ ମିଳିଛି ।
ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁପରିଚାଳନା କରିବା ଲାଗି ୨୧ଜଣ ସେକ୍ଟର ଅଫିସର, ୩୦୭ ଜଣ ପ୍ରଥମ ପୋଲିଂ ଅଫିସର, ୩୦୭ ଜଣ ଦ୍ୱିତୀୟ ପୋଲିଂ ଅଫିସର ଏବଂ ୩୦୭ ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ପୋଚିଲିମା ପଞ୍ଚାୟତର ସୋମପୁର ବୁଥକୁ ପିଙ୍କ ବୁଥ ଭାବେ ଚିହ୍ନଟ କରାଯାଇଛି । ୩୦୭ଟି ବୁଥ ମଧ୍ୟରୁ ୧୦୦ଟି ବୁଥକୁ ସମ୍ବେଦନଶୀଳ ଓ ୨୨ଟି ବୁଥକୁ ଅତି ସମ୍ବେଦନଶୀଳ ବୁଥ ଭାବେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ସମ୍ବେଦନ ଓ ଅତି ସମ୍ବେଦନଶୀଳ ବୁଥ ଗୁଡିକ ଉପରେ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ନିର୍ବାଚନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟ ହିଞ୍ଜିଳି ଗସ୍ତରେ ଆସି ସ୍ଥାନୀୟ ଥାନାର ସିକିରି, ରାଳବ, ବ୍ରାହ୍ମଣଛାଇ, ନରେନ୍ଦ୍ରପୁର ଓ ପିତଳ ପଞ୍ଚାୟତ ବୁଲି ଦେଖିବା ସହ ସଂପୃକ୍ତ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଥିଲେ । ବିଶୃଙ୍ଖଳାକାରୀ ବ୍ୟକ୍ତି ଓ ନକଲି ଭୋଟରଙ୍କ ଉପରେ ତୀକ୍ଷ୍ମ ନଜର ରଖିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କୁ ପରାମର୍ଶ ଦେଇଥିଲେ । ଗଞ୍ଜାମ ଏସ ପିଙ୍କ ଗସ୍ତ ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର, ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ଡିଏସପି ଙ୍କ ସମେତ ହିଞ୍ଜିଳି ଥାନା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.