ରାଜଭବନ ଲୋକଙ୍କ ନିକଟତର ହେବ: ରାଜ୍ୟପାଳ

ଭୁବନେଶ୍ୱର: ଚଳିତବର୍ଷ ଜାନୁଆରୀ ୧୩ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ଜନସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାଯାଇଥିବା ବେଳେ ଉଦ୍ୟାନ ପରିଦର୍ଶନ ପାଇଁ ହେଉଥିବା ଜନସମାଗମକୁ ଦେଖି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଖୁସି ବ୍ୟକ୍ତ କରିଛନ୍ତି। ଆଜି ଅପରାହ୍ନରେ ରାଜଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ଜନସମାଗମ ଦେଖିଲା ପରେ ରାଜ୍ୟପାଳ ଜନସାଧାରଣଙ୍କ ସହିତ ମିଶି ବାର୍ତ୍ତାଳାପ କରିଥିଲେ।
ଶିଶୁମାନଙ୍କୁ ଦେଖି ରାଜ୍ୟପାଳ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ସେମାନଙ୍କୁ ଚକଲେଟ୍ ଓ କଲମ ପ୍ରଦାନ କରି ଆଶୀର୍ବାଦ ଦେଇଥିଲେ। ଏପରି ସମାଗମ ରାଜଭବନ ଲୋକଙ୍କର ନିକଟତର ହେବାର ଏକ ମାଧ୍ୟମ ବୋଲି କହିବା ସହିତ ରାଜଭବନ ଉଦ୍ୟାନ ବର୍ଷକୁ ଏକାଧିକ ଥର ଖୋଲିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି।
ଶିଶୁ, ଛୋଟପିଲା, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣ ରାଜଭବନ ଉଦ୍ୟାନ ପରିସରରେ ଥିବା ନାନାପ୍ରକାରର ବୃକ୍ଷରାଜି, ପୁଷ୍ପ ଉଦ୍ୟାନ, ହରିଣ ପାର୍କ, ମୟୁର ପାର୍କ, ଆକ୍ୱାରିୟମ୍, ମ୍ୟୁଜିକାଲ ଫାଉଣ୍ଟେନ ଆଦିର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ଯାହାକି, ଆନନ୍ଦର କଥା। ଜନସାଧାରଣ ବହୁସଂଖ୍ୟାରେ ରାଜଭବନ ଉଦ୍ୟାନ ପରିଦର୍ଶନ କରିବା ପାଇଁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଅନୁରୋଧ କରିଛନ୍ତି। ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତ ମଧ୍ୟ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟଯେ, ଜାନୁଆରୀ ୧୩ ତାରିଖରୁ ୧୮ତାରିଖ ମଧ୍ୟରେ ୩୦ ହଜାରରୁ ଅଧିକ ଜନସାଧାରଣ ରାଜଭବନ ଉଦ୍ୟାନ ପରିଦର୍ଶନ କରିଛନ୍ତି।

nis-ad
Leave A Reply

Your email address will not be published.