ନିୟମତ ଚାକିରୀ ନଥାଇ ସରକାରୀ ନିୟମରେ ଅବସର

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ 2002ମସିହାଠାରୁ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ପରିଚାଳିତ ହେଉଛି I ଏହା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା OSEPAକର୍ତ୍ତୁପକ୍ଷଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ଷମ ହୋଇ ଆସୁଅଛି | ମାଲକାନଗିରି ଜିଲ୍ଲାର ଏହି କାଯ୍ୟାଳୟରେ ମୋଟ 26 ଜଣ କର୍ମଚାରୀ ବିଭିନ୍ନ ପଦ ପଦବୀରେ କାର୍ଯ୍ୟକରି ଆସୁଛନ୍ତି I ନିଯୁକ୍ତି ସମୟରେ ଏହି କର୍ମଚାରୀମାନେ ଚୁକ୍ତିଭିତ୍ତିକ କର୍ମଚାରୀ ରୂପେ ନିଯୁକ୍ତି ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦୀର୍ଘ 20ବର୍ଷପରେ ବି ସେମାନଙ୍କର ଚାକିରି ନିୟମିତ ହୋଇପାରିନାହିଁ I
ଅଦ୍ୟ ତା31.01.2022 ରିଖ ଦିନସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ଶ୍ରୀଯୁକ୍ତ କିଶୋର ଖୋସଲା, ପିଅନଙ୍କ ଅବସର କାଳିନ ସଭା ଅନୁଷ୍ଠିତ ହୋଇଥିଲା I ଶ୍ରୀଯୁକ୍ତ ଖୋସଲା, 1990 ମସିହାରେ ଅଣ ଅନୁଷ୍ଠାନିକ ଶିକ୍ଷା କାର୍ଯ୍ୟକ୍ରମରେ ଜଣେ ଦୈନିକ ଦରମା ପ୍ରାପ୍ତ ଚତୁର୍ଥଶ୍ରେଣୀ କର୍ମଚାରୀ ରୂପେ ଯୋଗ ଦେଇଥିଲେ I ପରବର୍ତ୍ତୀ ସମୟରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ନିୟୋଜିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ କାର୍ଯ୍ୟକରି ଆଜି ସେ ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି Iକିନ୍ତୁ, ବିଡମ୍ବନାର ବିଷୟ ଏହି କି ଯେ, ଏହି ଦୀର୍ଘବର୍ଷ କାର୍ଯ୍ୟକାଳ ମଧ୍ୟରେ ନା ଶ୍ରୀ ଖୋସଲାଙ୍କ ଚାକିରିକୁ ନିୟମିତ କରାଗଲା ନା ସେ ନିୟମିତ କର୍ମଚାରୀର ମାନ୍ୟତା ପାଇଲେI ଆହୁରି ବି ଅତ୍ୟନ୍ତ ଦୁଃଖର କଥା ଏହି କି ଯେ ସରକାରଙ୍କ ଆଦେଶ କ୍ରମେ 2014 ମସିହା ଠାରୁ ସେ 6th Payଅନୁଯାୟୀ ଦରମା ପାଇ ଆସୁଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ 2019 ମାର୍ଚ୍ଚ ମାସଠାରୁ ସମଗ୍ର ଶିକ୍ଷାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଦରମାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର କିଛି ଅଧିକାରୀଉଦ୍ଦେଶ୍ୟ ମୂଳକ ଭାବରେ ବନ୍ଦକରିଦେବା ଦ୍ୱାରା ସେ ଏଥରୁ ବି ବଞ୍ଚିତ ହୋଇଛନ୍ତି I
ବିଭିନ୍ନ ବର୍ଗର ଶିକ୍ଷକ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ ଭଳି ବିଭିନ୍ନ ବିଭାଗର ଅସ୍ଥାୟୀ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ ଦରମା, ଭତ୍ତା, ପ୍ରୋତ୍ସାହନ ରାଶି ସରକାର ବୃଦ୍ଧି କରିଥିବା ବେଳେ ଆଜି OPEPA ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପ୍ରତି ଅବହେଳା ଓ ଅଣଦେଖା କରିଛନ୍ତି I6 ବର୍ଷ ଚୁକ୍ତିଭିତ୍ତିକ କାମ କରି ସାରିବା ପରେ ବହୁତ ଚୁକ୍ତିଭିତ୍ତିକ କର୍ମଚାରୀ ବିଭିନ୍ନ ବିଭାଗରେ ନିୟମିତହୋଇ ପାରୁଥିବା ସତ୍ତ୍ୱେ ସମଗ୍ର ଶିକ୍ଷା କାର୍ଯ୍ୟଳୟରେ କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘ 20 ବର୍ଷର ଚୁକ୍ତିଭିତ୍ତିକ ସେବା ପରେ ମଧ୍ୟ ନିୟମିତପାଇଁ ସରକାର କୌଣସି ଚେଷ୍ଟା କରିନାହାନ୍ତି I ଏହି କର୍ମଚାରୀମାନଙ୍କ ଦୁଃଖ, ଅଭାବ, କ୍ଷୋଭ ଓ ଅସୁବିଧା ଆମ ସରକାର କିମ୍ୱା ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଚିକୁ ଆସିଲା ନାହିଁ I ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର ଏମାନଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଉଦାସିନତା ମନୋଭାବ ଅବଲମ୍ୱନ କରିଛନ୍ତି I
ଅଳ୍ପ ଦରମା ଓ ଭତ୍ତାନେଇ ଏତେଦିନ ସରକାରୀ ସେବା କରି ଅବସର ପରେ ଶ୍ରୀ ଖୋସଲାଙ୍କ ପରିବାର ବିନା ଦରମା ଓ ଭତ୍ତାରେ କିପରି ପ୍ରତିପୋଷଣ ହେବେ ତାହା ଭଗବାନ ହିଁ ବୁଝିବେ I
ସର୍ବଶେଷରେ ସମସ୍ତ କର୍ମଚାରୀ ଏହି ସଭାରେ ଉପସ୍ଥିତ ରହି ଶ୍ରୀ ଖୋସଲାଙ୍କ ନିରାମୟ ଓ ଶାନ୍ତିପୂର୍ଣ୍ଣ ଅବସରକାଳୀନ ଦୀର୍ଘଜୀବନ କାମନା କରିଥିଲେ ଓ ସମସ୍ତ କର୍ମଚାରୀ ମିଳିତ ଭାବେଟ.51,000/-(ଏକାବନ ହଜାର ଟଙ୍କା) ର ଏକ ଆର୍ଥିକ ସହାୟତା ଶ୍ରୀ ଖୋସଲାଙ୍କୁ ପ୍ରଦାନ କରିଥିଲେ I

nis-ad
Leave A Reply

Your email address will not be published.