ପରଲୋକରେ ଦେଶର ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ୍‌

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ତଥା ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି। ଶନିବାର ଅପରାହ୍ଣ ୨ଟା ୩୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ବାଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ଶେଷକୃତ୍ୟ ଆସନ୍ତାକାଲି ସଂପନ୍ନ କରାଯିବ।
ରାହୁଲ ବଜାଜ୍ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ସେ ଦୃଦ୍‌ରୋଗରେ ବି ପୀଡ଼ିତ ଥିଲେ। ମାସେ ହେଲାଣି ତାଙ୍କୁ ଏକ ଘରୋଇ ହସ୍‌ପିଟାଲ୍‌ରେ ରଖାଯାଇଥିଲା।
ରାହୁଲ ବଜାଜ୍‌ ୧୯୩୮ ମସିହା ଜୁନ୍ ୧୦ ତାରିଖରେ ଜନ୍ମ ହୋଇଥିଲେ। ସେ ୪୦ ବର୍ଷ ଧରି ବଜାଜ୍ ଗ୍ରୁପ୍‌ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଗତ ବର୍ଷ ଏପ୍ରିଲ୍‌ ମାସରେ ସେ ବଜାଜ୍ ଅଟୋର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।
ତାଙ୍କ କମ୍ପାନୀର ଟ୍ୟାଗ୍ ଲାଇନ୍ ‘ୟୁ ଜଷ୍ଟ କାଣ୍ଟ୍‌ ବିଟ୍‌ ଏ ବାଜାଜ’ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା। ସେହିପରି ଦୁଇ ଚକିଆ ଯାନ ପାଇଁ ତାଙ୍କର ଆଉ ଏକ ଚର୍ଚ୍ଚିତ ଟ୍ୟାଗ ଲାଇନ୍‌ ‘ହମାରା ବଜାଜ୍’ ମଧ୍ୟ ଉପଭୋକ୍ତାଙ୍କ ହୃଦୟକୁ ଛୁଇଁ ପାରିଥିଲା।
୨୦୦୧ରେ ତାଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ରେ ସମ୍ମାନିତ କରାଯାଇଥିଲା। ସେ ରାଜ୍ୟସଭା ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
ରାହୁଲ ବଜାଜ୍‌ଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ତାଙ୍କ ପତ୍ନୀଙ୍କ ପରଲୋକ ହୋଇସାରିଛି।
ରାହୁଲ ବଜାଜ୍‌ଙ୍କ ପରଲୋକରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ନାରାୟଣ ରାଣେ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନ୍‌ସିପି ସୁପ୍ରିମୋ ଶରଦ ପାୱାର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ, ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନବାବ ମଲ୍ଲିକ, ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ, କଂଗ୍ରେସ ନେତା ଅଭିଷେକ ମନୁ ସାଂଘଭି ଓ ଅନ୍ୟ ବହୁ ବିଶିଷ୍ଟ ଲୋକ ଦୁଃଖ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

nis-ad
Leave A Reply

Your email address will not be published.