ଭୁବନେଶ୍ବର ୧୧।୧: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡ଼ି ନେତ୍ରୀ ଦୀପାଳି ଦାସ । ନବୀନଙ୍କୁ ଭେଟିବା ପରେ ଦୀପାଳି କହିଛନ୍ତି, ନବୀନ ପଟ୍ଟନାୟକ ଆମ ପରିବାର ସହ ପରିବାର ହୋଇ ଠିଆ ହୋଇଥିବାରୁ ଧନ୍ୟବାଦ ଦେଲି । ସେ କହିଲେ ଷ୍ଟ୍ରଙ୍ଗ ରୁହ, ଡାର୍ଟି ପଲିଟିକ୍ସରୁ ଆଗକୁ ଯିବାକୁ ବାଟ ଦେଖାଇଲେ । ଆଗାମୀ ଦିନରେ ତାଙ୍କ ମାର୍ଗଦର୍ଶନରେ କାମ କରିବୁ ବୋଲି ଦୀପାଳି କହିଛନ୍ତି ।
ସେପଟେ ପ୍ରେସମିଟ୍ କରି ଦୀପାଳି ବିଜେପିକୁ ଟାର୍ଗେଟ୍ କରିଥିଲେ । ଦୀପାଳି କହିଥିଲେ, ଅନାସ୍ଥା ଯେତେବେଳେ ଆସିଲା ସେତେବେଳେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା । ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ । ୧୦ ଜାନୁଆରୀ ଅନାସ୍ଥା ପାଇଁ ତାରିଖ ଦିଆଗଲା । କିନ୍ତୁ ବିଜେପି ପକ୍ଷରୁ କିଛି ନେତା ପଞ୍ଚାୟତ ପ୍ରତିନିଧିଙ୍କୁ ଜାନୁଆରୀ ୮ରେ ଧମକ ଚମକ ଦେଲେ । ଜାନୁଆରୀ ୯ ତାରିଖରେ ଲଇକେରା ଥାନା ଅଧିକାରୀ ଗୋଟେ ପ୍ରାଇଭେଟ୍ ପ୍ରପର୍ଟିକୁ ଯାଇ ବେଆଇନ ଭାବେ ସର୍ଚ୍ଚ କଲେ । ମୋ ଭାଇଙ୍କ ନାଁରେ ମାଲିକାନା ଅଛି । ଏନେଇ ଆଇଜିଙ୍କୁ ଭେଟି ଆଲୋଚନା କଲୁ । କିନ୍ତୁ ତାପର ଦିନ ଛତିଶଗଡ଼ ଯାଇ ହୋଟେଲରେ ସର୍ଚ୍ଚ କଲେ । ମିସିଂ କେସ୍ ଦର୍ଶାଇ ସରପଞ୍ଚ, ସମିତି ସଭ୍ୟଙ୍କୁ ଅଟକ ରଖାଗଲା । ମୋ ଭାଇ ଖବର ପାଇ ହୋଟେଲକୁ ଗଲେ କିନ୍ତୁ ହୋଟେଲ ଆଗରେ ପହଞ୍ଚିଲା ବେଳକୁ ହୋଟେଲର ସଟର ପଡିଥିଲା । ଛତିଶଗଡ଼ ପୋଲିସ ମୁତୟନ ଥିଲେ । ମୋ ଭାଇ ବିଶାଲ ଯେତେବେଳେ ପୋଲିସକୁ ପଚାରିଲେ କାହିଁକି ଅଟକ ରଖାଯାଇଛି ସେତେବେଳେ ପୋଲିସ କହିଲା ଉପରୁ ଅର୍ଡ଼ର ଆସିଲେ ଛାଡିବୁ । କାହା ଅର୍ଡ଼ରକୁ ଅପେକ୍ଷା ଥିଲା ? ହାରିବା ଭୟରେ ଏଭଳି ଘୃଣ୍ୟ କାମ କଲେ ସରକାର । ଆମ ପରିବାର ସହ ଯାହା ଘଟିଛି ତାହା ସମସ୍ତଙ୍କୁ ଜଣା । ଆମ ପରିବାରକୁ ଏବେବି ଟାର୍ଗେଟ୍ କରାଯାଉଛି । ଦମ୍ ଅଛି ଯଦି କାଲି ଭୋଟିଂ କରନ୍ତୁ । ହାରିଗଲେ ମୁଁ ସ୍ୱୀକାର କରିବି । କିନ୍ତୁ ତାଙ୍କ ମନରେ ଭୟ ଅଛି ବୋଲି କହିଲେ ବିଜେଡ଼ି ନେତ୍ରୀ ଦୀପାଳି ଦାସ କହିଥିଲେ ।