ସ୍ୱାଧୀନତା ର ୭୫ ବର୍ଷ ବିତି ଯାଇଥିଲେ ବି ବିକାଶର ବହୁ ଦୂରରେ ଜିଲ୍ଲାର ତିନୋଟି ଗାଁ : ନେତାଙ୍କ ମିଛ ପ୍ରତିଶୃତିରେ ଅଞ୍ଚଳ ବାସୀ ଜଳକା…

ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେନାହିଁ ବୋଲି ଚରମ ନିଷ୍ପତି…

ରାୟଗଡ଼ା :ତ୍ରୀସ୍ତରୀୟ ନିର୍ବାଚନ ପ୍ରଚାର ସରଗରମ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ମୁନିଗୁଡା, ବିଷମକଟକ ଏବଂ ଚନ୍ଦ୍ରପୁର ବ୍ଲକରେ ୧୬ରେ ହେବ ନିର୍ବାଚନ | ସମସ୍ତ ପ୍ରସ୍ତୁତି ସରିଲାଣି ନିର୍ବାଚନ ପାଇଁ | କିନ୍ତୁ ରାୟଗଡ଼ା ସହର ଉପକଣ୍ଠସ୍ଥ ବାଇସିଙ୍ଗ ପଂଚାୟତ ଅନ୍ତର୍ଗତ ତିନି ଖଣ୍ଡ ଗୁମାର ବାସିନ୍ଦା ଚଳିତ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଦୀର୍ଘ ଦିନରୁ ରାସ୍ତା ନିର୍ମାଣ ନହୋଇ ଅପନ୍ତରିଆ ଭାବେ ପଡିରହିଥିବାରୁ ସେମାନେ ଏହି ନିଷ୍ପତି ନେଇଥିବା ଜଣାଇଛନ୍ତି । କେବଳ ପଂଚାୟତ ନିର୍ବାଚନ ନୁହଁ ଯେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଗାଁକୁ ରାସ୍ତା ନିର୍ମାଣ ହେବନି ସେତେଦିନ ପର୍ଯ୍ୟନ୍ତ ଅନ୍ୟ କୌଣସି ନିର୍ବାଚନରେ ସେମାନେ ମତ ସାବ୍ୟସ୍ତ କରିବେନି ବୋଲି ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ସଦରମହକୁମା ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଥିବା ତିନି ଗ୍ରାମବାସୀ ଏହି କଡ଼ା ନିଷ୍ପତି ନେବା ପ୍ରଶାସନର ପାରିବା ପଣିଆ ପ୍ରତି ଅଙ୍ଗୁଳି ଉଠାଇଛି । କାରଣ ରାସ୍ତା ନିର୍ମାଣ ପାଇଁ ସରକାର ମାଳ ମାଳ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ବହୁ ଅଂଚଳରେ ତାହା ରୂପାୟନ ହୋଇପାରୁନାହିଁ । ଫଳରେ ଜନସାଧରଣ ଗଣତନ୍ତ୍ରର ଏହି ମହାନ ପର୍ବରୁ ନିଜକୁ ଦୂରେଇ ରଖିବା ପାଇଁ ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି । ଏହି ୩ ଗ୍ରାମହେଲା ମାରିଗୁଡ଼ା, ପୂଜାରିବାରୁ ଏବଂ ଜାଗାଗୁଡ଼ା । ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏହି ଗାଁ ଗୁଡ଼ିକର ଦୂରତା ମାତ୍ର ୫ କିଲୋମିଟର ହେଲେ ବିଡ଼ମ୍ବନାର ବିଷୟ ଦୀପ ତଳ ଅନ୍ଧାର ଭଳି ତିନୋଟି ଗ୍ରାମରେ ଅଦ୍ୟାବଧି ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରୁନାହିଁ । ୩ ଗ୍ରାମର ବାସିନ୍ଦା ରାସ୍ତା ନିର୍ମାଣ ନିମନ୍ତେ ବାରମ୍ବାର ପ୍ରଶାନର ଦ୍ଵାରସ୍ତ ହୋଇଛନ୍ତି । ପଂଚାୟତ ଠାରୁ ବ୍ଳକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକାଧିକ ବାର ଦୌଡ଼ି ନୟାନ୍ତ ହେବାପରେ ସେମାନଙ୍କ ଭରସା ତୁଟିଯାଇଛି । ସରକାର ଏବଂ ପ୍ରଶାସନ ଉପରୁ ଆସ୍ଥା ତୁଟାଇବା ପରେ ଆଉ କାହାକୁ ସେମାନେ ଅଭିଯୋଗ କରିବେ ନାହିଁ ବୋଲି ନିଷ୍ପତି ନେବାସହ ଚଳିତ ପଂଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ମାରିଗୁଡ଼ା ଠାରୁ ପୂଜାରିବାମ୍ବୁ ପର୍ଯ୍ୟନ୍ତ ରାସ୍ତାର ଲମ୍ବା ପ୍ରାୟ ୬ କିଲୋମିଟର ରହିଛି ଏହି ରାସ୍ତା ନିର୍ମାଣ ହେଲେ ପୂଜାରିବାମ୍ବୁ ଏବଂ ଜାଗାଗୁଡ଼ା ଗ୍ରାମବାସୀଙ୍କ ଯାତାୟତ ସୁବିଧା ହେବା ସହ ବନ୍ଧୁଙ୍କ ଘରକୁ ଯିବାପାଇଁ ମାରିଗୁଡ଼ା ଗ୍ରାମର ଲୋକେ ସୁବିଧା ପାଇବେ । ଏତଦ ବ୍ୟତିତ ମାରିଗୁଡ଼ା ଗ୍ରାମର ଅନେକ ଲୋକଙ୍କ ଚାଷଜମି ସେହି ରାସ୍ତାରେ ଅବସ୍ଥିତ । ତେଣୁ ଏହି ୬ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ଗ୍ରାମବାସୀମାନେ ୨୦୧୮ ମସିହାରୁ ଦାବି କରିଆସୁଛନ୍ତି । ଏଭଳିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଗ୍ରାମବାସୀଙ୍କ ତରଫରୁ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇବା ପରେ ତୁରନ୍ତ ଉକ୍ତ ରାସ୍ତା ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମଧ୍ୟ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଭୃକ୍ଷେପ ନକରି ଅବହେଳା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କେବଳ ତଥ୍ୟ ପ୍ରଦାନ କରି ବର୍ତମାନ ସୁଦ୍ଧା ଚୁପ ବସିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ରାସ୍ତାର ନିର୍ମାଣ ନିମନ୍ତେ ୨୦୨୦ ମେ ୧୮ ତାରିଖରେ ୧୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ ହୋଇଥିବା ରାୟଗଡ଼ା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା । ମନରେଗା ଯୋଜନାରେ ରାସ୍ତା ନିର୍ମାଣ କରାଯିବ ବୋଲି ବିଡ଼ିଓ ପ୍ରତିଶୃତି ମଧ୍ୟ ଦେଇଥିଲେ । ତେବେ ବିଡ଼ିଓ ବଦଳିଲେ ନିୟମ ବଦଳିବା ଭଳି ପୂର୍ବତନ ବିଡ଼ିଓଙ୍କ ବଦଳି ପରେ ଏହି ରାସ୍ତା ନିର୍ମାଣ ଆଉ ହାତକୁ ନିଆଯାଇନାହିଁ । ଫଳରେ ଗ୍ରାମବାସୀମାନେ ଆଉ ପ୍ରଶାସନ ନିକଟକୁ ଯିବେନାହିଁ ଏବଂ କୌଣସି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେନାହିଁ ବୋଲି ଚରମ ନିଷ୍ପତି ଗ୍ରହଣ କରିଛନ୍ତି । ବର୍ତମାନ ଏହି ଖବର ପରେ କେଉଁ ରାଜନୈତିକ ଦଳ କି ପ୍ରକାର ପ୍ରତିଶୃତି ଦେବେ ତାହା ଦେଖିବାକୁ ବାକି ରହିଲା | ଗାଁକୁ ରାସ୍ତା ହେବ ନା ଖାଲି ପ୍ରତିଶୃତି ରହିବ ଏବଂ ଏନେଇ ଜିଲ୍ଲା ପ୍ରଶାସନ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ପ୍ରଶ୍ନବାଚୀ |

nis-ad
Leave A Reply

Your email address will not be published.