ଲଖିମପୁର ହିଂସା : ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ ହୋଇଥିବା କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ମିଳିଲା ଆଶ୍ୱସ୍ତି। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ। ଲକ୍ଷ୍ନୌ ହାଇକୋର୍ଟ ବେଞ୍ଚ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ପୂର୍ବରୁ ଆଶିଷଙ୍କ ଜାମିନ ଆବେଦନର ଶୁଣିଣା ପୂରଣ ହୋଇସାରିଥିଲା। ଆଜି କୋର୍ଟ ନିଜ ନିଷ୍ପତ୍ତି ଶୁଣାଇ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆସନ୍ତା କାଲି ସୁଦ୍ଧା ଆଶିଷ ମିଶ୍ରା ଜେଲ୍‌ରୁ ବାହାରିବା ନେଇ ଅଶା କରାଯାଉଛି।
ସୂଚନା ମୁତାବକ, ନିକଟରେ ଲଖିମପୁର ଖେରି ହିଂସା ମାମଲାରେ ଉତ୍ତରପ୍ରଦେଶ ଏସ୍‌ଆଇଟି ଚାର୍ଜସିଟ୍‌ ଦାଖଲ କରିଥିଲା। ୫ ହଜାର ପୃଷ୍ଟା ସମ୍ବଳିତ ଏହି ଚାର୍ଜସିଟ୍‌ରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ରୂପେ ଏସ୍‌ଆଇଟି ଦର୍ଶାଇଥିଲା। କେବଳ ସେତିକି ନୁହେଁ ଏସ୍‌ଆଇଟି ମୁତାବକ, କୃଷକଙ୍କ ଉପରେ ଗାଡି ଚଢ଼ାଇବା ଏବଂ ହିଂସା କାଣ୍ଡ ବେଳେ ଆଶିଷ ମିଶ୍ରା ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ଏସ୍‌ଆଇଟି ନିଜ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଲଖିମପୁର ହିଂସାରେ ଆଶିଷ ମିଶ୍ରା ନିଜ ସହଯୋଗିଙ୍କ ବନ୍ଧୁକରୁ ହିଁ ଗୁଳି ଚଳାଇଥିବା ନେଇ ସ୍ପଷ୍ଟ ହୋଇଛି। ଖାଲି ସେତିକି ନୁହେଁ ମନ୍ତ୍ରୀଙ୍କ ପୁଅଙ୍କ ରିଭଲଭର ଏବଂ ରାଇଫଲରୁ ମଧ୍ୟ ଗୁଳି ବିନିମୟ ହୋଇଥିଲା। ଚାର୍ଜସିଟରେ ଆଶିଷ ମିଶ୍ରା ଏବଂ ଅଙ୍କିତ ଦାସଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଫୁଟାଯାଇଥିବା ବିଷୟରେ ଏସଆଇଟି କହିଥିଲା।
ସୂଚନା ମୁତାବକ, ୨୦୨୧ ଅକ୍ଟୋବର ୩ରେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ସେମାନଙ୍କ ଉପରେ ଗାଡ଼ି ଚଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୩ ଜଣ ପ୍ରାଣ ହରାଇଥିଲେ।
ଗାଡ଼ି ଚଡ଼ାଇ ଚାଷୀଙ୍କୁ ହତ୍ୟା କରାଯିବା ପଛରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ଆଶିଷଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରି ଘଟଣାର ତଦନ୍ତ କରିଥିଲା।

nis-ad
Leave A Reply

Your email address will not be published.