ହିଞ୍ଜିଳିକାଟୁ, ୧୨ା୧(): ସଉଦା ଦୋକାନରୁ ସର୍ମ୍ପକ । ପରେ ଭାବର ଆଦାନ ପ୍ରଦାନ । ସର୍ମ୍ପକ ଗଭୀର ହେବା ପରେ ସଉଦା ବାବଦକୁ ୨ଲକ୍ଷ ଟଙ୍କା ବକେୟା । ବକେୟା ଟଙ୍କା ସୁଝିନପାରି ଘରବାରି ଜାଗା ଦେବାକୁ କହି ବିଶ୍ୱାସ ଜନ୍ମାଇତିଲେ । ପରେ ଭୂବନେଶ୍ୱରରୁ ଆସି ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମକୁ ଆସି ଭଡାସୂତ୍ରରେ ଘରେ ରହିଥିଲେ ୨ ଦମ୍ପତି । କିଛି ଦିନ ପରେ ଚତୁରତାର ସହ ଚାକିରି କରାଇଦେବା ନା’ରେ ଲୋକଙ୍କୁ ଠକି ନେଇଥିଲେ । ୧୧ ଜଣଙ୍କ ଠାରୁ ପ୍ରାୟ ୧୮.୭୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଚାକିରୀ ଦେଇନପାରି ଘରୁ ଲୁଚି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଠକାମୀର ଶୀକାର ହୋଇଥିବା ଲୋକଙ୍କ ହାବୁଡରେ ପଡିଥିଲେ । ଲୋକେ ଉତ୍ତମ ମଧ୍ୟମ ଦେବା ପରେ ସଂପୃକ୍ତ ୨ ଦମ୍ପତିଙ୍କୁ ହିଞ୍ଜିଳି ଥାନାରେ ଜିମା ଦେଇଥିଲେ । ଏଭଳି ଏକ ଘଟଣା ହିଞ୍ଜିଳିକାଟୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ବୁଲୁ ଜେନା ଭୂବନେଶ୍ୱର ସାଲିଆ ସାହିରେ ଏକ ତେଜରାତି ଦୋକାନ କରିଥିଲେ । ସେହି ସମୟରେ ଭୂବନେଶ୍ୱର ସହିଦନଗର ଥାନା ପଥରବନ୍ଧ ଅଞ୍ଚଳର ବିପିନି ପାତ୍ର ବୁଲୁଙ୍କ ସହ ଭାବ ବିନିମୟ କରିଥିଲେ । କିଛି ଦିନ ପରେ ବୁଲୁଙ୍କ ତେଜରାତି ଦୋକାନରୁ ବିଭିନ୍ନ ସମୟରେ ପ୍ରାୟ ୨ଲକ୍ଷ ଟଙ୍କାର ସଉଦା କିଣିଥିଲେ । ବୁଲୁ ବକେୟା ଟଙ୍କା ମାଗିବାରୁ ବିପିନି ଓ ତାଙ୍କର ଜଣେ ସହଯୋଗୀ ବାଳେଶ୍ୱର ଜିଲ୍ଲା ନିଳଗିରି ଅଞ୍ଚଳୀ ଗଣେଷ ନାୟକଙ୍କ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ ଏକ ଘରବାରି ଜମି ରହିଥିବା ବେଳେ ତାକୁ ବିକ୍ରୟ କରି ବକେୟା ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ । ପରେ ଗଣେଷ, ବିପିନି ଓ ଉଭୟଙ୍କ ସ୍ତ୍ରୀ ମିଶି ଭୁବନେଶ୍ୱରରୁ ଆସି ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଭଡା ସୂତ୍ରରେ ଏକ ଘରେ ରହିଥିଲେ । କୌଶଳକ୍ରମେ ଉଭୟ ଦମ୍ପତି ଚାକିରୀ କରାଇ ଦେବା ନା’ରେ ୧୧ ଜଣଙ୍କ ଠାରୁ ପ୍ରାୟ ୧୮.