ଶାନ୍ତିଶୃଙ୍ଖଳାର ସହ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ସମସ୍ତଙ୍କୁ ଅନୁରୋଧ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ…

ମତଦାନ ପାଇଁ ଜିଲ୍ଲାରେ ମୋଟ ୩,୬୨୩ଟି ବୁଥ୍

ସୁନ୍ଦରଗଡ଼ : ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୁନ୍ଦରଗଡ଼ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

‘‘ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୁଥ୍ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥରେ ସଠିକ୍ ଭାବେ କିପରି ନିର୍ବାଚନ ପରିଚାଳନା କରାଯିବ ସେଥିପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଏନେଇ ଜିଲ୍ଲାର ସମସ୍ତ ୧୭ଟି ଯାକ ବ୍ଲକରେ ପ୍ରିଜାଇଡିଙ୍ଗ ଅଫିସର, ପୋଲିଂ ଅଫିସରଙ୍କ ସହିତ ଅନ୍ୟ କର୍ମଚାରୀମାନଙ୍କୁ ପର୍ଯ୍ୟାୟକ୍ରମେ ତାଲିମ ଦିଆଯାଉଛି’’, କହିଛନ୍ତି ନିଖିଲ ପବନ କଲ୍ୟାଣ।

ରାଜ୍ୟରେ ଫେବ୍ରୁଆରି ୧୬ ତାରିଖରୁ ୨୪ ତାରିଖ ଯାଏଁ ପାଞ୍ଚଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୩ ହଜାର ୬୨୩ଟି ବୁଥ୍ କରାଯାଇଛି। ସେଥିମଧ୍ୟରୁ ୧ ହଜାର ୬୯୮ଟି ସମ୍ବେଦନଶୀଳ ବୁଥ୍ ରହିଥିବା ବେଳେ ୪୨୭ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଏହି ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ମତଦାନ କେନ୍ଦ୍ରରେ ଭିଡିଓଗ୍ରାଫି ଓ ଫୋଟୋଗ୍ରାଫି କରିବାର ବ୍ୟବସ୍ଥା କରାଯିବ। ମହିଳା ଭୋଟରଙ୍କ ପାଇଁ କେତୋଟି ସ୍ଥାନରେ ସ୍ୱତନ୍ତ୍ର ବୁଥ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, କୋଭିଡ୍ ଗାଇଡଲାଇନ ଭିତରେ ଏଥର ପଞ୍ଚାୟତ ନିର୍ବାଚନ ପରିଚାଳନା କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ଥିବା ସମସ୍ତ ପ୍ରିଜାଇଡିଙ୍ଗ ଅଫିସର, ପୋଲିଂ ଅଫିସରଙ୍କ ସହିତ ଅନ୍ୟ କର୍ମଚାରୀମାନଙ୍କୁ ପ୍ରିକସନ୍ ବା ବୁଷ୍ଟର ଡୋଜ୍ ଦିଆଯାଉଛି। ମତଦାନ ଏବଂ ଭୋଟ ଗଣତି ବେଳେ ମଧ୍ୟ କୋଭିଡ୍ ନିୟମକୁ ପାଳନ କରାଯିବ।

ପ୍ରିଜାଇଡିଙ୍ଗ୍ ଏବଂ ପୋଲିଂ ଅଫିସରମାନଙ୍କର ଫେବ୍ରୁଆରି ୫ ତାରିଖରେ ପ୍ରଥମ ପର୍ଯ୍ୟାୟ ତାଲିମ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୧୨ ତାରିଖରେ ହେବ। ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ତାଲିମ ନେଇପାରି ନାହାନ୍ତି ସେମାନେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।

ପଞ୍ଚାୟତ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଆବଶ୍ୟକ ବାଲାଟ୍ ପେପର, ଭୋଟ୍ ବାକ୍ସ ସହିତ ବିଭିନ୍ନ ଉପକରଣ ପହଞ୍ଚି ଯାଇଛି। ଏସବୁ ଜିଲ୍ଲାର ବିଭିନ୍ନ ବ୍ଲକରେ କରାଯାଇଥିବା ଷ୍ଟ୍ରଙ୍ଗରୁମଗୁଡ଼ିକରେ ସୁରକ୍ଷିତ ଭାବେ ରଖାଯାଇଛି। ମତଦାନ ପୂର୍ବରୁ ବିଭିନ୍ନ ବୁଥକୁ ଏସବୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ କହିଛନ୍ତି।

ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳିତ ଥର ବୁଥସ୍ତରରେ ଭୋଟ ଗଣତି କରାଯିବ ନାହିଁ। ପ୍ରତି ବ୍ଲକସ୍ତରରେ ଗୋଟିଏ ଲେଖାଏଁ କେନ୍ଦ୍ରରେ ଭୋଟ ଗଣନା କରାଯିବ। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ଦିନ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ତାଜା ସୂଚନା ଦେବା ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ପଞ୍ଚାୟତ ଅଧିକାରୀ କୃଷ୍ଣଚନ୍ଦ୍ର ଅଢା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳଙ୍କ ସହିତ ସୁନ୍ଦରଗଡ଼ ଉପଖଣ୍ଡ ପାଇଁ ନିୟୋଜିତ ନିର୍ବାଚନ ପର୍ଯ୍ୟବେକ୍ଷକ ତଥା ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ରାୟ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା।

nis-ad
Leave A Reply

Your email address will not be published.