ନିଟ୍ ୟୁଜି ପରୀକ୍ଷା ପ୍ୟାଟର୍ଣ୍ଣରେ ବଡ଼ ପରିବର୍ତ୍ତନ, ବିକଳ୍ପ ପ୍ରଶ୍ନ ହଟିଲା, ହ୍ରାସ ପାଇଲା ସମୟ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜିର ଏକ୍‌ଜାମ୍ ପ୍ୟାଟର୍ଣ୍ଣରେ ବଡ଼ ପରିବର୍ତ୍ତନ କରିଛି । ଏନ୍‌ଟିଏ ଘୋଷଣା ଅନୁସାରେ ଏବେ ନିଟ୍ ୟୁଜି ପରୀକ୍ଷାର ପ୍ରଶ୍ନ ପତ୍ରର ପ୍ୟାଟର୍ଣ୍ଣ ଏବଂ ସମୟ କୋଭିଡ୍ ପୂର୍ବପରି ହୋଇଯିବ । ଏବେ କୌଣସି ସେକ୍ସନ ରହିବ ନାହିଁ । କୋଭିଡ୍ ୧୯ ମହାମାରୀ ସମୟରେ ନିଟ୍ ୟୁଜି ପେପରରେ ଯେଉଁ ଅପ୍ସନ୍ ପ୍ରଶ୍ନ ଯୋଡ଼ା ଯାଇଥିଲା, ତାହାକୁ ଏବେ ହଟାଯାଇଛି । ଏବେ ନିଟ୍ ପୀରକ୍ଷାରେ ମୋଟ ୧୮୦ ପ୍ରଶ୍ନ (ଫିଜିକ୍ସ ଏବଂ କେମେଷ୍ଟ୍ରିରେ ୪୫-୪୫ ପ୍ରଶ୍ନ ଏବଂ ବାୟୋଲଜିର ୯୦ ପ୍ରଶ୍ନ) ରହିଛି । ଏହା ବ୍ୟତୀତ ପରୀକ୍ଷା ସମୟ ସୀମାକୁ ବି ହ୍ରାସ କରି ୩ ଘଣ୍ଟା କରାଯାଇଛି । ପୂର୍ବରୁ ଏହା ୩ଘଣ୍ଟା ୨୦ମିନିଟ୍ ଥିଲା ।
ଏନଟିଏ ପକ୍ଷରୁ ଜାରି ବିଜ୍ଞପ୍ତି କୁହାଯାଇଛି, ‘ସମସ୍ତ ନିଟ୍ ୟୁଜି ୨୦୨୫ ପ୍ରାର୍ଥୀଙ୍କୁ ସୂଚୀତ କରାଯାଉଛି ଯେ ପ୍ରଶ୍ନ ପତ୍ରର ପ୍ୟାଟର୍ଣ୍ଣ ଏବଂ ପରୀକ୍ଷା ଅବଧି କୋଭିଡ୍ ପୂର୍ବପରି ହୋଇଛି । ଏବେ କୌଣସି ସେକ୍ସନ ରହିବ ନାହିଁ । ମୋଟ ୧୮୦ ବାଧ୍ୟତାମୂଳକ ପ୍ରଶ୍ନ ରହିବ ଏବଂ ଏଥିପାଇଁ ୧୮୦ ମିନିଟ୍ ଦିଆଯିବ । କୋଭିଡ୍ ଯୋଗୁଁ ଆରମ୍ଭ ହୋଇଥିବା ବିକଳ୍ପ ପ୍ରଶ୍ନ ଏବଂ ଅତିରିକ୍ତ ସମୟକୁ ହଟା ଦିଆଯାଇଛି ।’
ବିଦ୍ୟାର୍ଥୀଙ୍କୁ ଏବେ ଯାଏ ପ୍ରଚଳିତ ପ୍ୟାଟର୍ଣ୍ଣ ଅନୁସାରେ ୨୦୦ରୁ ୧୮୦ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ୁଥିଲା । କିନ୍ତୁ ନୂଆ ଘୋଷଣାରେ ସମସ୍ତ ୧୮୦ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ତେବେ ପେପର୍ ପୂର୍ବପରି ୭୨୦ ଅଙ୍କର ରହିବ । ନିଟ୍‌ରୁ ଏମବିବିଏସ୍, ବିୟୁଏମସ, ବିଏସ୍‌ଏମ୍‌ଏସ୍‌, ଏବଂ ବିଏଚ୍ଏମ୍‌ଏସ୍, ବ୍ୟାଚଲର ଅଫ୍ ଡେଣ୍ଟାଲ୍ ଷ୍ଟଡିଜ୍ (ବିଡିଏସ୍) ଏବଂ ବ୍ୟାଚଲର ଅଫ୍ ଭେଟରନରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡ୍ରି ପାଠ୍ୟକ୍ରମରେ ସାମିଲ ହେବେ ।

nis-ad
Leave A Reply

Your email address will not be published.