୩,୨୭୨ କୋଟି ଟଙ୍କାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡର ରଦ୍ଦ…

ଭୁବନେଶ୍ୱର : ଦୀର୍ଘବର୍ଷ ଧରି ଯେଉଁ ପିଟିସନକୁ ବିଭାଗ ଗୁରୁତ୍ୱ ନଦେଇ ଡଷ୍ଟବିନକୁ ଫିଙ୍ଗି ଦେଉଥିଲା, ଏବେ ସେହି ପିଟିସନକୁ ଆଳ କରି ୩୨୭୨.୧୮ କୋଟି ଟଙ୍କାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡରକୁ ବାତିଲ କରିଛି। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ରାଜ୍ୟ ବାହାରର ଠିକାଦାରୀ ସଂସ୍ଥାକୁ ନବୀନ ସରକାର ବାଂଟିଥିବା ଏହି ଟେଣ୍ଡରଗୁଡ଼ିକୁ ମୋହନ ସରକାର ବାତିଲ କରିଦେଇଛନ୍ତି। ତେବେ ଉଭୟ ଟଣ୍ଡର ଚୂଡ଼ାନ୍ତ ଓ ବାତିଲ ନିଷ୍ପତ୍ତି ନେଇଛନ୍ତି ଜଣେ ସଚିବ। ସେ ହେଉଛନ୍ତି ଅନୁ ଗର୍ଗ। ଏହି ସବୁ ଉଠାଜଳସେନ ପ୍ରକଳ୍ପ ଟେଣ୍ଡରଗୁଡ଼ିକ ମାଧ୍ୟମରେ ପୁରୀ, ଖୋର୍ଦ୍ଧା, ଯାଜପୁର, ଗଜପତି, ଗଞ୍ଜାମ, ରାୟଗଡ଼ା, ସୋନପୁର, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ମୋଟ ୬୯୪୮୯ ହେକ୍ଟର ଚାଷଜମିକୁ ୩ ବର୍ଷ ମଧ୍ୟରେ ଜଳସେଚିତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ସୂଚନା ଅନୁସାରେ, ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗଠିତ ଟେଣ୍ଡର କମିଟି ତଥା କ୍ଷମତାପ୍ରାପ୍ତ କମିଟିର ସୁପାରିଶ ଆଧାରରେ ରାଜ୍ୟ ସରକାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡରକୁ ବାତିଲ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୩ ଡିସେମ୍ବର ଓ ୨୦୨୪ ଜାନୁୟାରୀ ମାସରେ ଏହି ସମସ୍ତ ଟେଣ୍ଡର ପାଇଁ ବିଜ୍ଞାପନ ଦିଆଯିବା ସହ ଫେବୃୟାରୀରେ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା। କିନ୍ତୁ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗତ ୨୦୨୪ ଡିସେମ୍ବର ୧୨ ତାରିଖରେ ଏହି ଟେଣ୍ଡର କମିଟି ତଥା କ୍ଷମତାପ୍ରାପ୍ତ କମିଟିର ସଦସ୍ୟମାନେ ମିଳିତ ଭାବେ ଗୋଟିଏ ବୈଠକରେ ୫ଟି ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପର ଟେଣ୍ଡରକୁ ବାତିଲ ନିମନ୍ତେ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ଆଉ ଏହି ସୁପାରିଶ ଆଧାରରେ ରାଜ୍ୟ ସରକାର ସମ୍ପୃକ୍ତ ଟେଣ୍ଡରଗୁଡ଼ିକୁ ବାତିଲ କରିଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଜାନୁୟାରୀ ୨୧ ତାରିଖ ମଙ୍ଗଳବାରରେ ବିଧିବଦ୍ଧ ଭାବେ ଉଠାଜଳସେଚନର ମୁଖ୍ୟଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ତେବେ ଏହି ୫ଟି ଯାକ ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡର ବାତିଲ ପାଇଁ ଅନୁ ଗର୍ଗଙ୍କ ନେତୃତ୍ୱାଧୀନ କ୍ଷମତାପ୍ରାପ୍ତ କମିଟି ଯେଉଁ ସମାନ ଆଳ ଦେଖାଇଛନ୍ତି, ତାହା ହେଉଛି ଅଲ ଓଡ଼ିଶା କଂଟ୍ରାକ୍ଟର ଆସୋସିଏସନ ସଭାପତି ପ୍ରଭାତ ଦାଶଙ୍କ ଲିଖିତ ଅଭିଯୋଗ। ଅବଶ୍ୟ ଶ୍ରୀ ଦାଶ ପ୍ରଥମ ଥର ଏଭଳି ଅଭିଯୋଗ କରିନାହାନ୍ତି। ବିଜେଡି ଶାସନ କାଳରେ ଅନେକଥର ସେ ଏପରି ଅଭିଯୋଗ କରିଛନ୍ତି। ତାଙ୍କ ଆସୋସିଏସନ୍ ପକ୍ଷରୁ ୨୦୧୯ ମସିହାରୁ ୧୦ ଦଫା ଦାବି ତତକାଳୀନ ବିଜେଡି ସରକାରଙ୍କୁ ଦିଆଯିବା ସହ ଓଡ଼ିଆ ଠିକାଦାରଙ୍କୁ ହତୋତ୍ସାହିତ କରାଯାଉଥିବା ମଧ୍ୟ ବାରମ୍ବାର ଅଭିଯୋଗ ହୋଇଥିଲା। କିନ୍ତୁ ଏସବୁକୁ କର୍ଣ୍ଣପାତ କରିବା ତ ଦୂରର କଥା ଓଲଟା ଓଡ଼ିଆ ଠିକାଦାର ମହାସଂଘର ଦାବି ଓ ଅଭିଯୋଗକୁ ବାଏଁବାଏଁ ଉଡ଼ାଇ ଦେଉଥିଲେ ବିଜେଡି ସରକାର।

