ଭଦ୍ରକ 29/12 : ଅଦିନିଆ ବର୍ଷାରେ ଧାନ ଗଜା ହୋଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭେଟିବା ବେଳେ କାନ୍ଦି ପକାଇଲେ ଚାଷୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ ଭଗବାନପୁର ପଂଚାୟତ ଅଧିନ ଜୟକୃଷ୍ଣ ପୁର ଅଞ୍ଚଳ ଯାଇଥିଲେ ଉପମୁଖ୍ୟମନ୍ତ୍ରୀ । ଯିବା ବେଳେ ରାସ୍ତାରେ ଗଜା ହୋଇଥିବା ଧାନ ଧରି ଠିଆ ହୋଇଥିଲେ ଚାଷୀ । ଅଟକି ଯାଇଥିଲେ ପ୍ରଭାତୀ ପରିଡ଼ା । ତାଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦୁଥିଲେ ଚାଷୀ । ଚାଷୀଙ୍କୁ ବୁଝାଇ କ୍ଷତି ପୂରଣ ଦିଆଯିବ ବୋଲି କହିଛନ୍ତି ସେ । ଜିଲ୍ଲାର ବରିଷ୍ଠ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ।
ଧାମନଗର ଓ ବନ୍ତ ଅଞ୍ଚଳରେ ବୁଲି ଗ୍ରାଉଣ୍ଡ ସ୍ଥିତି ଦେଖିଛନ୍ତି । ପରେ କହିଛନ୍ତି, ଜିଲ୍ଲାରେ 71ପ୍ରତିଶତ ଚାଷ ପ୍ରଭାବିତ ହୋଇଛି । 497 ହେକ୍ଟର ଜମିରେ ଫସଲ କଟା ହୋଇ ପଡ଼ିଛି । ଚାଷୀଙ୍କ ପଛରେ ସରକାର ଚଟାଣ ଭଳି ଠିଆ ହୋଇଛନ୍ତି । ଚାଷୀ ମାନେ ହତାଶ ହୁଅନ୍ତୁ ନାହିଁ । ସରକାରଙ୍କ ତରଫରୁ ମୁଁ ଆପଣଙ୍କୁ ସମବେଦନା ଜଣାଉଛି । ତେବେ ଯେଉଁ କ୍ଷତିଗ୍ରସ୍ତ ଚାଷୀ ପଞ୍ଜିକରଣ କରି ନାହାନ୍ତି ସେମାନେ ପଞ୍ଜିକରଣ କରନ୍ତୁ । ଯେଉଁ ମାନେ ବୀମା କରିଛନ୍ତି ସେମାନେ ସହାୟତା ପାଇବେ ଓ ଯେଉଁମାନେ ବୀମା କରି ନାହାନ୍ତି ସେମାନେ ମଧ୍ୟ ସହାୟତା ପାଇବେ । କୌଣସି ଚାଷୀ ବାଦ ପଡ଼ିବେ ନାହିଁ । ଆମେ ଫେରିବାପରେ ସରକାରଙ୍କୁ ରିପୋର୍ଟ ଦେବୁ । ପରେ ସହାୟତା ଘୋଷଣା ହେବ ।