ମାଓ ମୁକାବିଲା ପାଇଁ ରାୟଗଡା ପୋଲିସର ଅପରେସନ୍ ଆରମ୍ଭ :ଜିଲ୍ଲାରେ ଦୁଇଟି ବଡ ଧରଣର ମାଓ ହିଂସା ପରେ ତତ୍ପର ହୋଇ ଉଠିଛି ପୋଲିସ…

ରାୟଗଡ :- ରାୟଗଡ଼ ଜିଲ୍ଲା ସୀମାରେ ଥିବା ପଡୋଶୀ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ମାଓ ହିଂସା ପରେ ବଡ ଧରଣର ଅପରେସନ ପାଇଁ ତଥା ମୁକାବିଲା ପାଇଁ ଜିଲ୍ଲାର ଯବାନ ମାନେ ଏବେ ବାହାରିଛନ୍ତି। ଅଳ୍ପ ଦିନର ବ୍ୟବଧାନରେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଦୁଇଟି ବଡ ଧରଣର ମାଓ ହିଂସା ପରେ ତତ୍ପର ହୋଇ ଉଠିଛି ରାୟଗଡା ପୋଲିସ । ରାୟଗଡା ଜିଲ୍ଲା ଭିତରେ ମାଓବାଦୀ ହିଂସା ଏଡାଇବା ପାଇଁ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏକ ବଡଧରଣର ଅପରେସନ୍ ।ଆଜି ଠାରୁ ଏହି ଅପରେସନ ଆରମ୍ଭ ହୋଇଥିବାବେଳେ ପଞ୍ଚାୟତ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ରାୟଗଡା ଏସପି । ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ ଘଟାଇବା ଲକ୍ଷ୍ୟରେ ମାଓବାଦୀ ରାୟଗଡା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ଟାର୍ଗେଟ କରିଛନ୍ତି । ଏହି ୩ ଜିଲ୍ଲାର ସୀମାନ୍ତରେ ମାଓବାଦୀଙ୍କ ଭିନ୍ନ ଭିନ୍ନ ଟିମ ଘୁରି ବୁଲିବା ସହ ପଞ୍ଚାୟତ ନିର୍ବାଚନକୁ ବିଫଳ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଗୁଇନ୍ଦା ସୂଚନା ଦେବା ପରେ ଆରମ୍ଭ ହୋଇଛି ଏହି ଅପରେସନ । ଏସ ଓ ଜି, ଡିଭିଏଫ, ବିଏସଏଫ ଏବଂ ସିଆରପିଏଫ ଯବାନଙ୍କୁ ଆଜି ଠାରୁ କୁମ୍ବିଂ ଅପରେସନ ନିୟୋଜିତ କରାଯାଇଛି । ରାୟଗଡା ଜିଲ୍ଲା ସୀମାକୁ ଲାଗିଥିବା କଳାହାଣ୍ଡି ଓ କନ୍ଧମାଳ ଅଞ୍ଚଳରେ ଜୋରଦାର ଅପରେସନ ଆରମ୍ଭ କରାଯାଇଛି । ବ୍ୟାପକ ଫୋର୍ସ ଆଜି ସେହି ଅଞ୍ଚଳକୁ ଯାଇଛନ୍ତି ।ଭିନ୍ନ ଭିନ୍ନ ରୁଟରେ ଯାଇ କୁମ୍ବିଂ ଅପରେସନ ଚାଲୁଥିବା ଜଣାପଡିଛି । ମୁଖ୍ୟତଃ ନିୟମଗିରି ପାହାଡ ଅଞ୍ଚଳରେ ଅଧିକ ଫୋର୍ସ ନିୟୋଜିତ ହୋଇଛନ୍ତି । କାରଣ ସୀମାନ୍ତ କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଘଟାଇ ନିୟମଗିରି ପାହାଡକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଛନ୍ତି ବୋଲି ସୂଚନା ରହିଛି ।ଏପଟେ ଆସନ୍ତା ୧୬ ତାରିଖରେ ତ୍ରୀସ୍ତରୀୟ ପଞ୍ଚୟତ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ରାୟଗଡା ଜିଲ୍ଲାର ସର୍ବାଧିକ ମାଓବାଦୀ ପ୍ରବଣ ଅଞ୍ଚଳ ଚନ୍ଦ୍ରପୁର, ବିଷମକଟକ ଓ ମୁନିଗୁଡା ବ୍ଳକରେ ଏହା ଅନୁଷ୍ଟିତ ହେବ । ଏଣୁ ଏହି ୩ ବ୍ଳକରେ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ କରାଇବା ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ମାଓବାଦୀ ବିଭିନ୍ନ ସ୍ଥାନରେ ଆଇଡି ଏବଂ ପ୍ରେସର ବୋମା ଖଞ୍ଜିଥିବା ଯୋଗୁଁ ନିର୍ବାଚନ ପୁଲିଂ ଟିମ ଟାର୍ଗେଟ ହେବାର ସମ୍ଭାବନାକୁ ଏଡାଇ ହୋଇ ପାରୁନାହିଁ ।ତେବେ ୧୬ ତାରିଖ ପୂର୍ବରୁ ମାଓବାଦୀଙ୍କୁ ଅପହଞ୍ଚ ଇଲାକା ଆଡକୁ ପଠାଇବା ପାଇଁ ଏହି ଅପରେସନ କରାଯାଉଛି । ଏଥିସହ ନିର୍ବିଘ୍ନରେ ନିର୍ବାଚନ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଏସପି ବିବେକାନନ୍ଦ ଶର୍ମା କହିଛନ୍ତି । ସେହିଭଳି ବିଭିନ୍ନ ସ୍ପର୍ଶକାତର ଅଞ୍ଚଳରେ ମାଓବାଦୀ ବୋମା ଖଞ୍ଜିଥିବା ସମ୍ଭାବନା ରହିଥିବାରୁ ନିୟମିତ ଭାବେ ବୋମା ନିଷ୍କ୍ରିୟକାରୀ ଦଳ ଅନୁସନ୍ଧାନ କରିବା ସହ ତାହା ନିଷ୍କ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଏସପି ସୂଚନା ଦେଇଛନ୍ତି ।ସେହିପରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ମାଓ ଖବର ସଂଗ୍ରହ କରିବାକୁ ଯିବା ସମୟରେ ସତର୍କ ରହିବା ପାଇଁ କହିଛନ୍ତି ଏସପି । ଖବର ସଂଗ୍ରହ ପାଇଁ ଯିବାବେଳେ ହଠାତ କୌଣସି ସ୍ଥାନକୁ ନଯିବା ସହ ଦୂରତା ବଜାୟ ରଖି ଖବର ସଂଗ୍ରହ କରିବାକୁ ସେ କହିଛନ୍ତି ।

nis-ad
Leave A Reply

Your email address will not be published.