ଯଦିଓ ସରକାର ବଦଳିଛି କିନ୍ତୁ ଜଳସମ୍ପଦର ବିଭାଗୀୟ ସଚିବ ଅପରିବର୍ତ୍ତିତ ରହିଛନ୍ତି। ୨୦୨୦ ଜୁଲାଇ ମାସରୁ ଜଳସମ୍ପଦ ବିଭାଗ ଦାୟିତ୍ୱରେ ଥିବା ଶ୍ରୀମତୀ ଗର୍ଗଙ୍କ ଅଧ୍ୟକ୍ଷତାରେ ଗଠିତ ଟେଣ୍ଡର କମିଟି ହିଁ ଛୋଟଛୋଟ ଟେଣ୍ଡରକୁ ମିଶାଇ ତା’ର ପ୍ରକଳ୍ପ ଅର୍ଥ ପରିମାଣକୁ ଅଧିକ କରାଇ ରାଜ୍ୟ ବାହାରର ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଟେକି ଦେବାକୁ ନିଷ୍ପତ୍ତି ନେଇଥିଲେ। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଅର୍ଥାତ୍ ୨୦୨୪ ଫେବୃୟାରୀ ମାସରେ ଏହି ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡର ଟେକି ଦିଆଯାଇଥିଲା। ଏହା ପଛରେ କାହାର ଚାପ ଅବା ଅଲିଖିତ ନିର୍ଦ୍ଦେଶ ଥିଲା ତାହା ଭିନ୍ନ କଥା କିନ୍ତୁ ଶ୍ରୀମତୀ ଗର୍ଗ ଜଳସମ୍ପଦ ବିଭାଗର ଦାୟିତ୍ୱରେ ଦୀର୍ଘ ସାଢ଼େ ୪ ବର୍ଷ ଧରି ରହି କାହା ସ୍ୱାର୍ଥ ପୂର୍ତ୍ତି କରୁଛନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବାର ୮ ମାସ ବିତିବା ପରେ ବି ଶ୍ରୀମତୀ ଗର୍ଗଙ୍କୁ ଜଳସମ୍ପଦ ବିଭାଗ ଦାୟିତ୍ୱରେ ରଖିବା ପଛରେ କ’ଣ ବାଧ୍ୟବାଧକତା ରହିଛି ତାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଉଲ୍ଲେଖଯୋଗ୍ୟ ଯେ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ପାଇଁ ହିଁ ବିଭାଗ ସ୍କଚ୍‌ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା।

