ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର : ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ ସୁଦ୍ଧା ତହସିଲ ଗୁଡିକରେ ଜନସାଧାରଣଙ୍କ ଅଭିଯୋଗ ଓ ସାଧାରଣ ସେବାକୁ ପ୍ରାଧାନ୍ୟ ଦିଆଯିବ । ଯେ କୌଣସି ହାଲତରେ ଜନସାଧାରଣ ସେବା ପାଇବାରେ ଯେପରି ବଞ୍ଚିତ ହେବେ ନାହିଁ ସେଥିପ୍ରତି ସବୁ ତହସିଲ ଗୁଡିକ କାର୍ଯ୍ୟ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ୍ କକ୍ଷରେ ଭର୍ଚୁଆଲ୍ ମାଧ୍ୟମରେ ତହସିଲୱାରୀ ରାଜସ୍ୱ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରି ଜିଲ୍ଲାର ସମସ୍ତ ତହସିଲଦାର ଏବଂ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୨୨ ହଜାରୁ ଅଧିକ ହିତାଧିକାରୀଙ୍କ ଗ୍ରାମକଣ୍ଠକ ମାମଲା ଫଇସଲା କରିବା ଲକ୍ଷ୍ୟ ରହିଛି । ଏବେ ସୁଦ୍ଧା ୬୫ ହଜାର ହିତାଧିକାରୀଙ୍କ ଗ୍ରାମକଣ୍ଠକ ମାମଲାର ଆବେଦନ ଗ୍ରହଣ ହୋଇଛି । ଆବେଦନ କରିଥିବା ହିତାଧିକାରୀଙ୍କ ମାମଲା ଗୁଡିକ ଫଇସଲା କରିବା ପାଇଁ ସବୁ ତହସିଲ ସ୍ତରରେ କାମ ଚାଲୁ ରହିଛି । ଫେବୃୟାରିରେ ୫୦ ପ୍ରତିଶତ ଏବଂ ମାର୍ଚ୍ଚ ଶେଷ ସୁଦ୍ଧା ବାକି ୫୦ ପ୍ରତିଶତ ହିତାଧିକାରୀଙ୍କୁ ଗ୍ରାମକଣ୍ଠକ ପଟ୍ଟା ବଣ୍ଟନ କରିବା ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି ।
ସେହିପରି ତହସିଲ ସ୍ତରରେ ଥିବା ସମସ୍ତ ଖଣିଜ ଦ୍ରବ୍ୟ ସୈରାତ୍ ଗୁଡିକ ଉପରେ ତୀକ୍ଷଣ ନଜର ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ୫୭ଟି ସୈରାତ୍ କାର୍ଯ୍ୟକ୍ଷମ କରିବା ପାଇଁ ମଞ୍ଜୁର ହୋଇଥିବା ବେଳେ ସୈରାତ୍ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ପଦକ୍ଷେପ ନିଆଯିବ । ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡିକୁ ନିଜସ୍ୱ ନାମରେ ଜମି ପଟ୍ଟା ପ୍ରଦାନ କରିବା କାର୍ଯ୍ୟକୁ ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପନ୍ନ କରିବାକୁ କୁହାଯାଇଛି । ବେବନ୍ଦୋବସ୍ତ ସମୟସୀମା ଡିସେମ୍ବର ମାସ ପାଇଁ ବର୍ଦ୍ଧିତ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆବେଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉ । ବସୁନ୍ଧରା ଯୋଜନାରେ ୧ ହଜାର ଜମିହୀନ ହିତାଧିକାରୀଙ୍କୁ ଜାଗା ଦେବାକୁ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ବକେୟା ବେବନ୍ଦୋବସ୍ତ ମାମଲାକୁ ବନ୍ଦୋବସ୍ତ କରିବା ପାଇଁ ତ୍ୱରିତ ପ୍ରକ୍ରିୟା କରିବା ଏବଂ ଜିଲ୍ଲାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବା ୮୧ କୋଟି ଟଙ୍କା ରାଜସ୍ୱ ଆଦାୟ ଦିଗରେ ସମୀକ୍ଷା କରି ଗୁରୁତ୍ୱ ଦେବାକୁ କହିଛନ୍ତି । ସେହିପରି ୮ଟି ତହିସଲର ୫୭ଟି ପଡା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିବର୍ତ୍ତନ କରିବା ପାଇଁ ଲକ୍ଷ୍ୟ ରହିଛି । ତୁରନ୍ତ ସମସ୍ତ କାମ ଶେଷ କରାଗଲେ ମାର୍ଚ୍ଚ ଶେଷ ସୁଦ୍ଧା ଉକ୍ତ ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଘୋଷଣା କରାଯିବ । ଏହାସହ କରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାର ତଥା ଉତ୍ତାରାଧିକାରୀଙ୍କୁ ୫୦ ହଜାଲ ଲେଖାଁଏ ସହାୟତା ଫେବୃୟାରୀ ଶେଷ ସୁଦ୍ଧା ସମ୍ପନ୍ନ କରିବା ପାଇଁ କୁହାଯାଇଛି । ବୈଠକରେ ରାଜସ୍ୱ ଡେପୁଟି କଲେକ୍ଟର ରାଜକିଶୋର ଜେନା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଡେପୁଟି କଲେକ୍ଟର ତାଉଜି ଦେବେନ୍ଦ୍ରନାଥ ସାହୁ, ବିଭାଗୀୟ ଅଧିକାରୀ (ରାଜସ୍ୱ) ଅଖିଳ କୁମାର ସାବତଙ୍କ ସହ ସବୁ ତହସିଲଦାର, ଅତିରିକ୍ତ ତହସିଲଦାର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.