ମୁମ୍ବାଇ : ବାଂଲାଦେଶ ନାଗରିକ ଶରିଫୁଲ ଇସଲାମ ଶେହଜାଦ ନିକଟରେ ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଘରେ କାନ୍ଥ ଡେଇଁ ପ୍ରବେଶ କରିଥିଲା। ସେଠାରେ ସେ ଚୋରି କରିବାକୁ ଚାହୁଁଥିବା ବେଳେ ସୈଫଙ୍କ ସହ ତା’ର ମୁହାଁମୁହିଁ ହୋଇଥିଲା। ଶେହଜାଦ ଛୁରୀରେ ଆକ୍ରମଣ କରିବାରୁ ସୈଫଙ୍କ ଦେହରେ ୬ଟି ଆଘାତ ଲାଗିଥିଲା। ଘଟଣାରେ ପରେ ଶେହଜାଦ ବାଂଲାଦେଶ ଖସିଯିବାକୁ ଚେଷ୍ଟା କରୁଥିଲେ ହେଁ ପୁଲିସ ତା’କୁ ଥାଣେରୁ ଗିରଫ କରିପାରିଛି।
ପୁଲିସ୍ର କହିବା କଥା ଯେ ଶେହଜାଦ ପ୍ରଥମେ ମୁମ୍ବାଇରୁ କୋଲକାତାର ହାୱଡା ଯିବାକୁ ଲକ୍ଷ୍ୟ ରଖିଥିଲା। ସେଠାରୁ ସେ ବାଂଲାଦେଶ ଯାଇଥାଆନ୍ତା। ସେ ଏଥିପାଇଁ ଟିକେଟ ଯୋଗାଡ଼ କରିଥିଲେ ହେଁ ଟ୍ରାଭେଲ ଏଜେନ୍ସି ତା’କୁ ଅଧିକ ଟଙ୍କା ମାଗିଥିଲା। ଶରିଫୁଲ ଟଙ୍କା ଯୋଗାଡ଼ କରି ଟିକେଟ ହାସଲ କରିବା ପୂର୍ବରୁ ହିଁ ପୁଲିସ୍ ତା’କୁ ଧରିବାକୁ ସକ୍ଷମ ହୋଇଥିଲା।
ଏବେ ଦେଶ ଛାଡ଼ିବାକୁ ଯୋଜନା କରିଥିବା ଶରିଫୁଲ କେଉଁ ସବୁ ଟ୍ରାଭେଲ ଏଜେନ୍ସି ସହ କଥା ହୋଇଥିଲା, ତା’ର ତଦନ୍ତ ପୁଲିସ୍ କରୁଛି। ସେହିପରି ଟ୍ରାଭେଲ ଏଜେନ୍ସି ସଦସ୍ୟମାନଙ୍କୁ ମଧ୍ୟ ପୁଲିସ୍ ଜେରା କରିବ ବୋଲି ଜଣାପଡ଼ିଛି। ଶେହଜାଦ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସୈଫ ୫ ଦିନ କାଳ ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଏହାପରେ ଗତକାଲି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ତାଙ୍କୁ ଡାକ୍ତରମାନେ ସପ୍ତାହ ଯାଏ ବେଡ ରେଷ୍ଟ ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହ ସଂକ୍ରମଣ ଏଡ଼ାଇବାକୁ ସେ ଯେମିତି କାହାକୁ ନ ଭେଟିବେ, ତା’ର ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି।