ଯେଉଁ ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡର ପ୍ରକଳ୍ପକୁ ବାତିଲ କରାଯାଇଛି ସେଥିରେ ମୋଟ ୫୦ଟି ଉଠାଜଳସେଚନ ଯୋଜନା ରହିଛି।

୧- ହୀରାକୁଦ ଜଳଭଣ୍ଡାର ଓ ଭେଡେନ୍ ନଦୀରୁ ଜଳ ଆଣି ସମ୍ବଲପୁର ଜିଲ୍ଲାର ଚାଷଜମିକୁ ଜଳସେଚନ ନିମନ୍ତେ ୧୦ଟି ଉଠାଜଳସେଚନ ଯୋଜନାକୁ ମିଶାଇ ଗୋଟିଏ ଟେଣ୍ଡର ଡକାଯାଇଥିଲା। ଯାହାର ପ୍ରକଳ୍ପ ମୂଲ୍ୟ ୬୯୪.୪୮କୋଟି ଟଙ୍କା ଥିଲା ଓ ମୋଟ ୧୪,୭୧୭ ହେକ୍ଟର ଚାଷଜମିକୁ ଜଳସେଚନର ଲକ୍ଷ୍ୟ ରଖାଯାଇଥିଲା। ଏହି ପ୍ରକଳ୍ପକୁ ୩ ବର୍ଷ ମଧ୍ୟରେ ଶେଷ କରିବା ନିମନ୍ତେ ଇପିସି ଟେଣ୍ଡର ଆକାରରେ ୨୦୨୪ ଫେବୃୟାରୀ ମାସରେ କାର୍ଯ୍ୟାଦେଶ ଦିଆଯାଇଥିଲା।

୨- ଉଦନ୍ତୀ ନଦୀ, ଲୋୟର ଇନ୍ଦ୍ର ଡ୍ୟାମ, ହରିହରଜୋର ନଦୀରୁ ଜଳ ଆଣି ନୂଆପଡ଼ା, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ୧୫,୮୮୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ନିମନ୍ତେ ୧୨ଟି ଉଠାଜଳସେଚନ ଯୋଜନାକୁ ମିଶାଇ ଗୋଟିଏ ଟେଣ୍ଡର ଡକାଯାଇଥିଲା। ଏହି ଟେଣ୍ଡର ପ୍ରକଳ୍ପର ମୂଲ୍ୟ ୭୦୪.୧୩ କୋଟି ଟଙ୍କା ଥିଲା। ଏହି ପ୍ରକଳ୍ପକୁ ୩ ବର୍ଷ ମଧ୍ୟରେ ଶେଷ କରିବା ନିମନ୍ତେ ଇପିସି ଟେଣ୍ଡର ମାଧ୍ୟମରେ ୨୦୨୪ ଫେବୃୟାରୀ ମାସରେ କାର୍ଯ୍ୟାଦେଶ ଦିଆଯାଇଥିଲା।

୩- ତେଲ ନଦୀ, ସୁକତେଲ ନଦୀ, ଜିରା ନାଳ, ଋଷିକୁଲ୍ୟା ନଦୀ, ବାସନ୍ଧରା ନଦୀରୁ ଜଳ ଆଣି ଗଜପତି, ଗଞ୍ଜାମ, ରାୟଗଡ଼ା ଓ ସୋନପୁର ଜିଲ୍ଲାର ୧୨,୪୦୨ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବା ନିମନ୍ତେ ୧୧ଟି ଉଠାଜଳସେଚନ ଯୋଜନାକୁ ମିଶାଇ ଗୋଟିଏ ଟେଣ୍ଡର ଡକାଯାଇଥିଲା। ଏହି ପ୍ରକଳ୍ପର ମୂଲ୍ୟ ୬୩୫.୨୩ କୋଟି ଟଙ୍କା ଥିଲା। ଏହି ପ୍ରକଳ୍ପ ପାଇଁ ୨୦୨୪ ଜାନୁୟାରୀ ୧୦ ତାରିଖରେ ଇପିସି ଟେଣ୍ଡରର ବିଜ୍ଞାପନ ଦିଆଯାଇଥିଲା ଓ ଫେବୃୟାରୀରେ କାର୍ଯ୍ୟାଦେଶ ବଂଟନ ହୋଇଥିଲା। ୩ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଧାରିତ ହୋଇଥିଲା।

