ଭୁବନେଶ୍ବର: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ବର୍ତ୍ତମାନ ସୁଦ୍ଧା ଏଥିରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ, ଅନେକ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଘଟଣାକୁ ଗମ୍ଭୀରତାର ସହ ନେବା ସହିତ ସଜାଗ ଅଛନ୍ତି ସରକାର । ସ୍ୱାସ୍ଥ୍ୟବିଭାଗର ଏକ ଟିମ୍ କଣାସ ଅଞ୍ଚଳକୁ ପଠାଯାଇଛି । ପର୍ଯ୍ୟାପ୍ତ ପରିମାଣର ଅବଶ୍ୟକୀୟ ଔଷଧ ମହଜୁଦ ଅଛି । ଚିକିତ୍ସା ସେବା ଠିକରେ ଚାଲିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଣାସ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଝାଡ଼ାବାନ୍ତି ସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇଛନ୍ତି । ସେ ଅଞ୍ଚଳରେ କିପରି ଅଧିକ ଝାଡ଼ାବାନ୍ତି ନ ବ୍ୟାପେ ସେଥିପାଇଁ ଆମେ ପଦକ୍ଷେପ ନେଉଛୁ, ଆଉ ସଜାଗ ଅଛି ।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, କଣାସରେ ପ୍ରଥମେ ଏକ ଭୋଜିରୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ଗତ ୭ରୁ ୮ ଦିନ ହେଲା ବ୍ୟାପିଛି ଝାଡ଼ାବାନ୍ତି । ଡ଼ାବାନ୍ତିରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା । ସେଥିରୁ ଜଣେ ଡାଇରିଆରେ ମରିଥିବା ସ୍ପଷ୍ଟ ହୋଇଛି । ଏହାସହ ଆଖପାଖ ୫ଟି ଗାଁକୁ ବ୍ୟାପିଛି ଝାଡ଼ାବାନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଗାଁ ଗୁଡ଼ିକର ୭୧ ଜଣ ସଂକ୍ରମିତ ହେଇ ଚିକିତ୍ସାଧୀନ ଅଛନ୍ତ ।
ଦୟା ନଦୀରୁ ଦୂଷିତ ଜଳ ବ୍ୟବହାର ଯୋଗୁଁ ଡାଇରିଆ ବ୍ୟାପିଥିବା ଜଣାପଡିଛି । ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଅଛି । ସରକାରଙ୍କ ପକ୍ଷରୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।