ଅନେକ ବଡ଼ବଡ଼ ସେଲେବ୍ରିଟି ରହୁଥିବା ଗୋଟିଏ ଅଞ୍ଚଳରେ ଜଣେ ବ୍ୟକ୍ତି ପ୍ରବେଶ କରି ଏପରି ଆକ୍ରମଣ କରିବା ପୁଲିସ୍ର ମୁଣ୍ଡକୁ ତଳକୁ କରି ଦେଇଛି। ତେଣୁ ମୁମ୍ବାଇ ପୁଲିସ୍ ଯଥାଶୀଘ୍ର ଘଟଣାର ମୂଳରେ ପହଞ୍ଚି ତଦନ୍ତ ଶେଷ କରିବାରେ ଲାଗି ପଡ଼ିଛି। ଏଥିପାଇଁ ଗୋଟିଏ ପୁଲିସ୍ ଟିମ ମଙ୍ଗଳବାର ଶରିଫୁଲକୁ ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରକୁ ନେଇ ସିନ ରିକ୍ରିଏସନ କରିଛି।
ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଛି ଯେ ବୁଧବାର ରାତିରେ ଶେହଜାଦ କାନ୍ଥ ଡେଇଁ ସୈଫଙ୍କ ୧୨ ମହଲା ବିଶିଷ୍ଟ ବିଲଡିଂରେ ପ୍ରବେଶ କରିଥିଲା। କାନ୍ଥ ଡେଇଁବା ସମୟରେ ସେ ଜାଣିବାକୁ ପାଇଥିଲା ଯେ ବିଲଡିଂର ସିକ୍ୟୁରିଟି ଗାର୍ଡ ଶୋଇପଡ଼ିଛନ୍ତି। ଏହାର ସୁଯୋଗ ଉଠାଇ ଶରିଫୁଲ ପଛ ପଟେ ଥିବା ପାହାଚ ଓ ଏସି ଡକ୍ଟ ଦେଇ ଆଗକୁ ବଢ଼ିଥିଲା। ଶେଷରେ ସେ ସୈଫଙ୍କ ଫ୍ଲାଟର ଗୋଟିଏ ବାଥରୁମ ଝରକା ଦେଇ ଭିତରେ ପ୍ରବେଶ କରିଥିଲା।
ଶରିଫୁଲ କହିଛି ଯେ ସୈଫଙ୍କ ଘରେ ପହଞ୍ଚିବା ପରେ ସେ ଜୋତା ଖୋଲି, ତା’କୁ ବ୍ୟାଗ ରଖିଥିଲା। କାରଣ ସେ ଯମେତି କିଛି ଶବ୍ଦ ନ ହେବ, ତା’ର ବ୍ୟବସ୍ଥା କରିଥିଲା। ଏଥିସହ ସେ ନିଜର ଫୋନକୁ ମଧ୍ୟ ସୁଇଚ ଅଫ କରିଦେଇଥିଲା। ସେ ସୈଫଙ୍କ ପୁଅ ଜାହାଙ୍ଗୀରଙ୍କ ରୁମକୁ ପ୍ରବେଶ କରୁଥିବା ବେଳେ ଜଣେ ମହିଳା କର୍ମଚାରୀ ଚିତ୍କାର କରିଥିଲେ। ଶରିଫୁଲ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା।
ସୈଫ ତୁରନ୍ତ ପହଞ୍ଚି ଶରିଫୁଲର ମୁକାବିଲା କରିଥିଲେ। ହେଲେ ସେ ତାଙ୍କୁ ଛୁରୀରେ ୬ଥର ଆକ୍ରମଣ କରିଥିଲା। ସୈଫଙ୍କ ଦେହରୁ ରକ୍ତ ବାହାରୁ ଥିଲେ ହେଁ ଘରୋଇ ସହାୟକଙ୍କ ସହଯୋଗରେ ସେ ଗୋଟିଏ ରୁମରେ ଶରିଫୁଲକୁ ଲକ କରିଦେଇଥିଲେ। ଉକ୍ତ ରୁମରେ ବାଥରୁମ ଥିବାରୁ ଶରିଫୁଲ ଏହାକୁ ବ୍ୟବହାର କରି ଏସି ଡକ୍ଟ ଦେଇ ପଛ ପାଖ ପାହାଚରେ ପହଞ୍ଚି ଯାଇଥିଲା। ସେଠାରୁ ସେ ପୁଣି କାନ୍ଥ ଡେଇଁ ବାହାରକୁ ଚାଲି ଯାଇଥିଲା।
ପୁଲିସ୍ ଜାଣିବାକୁ ପାଇଛି ଯେ ଶରିଫୁଲ ଓ ସୈଫଙ୍କ ମଧ୍ୟରେ ଲଢ଼େଇ ପୁଅ ଜାହାଙ୍ଗୀର ରୁମ ପାଖରେ ହୋଇଥିଲା। ସେଠାରେ ଶରିଫୁଲ ପିନ୍ଧିଥିବା ଫେସ କଭର ପଡ଼ି ଯାଇଥିଲା। ଏହାକୁ ପୁଲିସ୍ ଜବତ କରି ଫରେନ୍ସିକ ଟେଷ୍ଟିଂ ପାଇଁ ପଠାଇଛି।
