ଜମି ଅଧିଗ୍ରହଣ ପରେ ଆରମ୍ଭ ହେବ ଜୟପୁର-ନବରଙ୍ଗପୁର ରେଳପଥ ନିର୍ମାଣ କାର୍ଯ୍ୟ : ଆଇନଜୀବୀ ସଂଘ କୁ ରେଳ ବିଭାଗର ପତ୍ର…



ନବରଙ୍ଗପୁର : ୨୦୧୬-୧୭ ରେ ମଞ୍ଜୁର ହୋଇଥିବା ଜୟପୁର-ନବରଙ୍ଗପୁର ରେଳପଥ ର ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାର ଜମି ଯୋଗାଇ ଦେବାପରେ ଆରମ୍ଭ ହେବ ବୋଲି ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କୁ ପୂର୍ବ ତଟ୍ଟ ରେଳ ପଥ ବିଭାଗର ଉପ ସଚିବ ୟୁ. କେ. ମିଶ୍ର ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏହି ନୂଆ ରେଳପଥ ପ୍ରକଳ୍ପ ପାଇଁ ୪୧.୯୦ କି.ମି. ର ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି । ଫେବୃଆରୀ/ମାର୍ଚ୍ଚ ୨୦୧୮ ରେ ସରକାରୀ, ବେସରକାରୀ ଓ ଜଙ୍ଗଲ ବିଭାଗ ଜମି ଯୋଗାଇ ଦେବାକୁ ରେଳ ବିଭାଗ ତରଫରୁ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଏହି ପତ୍ର ରେ ସୂଚନା ଦିଆଯାଇଛି। ଏଥିପାଇଁ ନବରଙ୍ଗପୁର ରେ ୨୧ ହେକ୍ଟର ସରକାରୀ, ୮୯ ହେକ୍ଟର ବେସରକାରୀ ଜମି ଓ କୋରାପୁଟ ଜିଲ୍ଲାରେ ୮୧ ହେକ୍ଟର ସରକାରୀ, ୧୨ ହେକ୍ଟର ଜଙ୍ଗଲ ଜମି ଓ ୨୪୮ ହେକ୍ଟର ବେସରକାରୀ ଜମି ଅଧିଗ୍ରହଣ ହେବ । ୭୪୮ କୋଟି ଟଙ୍କା ବ୍ୟୟ ଅଟକଳ ର ଏହି ନୂତନ ରେଳପଥ ପାଇଁ ୨୦୧୭ ମସିହାରେ ରେଳପଥ ବୋର୍ଡ ପ୍ରକଳ୍ପ ରିପୋର୍ଟ ଅନୁମୋଦନ କରିବାପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଉକ୍ତ ଚୁକ୍ତିନାମା ଅନୁଯାୟୀ ରାଜ୍ୟ ସରକାର ଜମି ଯୋଗାଇ ଦେବାସହ ରେଳପଥ ନିର୍ମାଣ ଖର୍ଚ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିବେ। ଏହି ରେଳପଥ ନିର୍ମାଣ ହେଲେ, ନବରଙ୍ଗପୁର ର ପୋଡାଲଗୁଡା ଠାରେ, କୋରାପୁଟ ଜିଲ୍ଲାର ଜୟନ୍ତୀ ଗିରି, ବୋରିଗୁମ୍ମା ଓ କାଳିଆଗୁଡା ଠାରେ ରେଳ ଷ୍ଟେସନ ହେବ। ନବରଙ୍ଗପୁର ଜିଲ୍ଲା ର ୧୧ କି.ମି. ଓ କୋରାପୁଟ ଜିଲ୍ଲାର ୪୧ କି.ମି. ର ଏହି ରେଳପଥ ରେ ୨୭ ଟି ଲେଭେଲ କ୍ରସିଂ ଓ ଇନ୍ଦ୍ରାବତୀ ନଦୀ ଓ ପୁଟ୍ରା ନଦୀ ରେ ଦୁଇଟି ରେଳ ବ୍ରିଜ୍ ତିଆରି ହେବ । ନୂତନ ପ୍ରକଳ୍ପ ପାଇଁ ଦୀର୍ଘ ୬ ବର୍ଷ ବିତିଯାଇଥିଲେ ମଧ୍ୟ ନବରଂଗପୁର ଜିଲ୍ଲାର ଉନ୍ନତି ଓ ପ୍ରଗତି ପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ଆନ୍ତରିକତା ଅଭାବ ଯୋଗୁଁ ଜମି ଅଧିଗ୍ରହଣ କାର୍ଯ୍ୟ ଆଶାନୁରୂପ ଭାବେ ଆଗେଇ ପାରିନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ୱୟ ରକ୍ଷାକରି ଏଥିପାଇଁ ତତ୍ପରତା ଦେଖାଇଲେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଜିଲ୍ଲା ଆଇନଜୀବୀ ସଂଘ ତରଫରୁ କୁହାଯାଇଛି । ଫେବୃଆରୀ ୨୦୧୮ ରୁ ଜମି ଅଧିଗ୍ରହଣ ପାଇଁ ରେଳ ବିଭାଗ ତରଫରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଜମି ଅଧିଗ୍ରହଣ କାହିଁକି ହୋଇପାରୁନାହିଁ, ଏହାର ସମୀକ୍ଷା କରି ତୁରନ୍ତ ଜମି ଯୋଗାଇ ଦେବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାର ଙ୍କ ନିକଟରେ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଅନୁରୋଧ କରାଯାଇଥିବା ସଂପାଦକ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.