କୋଟିଆ ଭୋଟରଙ୍କୁ ଜଙ୍ଗଲ ଜମିପଟ୍ଟା ବାଣ୍ଟୁଛି ଆନ୍ଧ୍ର : ଓଡିଶା ପ୍ରଶାସନ ନିରବ ଦ୍ରଷ୍ଟା…!

କୋରାପୁଟ: କୋଟିଆ ପଞ୍ଚାୟତର 21ଟି ଗାଁ ମଧ୍ୟରୁ ଫଗୁଣସିନେରି, ଫାଟୁସିନେରି, ଡୋଲିଆମ୍ବ, କୋନାଦରା, ସଲପଗୁଡା, କୋଟିଆ, ମାଡକାର ପ୍ରଭୃତି ଅଞ୍ଚଳରେ ଏକ ଭିନ୍ନ ପ୍ରୟାସ ଦେଖିବାକୁ ମିଳିଛିି । 200 ଲୋକଙ୍କୁ ସଲପଗୁଡ଼ା ଠାରେ ଏକାଠି କରି ଆଜି ଆନ୍ଧ୍ରପ୍ରଦେଶ ରାଜ୍ୟ ଆଦିବାସୀ ଆଇନ ପରାମର୍ଶଦାତା ମହେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଆଇଟିଡିଏ ଦ୍ୱାରା ଦିଆଯାଉଥିବା ଜଙ୍ଗଲ ଜମିପଟ୍ଟା ବଣ୍ଟନ କରିଥିଲେ । କୋଟିଆରେ ଭୋଟରଙ୍କୁ ଉସୁକାଉଛି ଆନ୍ଧ୍ରସେମାନେ ଆନ୍ଧ୍ରପ୍ରଦେଶ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଯୋଜନା ଓ ସୁବିଧା ସମ୍ପର୍କରେ ଉଦବୋଧନ ଦେବା ସହ ସେହି ଅଞ୍ଚଳର ଆଦିବାସୀ ଓଡ଼ିଶାରେ ରହିଲେ ନାନା ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ଥିବାରୁ ଆନ୍ଧ୍ରପ୍ରଦେଶରେ ରହିବା ପାଇଁ ସବୁଠି ଚାପ ପ୍ରୟୋଗ କରିବା ପାଇଁ ଉସୁକାଇଥିଲେ । ଏଥି ସହିତ ଚଳିତ ମାସ କୋଟିଆରେ ଓଡ଼ିଶାରେ ହେଉଥିବା ପଞ୍ଚାୟତ ନିର୍ବାଚନକୁ ସାମୁହିକ ବର୍ଜନ କରିବା ଦିଗରେ ଶପଥ ନେବା ପାଇଁ ପ୍ରବର୍ତ୍ତାଇଥିଲେ । ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ନେତୃବର୍ଗ ତଥା ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ଆସୁଥିବା ସରକାରୀ କର୍ତ୍ତୃପକ୍ଷଙ୍କୁ ଏ ଅଞ୍ଚଳରେ ପ୍ରବେଶ କରାଇ ନଦେବା ପାଇଁ ମଧ୍ୟ ସେମାନେ ଲୋକଙ୍କୁ ପ୍ରବର୍ତ୍ତାଇଛନ୍ତି । ଏହି ସଭାରେ ଆନ୍ଧ୍ରପ୍ରଦେଶ ଦ୍ୱାରା ଚୟନ କରାଯାଇଥିବା ସମସ୍ତ ଗ୍ରାମର ସରପଞ୍ଚ, ଡେପୁଟି ସରପଞ୍ଚ, ୱାର୍ଡ ମେମ୍ବର, MPTC, ସ୍ବେଚ୍ଛାସେବୀଙ୍କ ସମେତ ଆଦିବାସୀ ବିକାଶ ପରିଷଦ ସାଲୁର ଜିଲ୍ଲା ଉପାଧ୍ୟକ୍ଷ, ପାଚିପେଣ୍ଟା ମଣ୍ଡଳ ଆଦିବାସୀ ବିକାଶ ପରିଷଦ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ ଘୋଷଣା କରାଯିବା ପର ଠାରୁ ଆନ୍ଧ୍ର ସରକାରଙ୍କ ତରଫରୁ ଗଞ୍ଜେଇପଦର ଠାରେ ଜଙ୍ଗଲ ଜମିପଟ୍ଟା ବଣ୍ଟନ, ସେମ୍ବି ନିକଟରେ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ କାର୍ଡ ରେଜିଷ୍ଟ୍ରେସନ କରିବା ଭଳି କାର୍ଯ୍ୟ ସମ୍ପାଦିତ କରି ଭୋଟରଙ୍କ ଭିତରେ ଆନ୍ଧ୍ର ପ୍ରତି ଆକର୍ଷିତ କରାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଆଜିର ସଭା ଆନ୍ଧ୍ରର ଅନୁପ୍ରବେଶ ଚରମ ସୀମାରେ ପହଞ୍ଚିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଚର୍ଚ୍ଚା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଆନ୍ଧ୍ର ଦ୍ୱାରା ଏପରି ପଟ୍ଟା ବଣ୍ଟନ ଓ ବାରମ୍ବାର ଗସ୍ତକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଛନ୍ତି । କୋଟିଆରେ ପଞ୍ଚାୟତ ନିର୍ବାଚନ ଓ ପ୍ରଚାରରେ ବାଧା ଉପୁଜାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ବାରମ୍ବାର ଚେତାବନୀ ଦେଇଆସୁଥିବା ବେଳେ ବାସ୍ତବରେ କେବେ ଅସାମାଜିକ ବ୍ୟକ୍ତିଙ୍କ ଏପରି ଅନୁପ୍ରବେଶ ବନ୍ଦ ହେବ ତାହାରି ଅପେକ୍ଷାରେ ରହିଛନ୍ତି ଅଞ୍ଚଳବାସୀ । 

nis-ad
Leave A Reply

Your email address will not be published.