ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶିବାଜୀ ପାର୍କରେ ମୋଦି

ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ତଥା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ କରଙ୍କ ବିୟୋଗରେ ସମଗ୍ର ଦେଶ ମର୍ମାହତ ହୋଇ ପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁମ୍ବାଇର ଶିବାଜୀ ପାର୍କରେ ଥିବା ଲତାଙ୍କର ପ୍ରାର୍ଥିବ ଶରୀରକୁ ଅନ୍ତିମ ବିଦାୟ ଦିଆଯିବ। ସେଠାରେ ଫିଲ୍ମ ଜଗତର ବହୁ ପ୍ରତିଷ୍ଟିତ ତାରକାଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିବାଜୀ ପାର୍କରେ ପହଞ୍ଚି ଲତାଙ୍କୁ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଜଣାଇଛନ୍ତି। ମହାନ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ୯୨ ବର୍ଷ ବୟସରେ ମୁମ୍ୱାଇରେ ପରଲୋକ ହୋଇଛି ।
ଲତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ମୁମ୍ୱାଇ ଯିବା ନେଇ ମୋଦି ଆଜି ଟ୍ୱିଟ୍‌ କରି ଜଣାଇଥିଲେ। ଏହାସହ ବିଏମସି କମିଶନର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସ୍ପଷ୍ଟ କରିଥିଲେ। ସେହିଭଳି ଲତାଙ୍କୁ ସମ୍ମାନ ଜଣାଇବାକୁ ଯାଇ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଦୁଇ ଦିନ ଧରି ଜାତୀୟ ପତାକା ଅର୍ଦ୍ଧନମିତ ରହିବ।
ଗତମାସରେ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ ଲତା ମଙ୍ଗେଶକର। ତାଙ୍କୁ ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ନିମୋନିଆରେ ବି ପୀଡ଼ିତ ଥିଲେ। କିଛି ଦିନ ତଳେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର କହିଥିଲେ। କିନ୍ତୁ ଗତକାଲି ହଠାତ୍‌ ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖା ଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା ଓ ଆଜି ସକାଳ ୮ଟା ୧୨ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

nis-ad
Leave A Reply

Your email address will not be published.