ସୈଫଙ୍କ ପୁଅମାନଙ୍କ ଦେଖାଶୁଣା କରୁଥିବା ଇଲିୟାମା ଫିଲିପ ପୁଲିସକୁ କହିଛନ୍ତି ଯେ ସେ ପ୍ରଥମେ ଘର ଭିତରେ ଶରିଫୁଲକୁ ଦେଖିଥିଲେ। ରାତି ପ୍ରାୟ ୨ଟା ବେଳେ କିଛି ଶବ୍ବ ହେବାରୁ ସେ ନିଦରୁ ଉଠି ଯାଇଥିଲେ। ଏହି ସମୟରେ ବାଥରୁମ କବାଟ ଖୋଲା ରହିଥିଲା ଓ ଲାଇଟ ମଧ୍ୟ ଜଳୁଥିଲା। ପ୍ରଥମେ ସେ ଭାବିଥିଲେ ଯେ କରିନା କପୁର ପୁଅ ଜାହାଙ୍ଗୀର ଶୋଇଲାଣି କି ନାହିଁ, ସେକଥା ଦେଖିବାକୁ ଆସିଛନ୍ତି। ତେଣୁ ସେ ପୁଣି ଶୋଇ ପଡ଼ିଥିଲେ। କିନ୍ତୁ କିଛି ସମୟ ପରେ ସେ ପୁଣି କିଛି ଶବ୍ଦ ଶୁଣିଥିଲେ। ସେ ଆଖି ଖୋଲିଲା ବେଳକୁ ଜଣେ ବ୍ୟକ୍ତି ବାଥରୁମରୁ ବାହାରି ଜାହାଙ୍ଗୀରଙ୍କ ରୁମ ଆଡ଼କୁ ଯାଉଛନ୍ତି।
ଏହା ଦେଖି ଇଲିୟାମା ତୁରନ୍ତ ଉଠି ପଡ଼ିଥିଲେ ଓ ଜାହାଙ୍ଗୀରଙ୍କ ରୁମକୁ ଦୌଡ଼ି ଯାଇଥିଲେ। ଏତିକି ବେଳେ ଶରିଫୁଲ ତାଙ୍କ ମୁହଁରେ ଆଙ୍ଗୁଠି ରଖି ପାଟି ନ କରିବାକୁ ଧମକ ଦେଇଥିଲା। କେହି ବାହାରକୁ ଯାଇ ପାରିବେ ନାହିଁ ବୋଲି ସେ ହିନ୍ଦୀରେ କହିଥିଲା। ତଥାପି ଇଲିୟାମା ଯେତେବେଳେ ଜାହାଙ୍ଗୀରଙ୍କୁ ବେଡରୁ ନେବାକୁ ଚେଷ୍ଟା କରିଥିଲେ ସେତେବେଳେ ଗୋଟିଏ ଛୁରୀ ଓ ଆଉ ଗୋଟିଏ ଲମ୍ବା ଧାରୁଆ ଅସ୍ତ୍ରରେ ସେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଛୁରୀ ଇଲିୟାମାଙ୍କ ହାତରେ ବାଜିବାରୁ ସେ ଚିତ୍କାର କରିଥିଲେ।
ରକ୍ତ ଝରୁଥିବା ବେଳେ ଇଲିୟାମା ଆକ୍ରମଣକାରୀ ଶରିଫୁଲକୁ କ’ଣ ଚାହୁଁଛୁ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ ଟଙ୍କା ଚାହୁଁଥିବା କହିଥିଲା। ଇଲିୟାମା କେତେ ଟଙ୍କା ପଚାରିବାରୁ ସେ ଇଂରାଜୀରେ ୧ କୋଟି ବୋଲି ଉତ୍ତର ଦେଇଥିଲା। ଇଲିୟାମାଙ୍କ ଚିତ୍କାର ଶୁଣି ସୈଫ ଓ କରିନା ତୁରନ୍ତ ନିଜ ରୁମରୁ ବାହାରି ଆସିଥିଲେ। ସୈଫ ଯେତେବେଳେ ଆକ୍ରମଣକାରୀକୁ କ’ଣ ଚାହୁଁଛ ବୋଲି ପ୍ରଶ୍ନ କରିଥିଲେ ସେତେବେଳେ ସେ ଛୁରୀ ଦ୍ୱାରା ତାଙ୍କୁ ଆକ୍ରମଣ କରିଥିଲା।