୪- ଦୟା, ଖରସୁଆ, ବ୍ରାହ୍ମଣୀ, ମହାନଦୀରୁ ଜଳ ଆଣି ପୁରୀ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାର ୧୩୬୫୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ୯ଟି ଉଠାଜଳସେଚନ ଯୋଜନାକୁ ମିଶାଇ ଗୋଟିଏ ଟେଣ୍ଡର ଡକା ଯାଇଥିଲା। ଏହି ପ୍ରକଳ୍ପର ମୂଲ୍ୟ ୬୬୨.୮୩ କୋଟି ଟଙ୍କା ଥିଲା, ଯାହାର ବିଜ୍ଞାପନ ୨୦୨୪ ଜାନୁୟାରୀ ୧୨ରେ ଦିଆଯାଇଥିଲା। ୩ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସ୍ଥିର ହୋଇଥିଲା।

୫- ଭେଡେନ୍ ନଦୀ, ଆଇବି ନଦୀ ଓ ହୀରାକୁଦ ଜଳଭଣ୍ଡାରରୁ ଜଳ ଆଣି ଝାରସୁଗୁଡ଼ା ଜିଲ୍ଲାର ୧୨,୮୪୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବା ନିମନ୍ତେ ୮ଟି ଉଠାଜଳସେଚନ ଯୋଜନାକୁ ମିଶାଇ ଗୋଟିଏ ଟେଣ୍ଡର ଡକାଯାଇଥିଲା। ଏହି ପ୍ରକଳ୍ପର ମୂଲ୍ୟ ୫୭୫.୫୧କୋଟି ଟଙ୍କା ଥିଲା। ଯାହାର ଇପିସି ଟେଣ୍ଡର ପାଇଁ ଗଣମାଧ୍ୟମରେ ବିଜ୍ଞାପନ ୨୦୨୪ ଜାନୁୟାରୀ ୨୦ ତାରିଖରେ ଦିଆଯାଇଥିଲା ଓ ଫେବୃୟାରୀରେ କାର୍ଯ୍ୟାଦେଶ ବଂଟନ ହୋଇଥିଲା।

ସୂଚନାଯୋଗ୍ୟ, ଏହି ସମସ୍ତ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିବା ଅବା ଆବେଦନ କରିଥିବା ସଂସ୍ଥା ମଧ୍ୟରେ ଗୋଟିଏ ବି ଓଡ଼ିଶାର ନୁହନ୍ତି। ଯେଉଁସବୁ ସଂସ୍ଥା ଏହି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିଲେ ସେମାନେ ହେଲେ- ମୁମ୍ବାଇର ଏଲଆଣ୍ଡଟି ଲିମିଟେଡ୍ ଓ କଳ୍ପତରୁ ପ୍ରୋଜେକ୍ଟସ ଇଂଟରନ୍ୟାସନାଲ ଲିଃ, ପୁଣେର ଲକ୍ଷ୍ମୀ ସିଭିଲ୍ ଇଞ୍ଜିନିୟରିଂ ସର୍ଭିସ, କାନପୁରର ଜେଡବ୍ଲ୍ୟୁଆଇଏଲ୍ ଇନଫ୍ରା ଲିମିଟେଡ୍, ଅହମ୍ମଦାବାଦର ଏଲସି ପ୍ରୋଜେକ୍ଟ ପ୍ରାଃ ଲିମିଟେଡ, ହାଇଦ୍ରାବାଦର ଜେଭିପିଆର ଇଞ୍ଜନିୟର୍ସ ଲିଃ, ମୁମ୍ବାଇର ଏଫକନସ ଇନଫ୍ରା ଲିମିଟେଡ ଓ ଏନସିସି ଲିଃ।

nis-ad
Leave A Reply

Your email address will not be published.