ଏନକାଉଣ୍ଟରରେ କୋଟିଏ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଚଳପତି ମୃତ, ୧୯ ଜଣ ମାଓବାଦୀଙ୍କ ମୃତଦେହ ଜବତ

ନୂଆପଡ଼ା: ନୂଆପଡ଼ା ନିକଟ ଓଡ଼ିଶା ସୀମାନ୍ତରେ ସୁରକ୍ଷା ବାହିନୀକୁ ବଡ଼ଧରଣର ସଫଳତା ମିଳିଛି। ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ପୁଲିସ ଓ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୧୯ ଜଣ ମାଓବାଦୀଙ୍କ ମୃତଦେହ ଜବତ ହୋଇଛି। ଏନ୍‌କାଉଣ୍ଟରରେ ଏକ କୋଟି ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଚଳପତି ଓରଫ ଜୟରାମର ମୃତ୍ୟୁ ହୋଇଛି। ପ୍ରଥମ ଥର ପାଇଁ ସୁରକ୍ଷାବାହିନୀକୁ ଗରିଆବନ୍ଧ ଜଂଗଲରେ ବଡ଼ ସଫଳତା ମିଳିଛି। ଅନ୍ୟପଟରେ ଓଡ଼ିଶା-ଛତିଶଗଡ଼ ସୀମାର କୁହ୍ଲାଡୀ ଘାଟ ଜଙ୍ଗଲରେ ଏବେ ବି ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି।

ଦେଶକୁ ନକ୍ସଲମୁକ୍ତ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକର ସହଯୋଗରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଛତିଶଗଡ଼ରେ ଗୋଟିଏ ବର୍ଷ ମଧ୍ୟରେ ୨୬୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ହୋଇସାରିଛି। ଏହି ସମୟ ମଧ୍ୟରେ ୮୭୦ରୁ ଅଧିକ ଆତ୍ମସମର୍ପଣ କରିଛନ୍ତି। ସେହିପରି ୧୦୦୦ରୁ ଅଧିକ ମାଓବାଦୀ ଗିରଫ ହୋଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ସଂକଳ୍ପ ଓ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ମାର୍ଗଦର୍ଶନରେ ୨୦୨୬ ପର୍ଯ୍ୟନ୍ତ ସଶସ୍ତ୍ର ନକ୍ସଲବାଦ ଛତିଶଗଡ଼ ସମେତ ପୂରା ଭାରତରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। 

ଗରିଆବନ୍ଧ ଏନ୍କାଉଣ୍ଟରରେ ୧୬ ଜଣ ନକ୍ସଲଙ୍କର ମୃତଦେହ ଜବତ ହୋଇଛି। ଏକେ-୪୭, ଏସ୍ଏଲ୍ଆର, ଇନ୍ସାସ ରାଇଫଲ ସମେତ ଅନ୍ୟ ମାଓସାମଗ୍ରୀ ମଧ୍ୟ ଜବତ ହୋଇଛି। ସର୍ଚ୍ଚ ଅପରେସନ ଜାରି ରହିଛି। ନକ୍ସଲମାନଙ୍କର ଓଡ଼ିଶା କମିଟିର ସଦସ୍ୟ ଚଳପତି ଓରଫ ଜୟରାମ ଓରଫ ରାମଚନ୍ଦ୍ରନ ଓରଫ ପ୍ରତାପ ରେଡ୍ଡୀ ଥିଲା ସ୍ବର୍ଗତ ଶିବଲିଙ୍ଗ ରେଡ୍ଡୀଙ୍କ ପୁଅ। ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲା ବଂଗାରମ ପଟେମ ଥାନା ଅଧୀନ ପାଇପଲୀ ଗ୍ରାମର ୬୧ ବର୍ଷୀୟ ଚଳପତି ନାମରେ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସେ ୨୦୨୧ ଜାନୁଆରିରେ ଛତିଶଗଡ଼ ଆସିଥିଲା। ତାର ପତ୍ନୀ ଅରୁଣା (୨୪) ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ଅଛି।

ଚଳପତି ପାଖରେ ୪୭ଟି ଅସ୍ତ୍ର, ମୋବାଇଲ, ଟେବଲେଟ, କମ୍ପ୍ୟୁଟର, ରେଡିଓ ଥିଲା। ବର୍ତ୍ତମାନ ସମୟରେ ଚଳପତି ଅଧିକ ସମୟ ଏସ୍ଜେଡସୀ-ଜୟରାମଙ୍କ ସହିତ ଭାଲୁଡିଗ୍ଗୀ, ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ବୁଲୁଥିଲା। ଚଳପତି ଯଦିଓ ଆନ୍ଧ୍ରପ୍ରଦେଶର ନିବାସୀ ଥିଲା, କିନ୍ତୁ ଏକାଧିକ ଭାଷାରେ କହିପାରୁ ଥିଲା। ସେ ତେଲୁଗୁ, ଓଡ଼ିଆ, ଗୋଣ୍ଡୀ, ଛତିଶଗଡ଼ୀ ଓ ହିନ୍ଦୀ କହିପାରୁ ଥିଲା।

nis-ad
Leave A Reply

Your email address will not be published.