ଇଲିୟାମା କହିଛନ୍ତି, “ବେଶ କିଛି ସମୟ ଧରି ଆକ୍ରମଣକାରୀ ଓ ସୈଫ ସାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସୈଫ ସାର କୌଶଳକ୍ରମେ ତା’ କବଳରୁ ଖସି ଆସିଥିଲେ। ଆମେ ସମସ୍ତେ ରୁମ ବାହାରକୁ ଦୌଡ଼ି ଆସିବା ସହ କବାଟ ବାହାରୁ ବନ୍ଦ କରି ଦେଇଥିଲୁ। ଏହାପରେ ସମସ୍ତେ ଉପର ମହାଲାକୁ ଚାଲି ଯାଇଥିଲୁ। ଆମେ ଭାବିଥିଲୁ ଯେ ଆକ୍ରମଣକାରୀ ରୁମ ଭିତରେ ରହିଛି। କିନ୍ତୁ ସେ ପରବର୍ତ୍ତୀ ଅବସ୍ଥାରେ ଖସି ଯାଇଥିଲା।”
ଘଟଣା ପରେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ୩୦ଟି ଟିମ ଗଠନ କରିଥିଲା। ପୁଲିସ୍ ବିଲଡିଂରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ବେଳେ ଅଭିଯୁକ୍ତ ଜଣକ ଖସି ଚାଲି ଯାଇଥିବା ଜାଣିବାକୁ ପାଇଥିଲା। ତା’ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଶତାଧିକ ସିସିଟିଭିକୁ ପୁଲିସ୍ ସ୍କାନ କରିଥିଲା। ଏହି କଠିନ ପରିଶ୍ରମ ବେଳେ ପୁଲିସ୍ ଅନ୍ଧେରୀର ଡିଏନ ନଗରରୁ ପାଇଥିବା ଫୁଟେଜ ନୂଆ ଆଶା ସୃଷ୍ଟି କରିଥିଲା। ଅଭିଯୁକ୍ତ ଜଣକ ଗୋଟିଏ ବାଇକରୁ ଓହ୍ଲାଉଥିବା ପୁଲିସ୍ ଦେଖିବାକୁ ପାଇଥିଲା। ଏହାପରେ ଉକ୍ତ ବାଇକର ନମ୍ବର ପ୍ଲେଟକୁ ଟ୍ରାକ କରିଥିଲା।
ସମାନ୍ତରଳ ଭାବେ ପୁଲିସ୍ ନିଜର ଖବରୀଙ୍କ ଦ୍ୱାରା ପୁଲିସ୍ ଓର୍ଲିର କୋଲିୱାଡା ସ୍ଥିତ ଗୋଟିଏ ଘରେ ପହଞ୍ଚିଥିଲା। ଏଠାରେ ଅଭିଯୁକ୍ତ ଜଣକ ଆଉ ୩ ଜଣକ ସହ ଭଡ଼ାରେ ରହୁଥିବା ଜଣାପଡ଼ିଥିଲା। ସେଠାରେ ରହୁଥିବା ୩ ଜଣଙ୍କୁ ଜେରା କରିବା ବେଳେ ପୁଲିସ୍ ଅଭିଯୁକ୍ତର ନାଁ ଓ ଫୋନ ନମ୍ବର ହାସଲ କରିଥିଲା। ଏହି ନମ୍ବରକୁ ଟ୍ରାକ କରି ପୁଲିସ୍ ଶେଷରେ ଥାଣେରୁ ଅଭିଯୁକ୍ତକୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତ ଜଣକ ବାଂଲାଦେଶୀ ଓ ସେ ବେଆଇନ ଭାବେ କିଛି ମାସ ତଳେ ଭାରତରେ ପ୍ରବେଶ କରିଥିଲା ପୁଲିସ୍ ଜାଣିବାକୁ ପାଇଥିଲା।
Sign in
Sign in
Recover your password.
A password will be e-mailed to you.