୭୦ଲକ୍ଷ ଟଙ୍କା ଠକି ନେଇଥିଲେ । ଦୀର୍ଘ ଦିନ ଧରି ଚାକିରୀ ନମିଳିବାରୁ ସଂପୃକ୍ତ ଲୋକେ ଉଭୟ ଦମ୍ପତିଙ୍କୁ ଟଙ୍କାର ଫେରସ୍ତ କରିବାକୁ କହିଥିଲେ । ଅଳ୍ପ କିଛି ଦିନ ମଧ୍ୟରେ ସେମାନଙ୍କୁ ଚାକିରୀ ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ ଉଭୟ ଦମ୍ପତି । ଚାକିରୀ ଦେବାକୁ କହି ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ରଶ୍ମିତା ସ୍ୱାଇଁଙ୍କ ଠାରୁ ୨ ଲକ୍ଷ, ବନିତା ସ୍ୱାଇଁଙ୍କ ଠାରୁ ୮୦ ହଜାର, ରୀତା ଜେନାଙ୍କ ଠାରୁ ୧ଲକ୍ଷ, ମଙ୍ଗୁଳୁ ବିଷୋୟୀଙ୍କ ଠାରୁ ୩ ଲକ୍ଷ ୫୯ ହଜାର, ସଂଗ୍ରାମ ରାଉତଙ୍କ ଠାରୁ ୨ଲକ୍ଷ ୫୦ ହଜାର, ବିଦ୍ୟାଦର ରାଉତଙ୍କ ଠାରୁ ୪୬ ହଜାର, ରୋହି ଜେନାଙ୍କ ଠାରୁ ୧ଲକ୍ଷ ୯୦ ହଜାର, ଦାଶରଥି ବେହେରାଙ୍କ ଠାରୁ ୮୦ ହଜାର, ଆମ୍ବିଳାପଲ୍ଲୀ ଗ୍ରାମର ପଞ୍ଚାନନ ବେହେରାଙ୍କ ଠାରୁ ୧ଲକ୍ଷ ୨୦ ହଜାର, ଜୀବନ ବେହେରାଙ୍କ ଠାରୁ ୨ ଲକ୍ଷ, ସନ୍ତୋଷ ଡାକୁଆଙ୍କ ଠାରୁ ୪୫ ହଜାର ଟଙ୍କା ସମୁଦାୟ ୧୧ ଜଣଙ୍କ ଠାରୁ ପ୍ରାୟ ୧୮.୭୦ ଲକ୍ଷ ଟଙ୍କା ଠକେଇ କରି ନେଇଥିବା ନେଇ ଠକାମୀର ଶୀକାର ହୋଇଥିବା ବ୍ୟକ୍ତି ମାନେ ହିଞ୍ଜିଳି ଥାନାରେ ରବିବାର ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୫/୨୫ରେ ଏକ ମାମଲା ରୁଜୁ କରି ୨ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି । ଗିରଫ ମାନେ ହେଲେ ବାଲେଶ୍ୱର ଜିଲ୍ଲା ନିଳଗିରି ଅଞ୍ଚଳର ଗଣେଶ ନାୟକ, ତାଙ୍କରି ସ୍ତ୍ରୀ ତପସ୍ୱିନି ସିଂ, ଭୂବନେଶ୍ୱର ଶହୀଦନଗର ଥାନା ପଥରବନ୍ଧ ଗ୍ରାମର ବିପିନି ପାତ୍ର ଓ ତାଙ୍କ ସ୍ତ୍ରୀ ବିଜୁଳି ପାତ୍ର । ଗିରଫ ଉଭୟ ଦମ୍ପତିଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ.ଆଇ. ସିଦ୍ଧାର୍ଥ ଶଙ୍କର ଜେନାଙ୍କ ସୂତ୍ରରୁ ପ୍ରକାଶ । ଗିରଫ ଗଣେଷ ନାୟକଙ୍କ ନାମରେ ଭୂବନେଶ୍ୱର ସମେତ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଅନ୍ୟ କେଉଁ କେଉଁ ସ୍ଥାନରେ ସଂପୃକ୍ତ ଦମ୍ପତି ଠକେଇ କରିଥିବା ନେଇ ପୁଲିସ ସନ୍ଦେହ କରି ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।
Sign in
Sign in
Recover your password.
A password will be e-mailed to you.