ଭୁବନେଶ୍ୱର: ରାଜ୍ୟରେ ମାଓଦମନ ଲାଗି ରାଜ୍ୟ ପୋଲିସର ନିରନ୍ତର ପ୍ରୟାସ ଜାରି ରହିଛି। କିଛି ଦିନ ପୂର୍ବେ ଓଡିଶା ସୀମାନ୍ତ ଗରିଆବନ୍ଧରେ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଥିଲେ। ଏହାପରେ ପରେ ଅନେକ ସ୍ଥାନରୁ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି। ନିରନ୍ତର ମାଓ ବିରୋଧୀ ଅପରେସନ ହେଉଛି। ମାଓ ପ୍ରଭାବିତ ଜିଲ୍ଲାରେ ହାଇ ଆଲର୍ଟରେ ଅଛନ୍ତି ସୁରକ୍ଷା କର୍ମୀ। ନକ୍ସଲଙ୍କ ଉପରେ କଡ଼ା ନଜର ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ।
୩ ଦିନ ତଳେ ଓଡ଼ିଶା-ଛତିଶଗଡ଼ ସୀମାରେ ସଫଳ ମାଓ ବିରୋଧୀ ଅପରେସନ ହୋଇଥିଲା। ଏହାପରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ନକ୍ସଲମାନଙ୍କ ଉପରେ କଡ଼ା ନଜର ରଖିବାକୁ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଏହାସହ ସ୍ବତନ୍ତ୍ର ସଶସ୍ତ୍ର ପୋଲିସ ମୁତୟନ ପାଇଁ କୁହାଯାଇଛି। ନକ୍ସଲମାନଙ୍କ ଉପରେ ନଜର ରଖିବାକୁ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ସହ ଡ୍ରୋନର ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି ଡିଜି।
ସ୍ଥାନୀୟ ପୋଲିସକୁ ନକ୍ସଲ ସମ୍ପର୍କିତ ସୂଚନା ନେଟୱର୍କ ବଢାଇବାକୁ କୁହାଯାଇଛି। ସ୍ଥାନୀୟ ଲୋକଙ୍କୁ ନକ୍ସଲ ସମ୍ପର୍କିତ ସୂଚନା ଦେବା ପାଇଁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି। ସେହିପରି ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଭାରତ ଅଭିଯାନରେ ଏହା ଏକ ବଡ଼ ସଫଳତା ବୋଲି ଡିଜି କହିଛନ୍ତି। ୨୦୨୫ରେ ଏପର୍ଯ୍ୟନ୍ତ ୧୬ ମାଓବାଦୀ ନିପାତ ହୋଇଛନ୍ତି।