୧୦୦୦ତମ ଦିନିକିଆରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ଅହମ୍ମଦାବାଦ : ନିଜର ୧୦୦୦ ତମ ଦିନିକିଆରେ ବାଜିମାତ୍ କଲା ଭାରତ। ଏଠାରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରି ଓ୍ଵେଷ୍ଟଇଣ୍ଡିଜକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି।

ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୪୩.୫ ଓଭରରେ ୧୭୬ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଜାସନ ହୋଲଡର ସର୍ବାଧିକ ୫୭ ରନ କରିଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ(୪ ଓ୍ଵିକେଟ୍) ଓ ଓ୍ଵାଶିଂଟନ ସୁନ୍ଦର(୩)ଙ୍କ ଘାତକ ବୋଲିଂ ଭ୍ରମଣକାରୀ ଦଳକୁ ବଡ ସ୍କୋର କରିବାକୁ ଦେଇନଥିଲେ। ଏହାର ଜବାବରେ ଭାରତ ୨୮ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୬୦ ରନର ଦମଦାର ଇନିଂସ ଖେଳିଥିଲେ। ସୂର୍ଯ୍ୟକୁମାର ଯାଦବ(୩୪) ଏବଂ ଦୀପକ ହୁଡ୍ଡା(୨୮) ଅପରାଜିତ ରହି ଦଳକୁ ୬ ଓ୍ଵିକେଟ୍‌ରେ ବିଜୟୀ କରାଇଛନ୍ତି। ସିରିଜ୍‌ର ଦ୍ଵିତୀୟ ଦିନିକିଆ ଫେବୃଆରୀ ୯ରେ ଖେଳାଯିବ।

୧୭୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ରୋହିତ ଶର୍ମା ଓ ଇଶାନ କିଶନ। ରୋହିତ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଇଣ୍ଡିଜ ବୋଲରଙ୍କୁ ଚାପରେ ରଖିଥିଲେ। ଏହି କ୍ରମରେ ରୋହିତ ୪୪ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ଓପନର ପ୍ରଥମ ଓ୍ଵିକେଟ୍‌ରେ ୮୪ ରନ ଯୋଡି ବିଜୟର ମୂଳଦୁଆ ପକାଇଥିଲେ। ରୋହିତ ୫୧ ବଲରୁ ୧୦ ଚୌକା ଓ ୧ ଛକା ସହ ୬୦ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଭାରତ ସଅଳ ତିନୋଟି ଓ୍ଵିକେଟ୍ ହରାଇଥିଲା। ବିରାଟ କୋହଲି କ୍ରିଜରେ ଅଧିକ ସମୟ ତିଷ୍ଠିନଥିଲେ। ସେ ମାତ୍ର ୮ ରନ କରି ବିଦାୟ ନେଇଥିଲେ। କ୍ରିଜରେ ଜମି ରହିଥିବା ଇଶାନ କିଶନ ୨୮ ରନ କରି ପାଭିଲିୟନ ଫେରିଥିଲେ। ଋଷଭ ପନ୍ତ ଦୁର୍ଭାଗ୍ୟପୂର୍ଣ୍ଣ(୧୧) ରନ ଆଉଟ୍ ହୋଇଥିଲେ।

୧୧୬ ରନରେ ୪ ଓ୍ଵିକେଟ୍ ହରାଇ ଭାରତ କିଛି ସମୟ ଚାପରେ ରହିଥିଲା। ତେବେ ସୂର୍ଯ୍ୟକୁମାର ଯାଦବ ଏବଂ ପଦାର୍ପଣ ମ୍ୟାଚ୍ ଖେଳିଥିବା ଦୀପକ ହୁଡ୍ଡା ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଦୁଇ ବ୍ୟାଟସମ୍ୟାନ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରିଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍‌ ପାଇଁ ୬୨ ରନ ଯୋଡି ଦଳକୁ ୬ ଓ୍ଵିକେଟ୍‌ ହରାଇ ବିଜୟୀ କରାଇଛନ୍ତି। ସୂର୍ଯ୍ୟକୁମାର ୩୪ ଏବଂ ଦୀପକ ହୁଡ୍ଡା ୨୬ ରନ କରି ଅପରାଜିତ ଥିଲେ। ୨୮ ଓଭରରେ ଭାରତ ୪ ଓ୍ଵିକେଟ୍ ହରାଇ ୧୭୭ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ଏହା ପୂର୍ବରୁ ନିଜର ଐତିହାସିକ ୧୦୦୦ ତମ ଦିନିକିଆରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଓ୍ଵେଷ୍ଟଇଣ୍ଡିଜ ୪୩.୫ ଓଭରରେ ୧୭୬ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ସ୍ପିନ ଯୋଡି ୟୁଜବେନ୍ଦ୍ର ଚହଲ ଏବଂ ଓ୍ଵାଶିଂଟନ ସୁନ୍ଦର ଭ୍ରମଣକାରୀ ଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଚହଲ ୪ଟି ଓ୍ଵିକେଟ୍ ଅକ୍ତିକାର କରିଥିବା ବେଳେ ସୁନ୍ଦର ୩ଟି ଓ୍ଵିକେଟ୍ ନେଇଥିଲେ। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ଜାସନ ହୋଲଡର ୫୭ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଫାବିଆନ ଆଲେନ ଉପଯୋଗୀ ୨୯ ରନ କରିଥିଲେ। ଏକଦା ୭୯ ରନରେ ୭ ଓ୍ଵିକେଟ୍ ହରାଇ ସଙ୍କଟରେ ଥିଲା ଓ୍ଵେଷ୍ଟଇଣ୍ଡିଜ। ତେବେ ଜାସନ ହୋଲଡର ଏବଂ ଆଲେନ ଅଷ୍ଟମ ଓ୍ଵିକେଟ୍ ପାଇଁ ୭୮ ରନ ଯୋଡିବାରୁ ଇଣ୍ଡିଜ ଏହି ସ୍କୋରରେ ପହଞ୍ଚି ପାରିଥିଲା।

nis-ad
Leave A Reply

Your email address will not be published.