କ୍ଷୁଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉ : ବିଧାୟକ ଜି ଉଦୟଗିରି

ଫୁଲବାଣୀ : ଶିକ୍ଷା ହେଉଛି ଏକ ବିକଶିତ ସମାଜ ଗଠନର ମୂଳମନ୍ତ୍ର । ଶିକ୍ଷିତ ସମାଜ ଅଧିକ ସଚେତନ, କର୍ମକୁଶଳୀ ଓ ସୃଜନଶୀଳ ଅଟେ । ଏକ ପ୍ରଗତିଶୀଳ ଜିଲ୍ଲା ଓ ରାଜ୍ୟ ଗଠନ କରିବାକୁ ହେଲେ ଏହାର ଶିକ୍ଷା ବିଶେଷକରି ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ସେଥିରେ ଥିବା ଅବ୍ୟବସ୍ଥା ଗୁଡିକୁ ଦୂର କରାଯିବା ଦିଗରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ଫିରିଙ୍ଗିଆ ବ୍ଲକ୍ ବନ୍ଧଗଡଠାରେ ଆୟୋଜିତ ସ୍ୱାତୀର କର୍ମୀ ସମ୍ମିଳନୀରେ ମୂଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ଘୁ.ଉଦୟଗିରି ବିଧାୟକ ଶ୍ରଯୁକ୍ତ ପ୍ରଫୁଲ୍ଲ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଦୁଇଦିନ ଧରି ଆୟୋଜିତ କର୍ମୀ ସମ୍ମିଳନୀ ଓ ଆଲୋଚନା ଶିବିରର ଉଦଯାପନୀ ସମାରୋହରେ ଯୋଗ ଦେଇ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଏକ କ୍ଷୁଦ୍ଧାମୁକ୍ତ, ସୁସ୍ଥ ଓ ବିକଶିତ ସମାଜ ଗଠନ କରିବାକୁ ହେଲେ ପ୍ରାକ୍ ପ୍ରାଥମିକ ଓ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଗ୍ରାମବାସୀ ମାନଙ୍କର ଶିକ୍ଷା ଓ ସଚେତନତା ଅଭାବରୁ ସରକାରୀ ଯୋଜନା ଗୁଡିକ ଠିକ୍ ଭାବେ ପରିଚାଳନା ହୋଇ ପାରୁନାହିଁ ଏବଂ ଲୋକମାନେ ଅଧିକାରଗତ ଲଢେଇ କରିପାରୁନାହାନ୍ତି । ପ୍ରାଥମିକ ଶିକ୍ଷା ଦିଗରେ ଅନେକ ଅବହେଳା ପ୍ରଦର୍ଶନ କରାଯାଉଛି ଏବଂ ପ୍ରାକ୍ ପ୍ରାଥମିକ ଶିକ୍ଷା ଯୋଗାଉଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଉନ୍ନତ କରାଯାଉ ନାହିଁ । ଗ୍ରାମାଂଚଳରେ ଶିକ୍ଷାର ମୂଳଭିତି ଦୁର୍ବଳ ରହୁଥିବାରୁ ପିଲାମାନେ ଭବିଷ୍ୟତରେ ପ୍ରତିଯୋଗୀତା ମୂଳକ ବ୍ୟବସ୍ଥାରେ ସୁଯୋଗ ହାସଲ କରି ପାରୁନାହାନ୍ତି । ତେଣୁ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଦୁଇ କୋଠରୀ ବିଶିଷ୍ଟ କରିବା ସହ ଦୁଇଜଣ ସହାୟିକା ନିଯୁକ୍ତି ଏବଂ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ପରିମାଣର ଶିକ୍ଷକ ନିଯୁକ୍ତି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଆବଶ୍ୟକ ବୋଲି ସେ କହିଥିଲେ ।ସ୍ୱାତୀ ଗତବର୍ଷ ଗୁଡିକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ କାର୍ଯ୍ୟକ୍ରମ ସହ ଅଧାରୁ ପାଠଛାଡୁଥିବା ପିଲାମାନଙ୍କ ପାଇଁ ସଂପୂର୍ଣ୍ଣ ଶିକ୍ଷା ସୁଯୋଗ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରୁଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ସ୍ୱାତୀ ଦ୍ୱାରା ପରିଚାଳିତ ରେଡିଓ-ସ୍ୱାତୀ ମାଧ୍ୟମରେ ଶିକ୍ଷା ଓ ସଚେତନତା ବାର୍ତ୍ତା ପ୍ରସାର କରାଯାଉ ଥିବାରୁ ସେ ପ୍ରଶଂସା କରିବା ସହ ଶିକ୍ଷାର ପ୍ରସାର ନିମନ୍ତେ ଗୋଷ୍ଠୀ ସଚେତନତା ସୃଷ୍ଟି ପାଇଁ ଏକ ରେଡିଓ ବାର୍ତ୍ତା ଦେଇଥିଲେ । ସ୍ୱାତୀ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥି କ୍ଷୁଦ୍ଧାମୁକ୍ତ ସମାଜ ଗଠନ ଦିଗରେ କୃଷି ଓ ରୋଜଗାର ବୃଦ୍ଧି କାର୍ଯ୍ୟକ୍ରମ ଗୁଡିକ ସଂପର୍କରେ ଉଲ୍ଲେଖ କରିଥିଲେ । ସଂପାଦକ ଇଂ.ହରିଶଙ୍କର ରାଉତ ଗୋଷ୍ଠୀର ଖାଦ୍ୟ ସୁରକ୍ଷା ଏବଂ ସୁସ୍ଥତା ନିମନ୍ତେ ଅନୁଷ୍ଠାନ ଗ୍ରହଣ କରୁଥିବା କାର୍ଯ୍ୟକ୍ରମ ଗୁଡିକ ସଂପର୍କରେ ଉପସ୍ଥାପନ କରିବା ସହ ସରକାରୀ ଯୋଜନା ଗୁଡିକ ଗୋଷ୍ଠୀସ୍ତରରେ ପହଂଚାଇବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ବନାଂଚଳ ଉନ୍ନୟନ କାର୍ଯ୍ୟକ୍ରମ, ଶ୍ରୀ-ଅନ୍ନ ଅଭିଯାନ ଏବଂ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଆଦିଗୁଡିକ ଦ୍ୱାରା ଗୋଷ୍ଠୀରେ ଲୋକମାନଙ୍କ ଖାଦ୍ୟ ଓ ପୁଷ୍ଟି ସୁରକ୍ଷା ସହ ଦେଶାନ୍ତରୀ, ପୁଷ୍ଟିହୀନତା ଆଦି ସମସ୍ୟା କିଛି ମାତ୍ରାରେ ରୋକାଯାଇ ପାରିଛି ବୋଲି କହିଥିଲେ । ଏହି ସମ୍ମିଳନୀରେ ସ୍ୱାତୀର ସମସ୍ତ କର୍ମୀ ମାନଙ୍କ ସହ ଗୋଷ୍ଠୀ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ । ସଫଳ କୃଷକ, ମହିଳା ଦଳ ସଦସ୍ୟା, ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାତୀ କର୍ମୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

nis-ad
Leave A Reply

Your email address will not be published.