ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ବୋଟ୍ ଆମ୍ବୁଲାନ୍ସ ଓ ବନବିଭାଗ ବୋଟ୍

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନକୁ ଗୁପ୍ତିରୁ ଦୁଇଟି ଘରୋଇ ବୋଟ ଯୋଗେ ବୁଲିବାକୁ ଯାଇ ଫେରୁଥିବା ବେଳେ ନଦୀ ମଝିରେ ଗୋଟିଏ ପରେ ଗୋଟିଏ ବୋଟ ଅଚଳ ହୋଇ ପଡିଥିଲା ।  କଟକ ଓ ଯାଜପୁରରୁ ଆସିଥିବା ୨୮ଜଣ ପର୍ଯ୍ୟଟକ ଦୁଇଘଣ୍ଟାରୁ ଉର୍ଦ୍ଧ୍ବ କାଳ ବୋଟରେ ନଦୀରେ ଫସି ରହିଥିଲେ । କୁମ୍ଭୀରିଆ ନଦୀରେ ବୋଟ ଅଚଳ ହେବା ପରେ ସେମାନେ ବିଚଳିତ ହୋଇ ପଡିଥିଲେ । ଖବରପାଇ ବନବିଭାଗର ଦୁଇଟି ବୋଟ ସହ ବୋଟ ଆମ୍ବୁଲାନ୍ସ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବା ସହ ଦୁଇଟି ଅଚଳ ବୋଟକୁ କୂଳକୁ ଟାଣି ଆଣିଥିଲେ । ରବିବାର ଦିନ ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ । କଟକରୁ ବିଦ୍ୟାଧର ପାଣିଙ୍କ ନେତୃତ୍ୱରେ ୧୮ଜଣ ପୁରୁଷ ପର୍ଯ୍ୟଟକ(ବରିଷ୍ଠ ନାଗରିକ) ଗୁପ୍ତିରୁ ଘରୋଇ ବୋଟ ମା ମଙ୍ଗଳାରେ ବୁଲିବାକୁ ଯାଇଥିଲେ ।

ସେହିପରି ଯାଜପୁର ରୋଡରୁ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ୱରେ ୫ଜଣ ପୁରୁଷ ଓ ୫ଜଣ ମହିଳା ଘରୋଇ ବୋଟ ମା ଗୁପ୍ତଚଣ୍ଡୀରେ ବୁଲିବାକୁ ଯାଇଥିଲେ । ଭିତରକନିକା ବୁଲି ସାରି ଉଭୟ ବୋଟ ଗୁପ୍ତି ଫେରୁଥିବା ବେଳେ ସୁଆଯୋର ନିକଟରେ ମା ମଙ୍ଗଳା ବୋଟର ଡିଜେଲ ପାଇପ ଫାଟି ଯାଇଥିଲା । ଯାହାଫଳରେ ବୋଟଟି ଅଚଳ ହୋଇ ପଡିଥିଲା । ସେଠାରୁ ଖବର ଆସିବା ପରେ ମା ଗୁପ୍ତ ଚଣ୍ଡୀ ବୋଟକୁ ଉଦ୍ଧାର କରି ମା’ ମଙ୍ଗଳା ବୋଟକୁ ଟାଣି ଆଣିବାକୁ କୁହାଯାଇଥିଲା । ଗୁପ୍ତିଠାରୁ ୧୦ କିଲୋମିଟର ଦୂରରେ ନଦୀ ମଧ୍ୟରେ ଆସୁଥିବା ବେଳେ ମା ଗୁପ୍ତଚଣ୍ଡୀ ବୋଟରେ ଯାନ୍ତ୍ରିକ ତୃଟି ଦେଖାଦେଇ ଅଚଳ ହୋଇ ପଡିଥିଲା । ଯାହାଫଳରେ ଦୁଇଟି ବୋଟ ନଦୀ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସହ ଅନ୍ୟ ପର୍ଯ୍ୟଟକମାନେ ଫସି ରହିଥିଲେ ।

ଖବରପାଇ ଗୁପ୍ତି ଫରେଷ୍ଟର ବିଭୁତି ଭୂଷଣ ତରାଇଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗର ପିବି ଆଶିଷ ଓ କନ୍ୟାକୁମାରୀ ଦୁଇଟି ବୋଟ ସହ ଗୁପ୍ତିରେ  ରହୁଥିବା ବୋଟ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ବୋଟ ଆମ୍ବୁଲାନ୍ସରେ ବରିଷ୍ଠ ନାଗରିକମାନେ ଓ ବନବିଭାଗର ବୋଟରେ ପର୍ଯ୍ୟଟକ ଆସିବା ସହ ଖରାପ ହୋଇଥିବା ଦୁଇଟି ବୋଟକୁ ଟାଣି ଗୁପ୍ତି ପର୍ଯ୍ୟନ୍ତ ଆଣିଥିଲେ । ପର୍ଯ୍ୟଟକମାନେ ସୁରକ୍ଷିତ ଭାବେ ଫେରି ଆସିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଭିତରକନିକା ପର୍ଯ୍ୟଟନ କ୍ଷେତ୍ରରେ ଏହା ପ୍ରଥମ ଘଟଣା । ସୂଚନା ଥାଉକି, ଗୁପ୍ତିରୁ ନଦୀ ପଥରେ ଭିତରକନିକା(ଡାଙ୍ଗମାଳ) ୧୫କି.ମି. ଦୂର । ପର୍ଯ୍ୟଟକମାନେ ଏହି ୧୫କି.ମି. ନଦୀ ପଥରେ ଯାତ୍ରା କଲା ବେଳେ ବହୁ ସଂଖ୍ୟାରେ ନଦୀକୂଳରେ ଖରା ଖାଉଥିବା କୁମ୍ଭୀର, ହରିଣ ପଲ, ମାଙ୍କଡ ଓ ଅନ୍ୟ ବନ୍ୟଜୀବଙ୍କ ସହ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ପାଇଥାନ୍ତି । ସେଥିପାଇଁ ପର୍ଯ୍ୟଟକମାନେ ବୋଟରେ ନଦୀ ମଧ୍ୟରେ ବୁଲିବାକୁ ପସନ୍ଦ କରିଥାନ୍ତି ।

nis-ad
Leave A Reply

Your email address will not be published.