କୁମ୍ଭମେଳାରେ ଡବଲ ଡେକର ବସ୍‌ରେ ରେସ୍ତୋରାଁ; ୪୫ ପ୍ରକାରର ମିଳୁଛି ଭୋଜନ

ନୂଆଦିଲ୍ଲୀ ୨୨।୦୧: ମହାକୁମ୍ଭକୁ ନେଇ ଚାରିଆଡେ ଚର୍ଚ୍ଚା । କେତେବେଳେ ସାଧୁସନ୍ଥଙ୍କୁ ନେଇ ତ ଆଉ କେତେବେଳେ ବ୍ୟବସାୟକୁ ନେଇ । କୁମ୍ଭରେ ଜୋରଦାର ହେଉଛି ରୋଜଗାର । କିନ୍ତୁ ବର୍ତ୍ତମାନ ଏକ ନିଆରା ରେଷ୍ଟୁରାଣ୍ଟ ଖୋଲିଛି କୁମ୍ଭମେଳାରେ । ଡବଲ ଡେକର ବସ୍‌ରେ ହୋଇଛି ରେସ୍ତୋରାଁର ଉଦ୍‌ଘାଟନ । ନାଁ ରହିଛି ‘ପମ୍ପକିନ୍‌’ । ସେକ୍ଟର-୨ ମିଡିଆ ସେଣ୍ଟର ନିକଟରେ ଖୋଲିଛି ଏହି ରେସ୍ତୋରାଁ । 

ଏଠାରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ଶାକାହାରୀ ଭୋଜନର ଆନନ୍ଦ ନେଇପାରିବେ । ଏହି ରେଷ୍ଟୁରାଣ୍ଟରେ ଭାରତୀୟ ଖାଦ୍ୟ ସହିତ ଚାଇନିଜ୍‌, ସ୍ନାକ୍ସ, ସୁପ୍‌ ଆଦି ୪୫ ପ୍ରକାର ବ୍ୟଞ୍ଜନ ମିଳିବ । ପୂଜା, ବ୍ରତ ଦିନମାନଙ୍କରେ ଖିଆଯାଉଥିବା ଖାଦ୍ୟ ବି ଏଠାରେ ଉପଲବ୍ଧ ହେବ । ରେସ୍ତୋରାଁର ପ୍ରଥମ ଓ ଦ୍ୱିତୀୟ ମହଲାରେ ୨୫-୩୦ ଲୋକ ବସିବାର ରହିଛି ବ୍ୟବସ୍ଥା । ବସ୍‌ ଭିତରେ ଓ ବାହାରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନ୍‌ରେ ମହାକୁମ୍ଭ ସହ ସମ୍ବନ୍ଧିତ ଫିଲ୍ମ ପ୍ରଦର୍ଶିତ ହେଉଛି । 

ରେସ୍ତୋରାଁ ମାଲିକ ମନବୀର ଗୋଦରା କହିଛନ୍ତି, ଇଂରାଜୀ ଶବ୍ଦ ‘ପମ୍ପକିନ୍‌’ର ଅର୍ଥ କଖାରୁ । ବସ୍‌ ଫୁଡ୍‌ କୋର୍ଟର ନାମ ‘ପମ୍ପକିନ୍‌’ ଏଥିଲାଗି ରଖାଯାଇଛି କାରଣ ହିନ୍ଦୁ ଧର୍ମରେ ଖାଦ୍ୟରେ କଖାରୁର ଉପଯୋଗକୁ ବହୁତ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ । ଏହି ନାଁ ଦ୍ୱାରା ସେ ଶ୍ରଦ୍ଧାଳୁମାନଙ୍କୁ ନିଜ ସଂସ୍କୃତି ସହ ଯୋଡି଼ବାର କାମ ବି କରୁଛନ୍ତି । 

ଗୋଦାରାଙ୍କ ଅନୁସାରେ, ବୁଲିବା ଓ ଖାଇବା ତାଙ୍କର ଏକ ନିଶା । ସେଥିଲାଗି ସେ ଏଭଳି ଫୁଡ୍‌ ବସ୍‌ର ଷ୍ଟାର୍ଟଅପ୍‌ ଆରମ୍ଭ କରିଛନ୍ତି । ମହାକୁମ୍ଭ ମେଳାରେ ସେ ‘ପମ୍ପକିନ୍‌’ ବ୍ରାଣ୍ଡର ଶୁଭାରମ୍ଭ କରିଥିବାବେଳେ ଭବିଷ୍ୟତରେ କାଶୀ, ମଥୁରା, ଅଯୋଧ୍ୟା ଭଳି ଧାର୍ମିକ ସ୍ଥଳରେ ମଧ୍ୟ ଏହାକୁ ଖୋଲିବାର ଯୋଜନା ରହିଛି ।

nis-ad
Leave A Reply

Your email address will not be published.